ଦୀପ ଜଳାଅ

କୁମାର ପ୍ରଶାନ୍ତ

୧୯୪୩ ମସିହାର କଥା, କୁନ୍ଦନଲାଲ ସେହଗାଲ ନିଜ ‘ତାନସେନ’ ଫିଲ୍ମ ପାଇଁ ‘ଦୀୟା ଜଲାଓ… ଜଗମଗ ଜଗମଗ ଦୀୟା ଜଲାଓ’(ଦୀପ ଜଳାଅ, ଉଜ୍ଜ୍ବଳ ଦୀପ ଜଳାଅ) ଗୀତକୁ ମନପ୍ରାଣ ଲଗାଇ ଗାଉଥିଲେ। ତାଙ୍କ କଣ୍ଠସ୍ବରରେ ଅନ୍ଧକାରକୁ ତଉଲି ଆଉ ଆଲୋକକୁ ଆମନ୍ତ୍ରଣ କରିବାରେ ଏପରି ପୀଡ଼ା, ଏପରି ବେଦନା ଆଉ ଏପରି ଆହ୍ବାନ ରହିଥିଲା ଯେ ଆମେ ତତ୍ପର ହୋଇ ଖୋଜିଥିଲୁ କାଳେ କେଉଁଠି ମନ ଭିତରେ କୋଉ କୋଣରେ କାଳେ ଦୀପଟିଏ ଜଳି ଉଠିଥିବ ବୋଲି! କଳା ଏପରି କରିଥାଏ, ମାତ୍ର ରାଜନୀତି ତାହାର ଓଲଟା କରିଥାଏ। ଜଳୁଥିବା ଦୀପକୁ ରାଜନୀତି ଲିଭାଇ ଦିଏ।

ଯେମିତି ବିଗତ ୭୦ ବର୍ଷ ହେଲା ଇଣ୍ଡିଆ ଗେଟ୍‌ରେ ଅମର ଯବାନ ଜ୍ୟୋତି ଜଳି ଆସୁଥିଲା, ଯାହାକୁ ସେଣ୍ଟ୍ରାଲ ଭିଷ୍ଟା ପରି ଅସୁନ୍ଦର ନାମ ଦେଇ ଧୂଳି, ଧୂଆଁ ଆଉ ବେପାରର ଗର୍ଜନ ଭିତରେ ଏମିତି ଢାଙ୍କି ଦିଆଗଲା ଯେ ଦେଶର ରାଜଧାନୀର ସେହି ଅନନ୍ୟ ପରିଚୟ ହଜିଗଲା। ସେଠାରେ ସାରା ପରିବେଶ ଏବେ ଶୋକ ଆଉ ଶୂନ୍ୟତାରେ ଡୁବି ଯାଇଛି। କୌଣସି ନୂଆ ରଚନା ଏହି ପୁରୁଣା ଇତିହାସକୁ ଏପରି ଉଚ୍ଛେଦ କରିଦେବ, ତାହା ପୂର୍ବରୁ ଘୁଣାକ୍ଷରରେ କେହି କଳ୍ପନା କରି ପାରି ନ ଥିଲେ। କିନ୍ତୁ ଯିଏ ଦେଶର ଇତିହାସ ଅପେକ୍ଷା ନିଜର ଇତିହାସ ସହ ସମ୍ବନ୍ଧ ରଖିଥାଏ, ତା’ ପକ୍ଷରେ ଏଭଳି କାମ ସମ୍ଭବ ହୋଇଥାଏ।

ଆଜିକୁ ଚାରି ମାସ ତଳେ ଯେଉଁ ଅମର ଯବାନ ଜ୍ୟୋତିକୁ ରାତାରାତି ଲିଭାଇ ଦିଆଗଲା, ତାହା ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧରେ ବିଜୟ ପରେ ରାତାରାତି ପ୍ରସ୍ତୁତ ହୋଇଥିଲା। କିନ୍ତୁ ଏହାର ଇତିହାସ ତା’ଠୁ ବି ପୁରୁଣା କାହାଣୀ ବତାଇଥାଏ। ଇଂରେଜମାନେ ନିଜର ବୃହତ୍ତମ ତଥା ରୋଜଗାରିଆ ଉପନିବେଶର ନିଜସ୍ବ ରାଜଧାନୀକୁ ସତ୍ତା ଓ ସମ୍ପତ୍ତିର ଭବ୍ୟତମ ପ୍ରତୀକ ଭାବେ ଛିଡ଼ା କରିବା ପାଇଁ ଚିନ୍ତା କଲା ବେଳେ ସ୍ଥପତି ଏଡଵିନ୍‌ ଲୁଟିୟନ୍‌ସଙ୍କୁ ନିଜର ଭବ୍ୟତମ ସ୍ବପ୍ନ ସାକାର କରିବାର ସୁଯୋଗ ମିଳିଲା। ସେ ଯାହା ଯାହା ନିର୍ମାଣ କରିବାକୁ ଚାହୁଥିଲେ, ସବୁ ଏଠାରେ କରିଦେଲେ। ଔପନିବେଶିକ ଶୋଷଣରେ ଧନର ଅଭାବ ତ ନ ଥିଲା। ଆମର ସରକାରୀ ଦିଲ୍ଲୀ ଆଜି ବି ତାଙ୍କ ସ୍ଥାପତ୍ୟ କଳା ତଳେ ଦବି ହୋଇ ରହିଛି।

୧୯୧୪ରୁ ଆରମ୍ଭ ହୋଇଥିବା ପ୍ରଥମ ବିଶ୍ବଯୁଦ୍ଧ ୧୯୧୯ରେ ଶେଷ ହେବା ପରେ ଇଂରେଜ ସରକାର ହୃଦୟଙ୍ଗମ କଲେ କି ସାମ୍ରାଜ୍ୟର ମୂଳଦୁଆ ସୁଦୃଢ଼ କରିବା ଲାଗି ସରକାର ପ୍ରଜାମାନଙ୍କର କଥା କିପରି ବୁଝୁଛନ୍ତି, ତାହା ସେମାନେ ଅନୁଭବ କରିବା ଜରୁରୀ। ଏ ଦୃଷ୍ଟିରୁ ବିଶ୍ବଯୁଦ୍ଧରେ ମୃତ ଦେଶୀ ସୈନିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଯୁଦ୍ଧ ସ୍ମାରକୀ ନିର୍ମାଣର ଧାରଣା ଆସିବାରୁ ଲୁଟିୟନ୍‌ସ ସାହେବ ୧୯୧୯ରେ ତାହାର ନିର୍ମାଣ ଆରମ୍ଭ କରି ୧୯୩୧ରେ ସାରିଥିଲେ, ଯାହାକୁ ଆମେ ଇଣ୍ଡିଆ ଗେଟ୍‌ ବୋଲି କହୁଛନ୍ତି। ଏହା ଏପରି ଏକ ସ୍ଥାପତ୍ୟ ଯାହାର ଗୋଟିଏ ପଟେ ଛିଡ଼ା ହୋଇ ଜଣେ ସାମନାରେ ଇଂରେଜ ଶାସନର ଦମ୍ଭ-ଦର୍ପ ଆଉ ବୈଭବକୁ ଏକାସଙ୍ଗରେ ଦେଖିପାରିବ। ଗୁଲାମମାନଙ୍କୁ ଗୁଲାମିର ସ୍ମୃତି ଚାରଣ କରାଇବା କେତେ ଭବ୍ୟ ଓ ସୁନେଲି ହୋଇପାରେ, ତାହା ହିଁ ଥିଲା ଏହାର ଲକ୍ଷ୍ୟ।

ଏହି ଇତିହାସ ଇଣ୍ଡିଆ ଗେଟ୍‌ ଠାରେ ସେପରି ପଥର ପରି ଅଟକି ରହିଥିଲା। ୧୯୭୩ରେ ଇନ୍ଦିରା ଗାନ୍ଧୀ ଅତ୍ୟନ୍ତ ତତ୍ପରତା ଓ ଯତ୍ନର ସହ ତାହାକୁ ମାଟିରେ ମିଶାଇ ଦେଇ ତାହାକୁ ସ୍ବତନ୍ତ୍ର ଭାରତ ଇତିହାସରେ ସମାହିତ କରିଦେଲେ। ଇଣ୍ଡିଆ ଗେଟ୍‌ ଅମର ଯବାନ ଜ୍ୟୋତିରେ ରୂପାନ୍ତରିତ ହୋଇଗଲା। ଏହା ଯେଭଳି ଭାବରେ ନିର୍ମିତ ଓ ପ୍ରଦର୍ଶିତ ହେଲା, ତାହା ଆଉ ଯୁଦ୍ଧସ୍ମାରକୀ ନ ହୋଇ ବଳିଦାନର ସ୍ମାରକୀ ହୋଇଗଲା। ଇଂରେଜମାନେ ଏହାର ଉପର ଭାଗରେ ବିଶ୍ବଯୁଦ୍ଧରେ ମୃତ ତିନି ହଜାର ଭାରତୀୟ ସୈନ୍ୟଙ୍କ ନାଁ ଖୋଦେଇ କରିଥିଲେ ଯେଉଁମାନେ ସମସ୍ତେ ଧର୍ମ-ଜାତି-ଭାଷା ନିର୍ବିଶେଷରେ ପ୍ରାଣବଳି ଦେଇଥିଲେ। ଅମର ଯବାନ ଜ୍ୟୋତି ସେଠାରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍‌କୁ ଯୋଡ଼ି ଦେଲା। କଳ୍ପନା ଥିଲା କି ପୂର୍ବରୁ ହୋଇଥିବା ଏବଂ ଭବିଷ୍ୟତ୍‌ରେ ହେବାକୁ ଥିବା ଯୁଦ୍ଧରେ ପ୍ରାଣବଳି ଦେଇଥିବା ଓ ଦେବାକୁ ଥିବା ସୈନିକମାନଙ୍କର ଏହା ପ୍ରତୀକ ସ୍ମାରକୀ ହେବ, ଯାହାର ଜ୍ୟୋତି ସର୍ବଦା ପ୍ରଜ୍ବଳିତ ହୋଇ ରହିଥିବ।

ଏହାର ସାରା ବାତାବରଣ ଯୁଦ୍ଧୋନ୍ମାଦ ନ ହୋଇ ବୀରତା ପାଇଁ ଶ୍ରଦ୍ଧା ଜାଗ୍ରତ କରାଉଥିଲା। ଓଲଟା ରାଇଫଲ ଉପରେ ଟଙ୍ଗାଯାଇଥିବା ସୈନିକର ଟୋପି, ସାମନାରେ ଜଳୁଥିବା ଅମର ଯବାନ ଜ୍ୟୋତି ଏବଂ ଚବିଶ ଘଣ୍ଟା ମୌନ ପାଷାଣ ମୁଦ୍ରାରେ ପହରା ଦେଉଥିବା ଯବାନ- ଏ ସମସ୍ତେ ମିଶି ସାରା ବଳିଦାନର ଏପରି ପ୍ରକଟଶୀଳ ଶାଳୀନ ପ୍ରତୀକ ସୃଷ୍ଟି କରିଥିଲେ ଯେ ଏହାର ଚତୁଃପାର୍ଶ୍ବରେ ଉତ୍ସବ ପାଳନ କରୁଥିବା ଭାରତ ବି ନିଜର ଗରିମା ସମ୍ଭାଳି ଚଳୁଥିଲା। ମାତ୍ର ଗୋଟିଏ ଝଟକାରେ ସବୁ କିଛି ମାଟିରେ ମିଶାଇ ଦିଆଗଲା। ଅମର ଯବାନ ଜ୍ୟୋତିକୁ ଲିଭାଇ ଦିଆଗଲା।

ଏମିତି ଅନେକ ପ୍ରଶ୍ନ ରହିଛି ଯାହାର ଉତ୍ତର ବିଭିନ୍ନ ସ୍ତରରେ ଖୋଜାଯିବାର ଆବଶ୍ୟକତା ରହିଛି। ଯୁଦ୍ଧ ସ୍ମାରକୀ ଦ୍ବାରା ପାଶ୍ଚାତ୍ୟ ଦୁନିଆ ଆକର୍ଷିତ ହୋଇପାରେ। କାରଣ ଯୁଦ୍ଧରେ ହିଁ ତାହାର ସଂସାର ସୃଷ୍ଟି। ସେମାନଙ୍କର ସେଠାରେ ଯୁଦ୍ଧ ଧାର୍ମିକ ବୀରତା ପାଇଁ ଏବଂ ପ୍ରତିଦ୍ବନ୍ଦ୍ବୀର ବିନାଶ ପାଇଁ ଉଦ୍ଦିଷ୍ଟ, ଏପରିକି ଅସ୍ତ୍ରଶସ୍ତ୍ର କାରବାର କରି ଅର୍ଥ ଉପାର୍ଜନ ପାଇଁ ମଧ୍ୟ। ଦୁଇଟି ଯାକ ବିଶ୍ବଯୁଦ୍ଧରେ ଆମେରିକା ନିଜର ଅକଳନ ଅର୍ଥୋପାର୍ଜନ ବଳରେ ଐଶ୍ବର୍ଯ୍ୟର ଶୀର୍ଷରେ ପହଞ୍ଚି ପାରିଛି। ଦୁଇ ପକ୍ଷ ମଧ୍ୟରେ ଭୟ ଦେଖାଇ ଏବଂ ଭୟକୁ ବଢ଼ାଇ ସେମାନଙ୍କୁ ମୁହାଁମୁହିଁ ସ୍ଥିତିରେ ପହଞ୍ଚାଇବା ଏବଂ ଦୁଇ ପକ୍ଷକୁ ଅସ୍ତ୍ରଶସ୍ତ୍ର ବିକିବା ହେଉଛି ପ୍ରତ୍ୟେକ ପାଶ୍ଚାତ୍ୟ ମହାଶକ୍ତିର ପ୍ରକୃତ ଧନ୍ଦା। ଆଜିକାଲି ପାଶ୍ଚାତ୍ୟ ଦେଶରେ ଭରି ଯାଇଥିବା ଆର୍ଥିକ ମାନ୍ଦାବସ୍ଥା ପଛର ଏକ ପ୍ରମୁଖ କାରଣ ହେଲା, ବିଗତ କିଛି ବର୍ଷ ହେଲା ଯଦିଓ କାଁ ଭାଁ ଯୁଦ୍ଧ ହେଉଛି ବା କେଉଁଠି କେଉଁଠି ଲାଗି ରହିଛି, ମାତ୍ର ମହାଯୁଦ୍ଧ ହୋଇନାହିଁ। ଗଲା ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ହେଲେ ଏକ ମହାଯୁଦ୍ଧ ହୋଇପାରେ ବୋଲି ଆଶଙ୍କା ହୋଇଥିଲା। କିନ୍ତୁ ତାହା ମଧ୍ୟ ହେଲା ନାହିଁ। ମହାଯୁଦ୍ଧ ନାହିଁ ତ ମହା ଅର୍ଥୋପାର୍ଜନ ବି ନାହିଁ। ସେଥିପାଇଁ ସେଠାରେ ଯୁଦ୍ଧ ସ୍ମାରକୀ ଗଢ଼ିବାର ଉଦ୍ଦେଶ୍ୟ ହେଉଛି ଯୁଦ୍ଧକୁ ଜୀବିତ ରଖିବା।

ଆମର ଏଠାରେ ଯୁଦ୍ଧ ବି ହୋଇଛି, ହେଲେ ଅର୍ଥ ରୋଜଗାରର ବାଟ ରହିନାହିଁ। ଆମର ବୃତ୍ତି କେବେ ସାମ୍ରାଜ୍ୟବାଦୀ କି ଔପନିବେଶିକ ହୋଇ ରହିନାହିଁ। ଆମ ଯୁଦ୍ଧର ଉଦ୍ଦେଶ୍ୟ ମଧ୍ୟ ଅତି ମହାନ୍‌ ଓ ଶ୍ରେଷ୍ଠ ହୋଇ ରହି ଆସିଛି- ଯେପରିକି ନ୍ୟାୟ ପାଇଁ ମହାଭାରତ ଯୁଦ୍ଧ ହୋଇଥିଲା ତ ଔପନିବେଶିକ ଦାସତ୍ବକୁ ରୋକିବା ପାଇଁ ଅନେକ ଯୁଦ୍ଧ ହୋଇଛି। ସେଥିପାଇଁ ଭାରତୀୟ ପରମ୍ପରାରେ କୌଣସି ଯୁଦ୍ଧ ସ୍ମାରକୀ କରାଯାଇନାହିଁ। ବଳିଦାନ ଅଥବା ସହିଦତ୍ବର ପ୍ରତୀକ ରୂପେ ସ୍ମାରକୀଗୁଡ଼ିକ ପାଇଁ ସ୍ବାଭାବିକ ଭାବେ ସ୍ଥାନ ସୃଷ୍ଟି ହୋଇଛି। ଏଥି ସହିତ ଏହା ପ୍ରତୀକାତ୍ମକ ଭାବେ ପରିପୂର୍ଣ୍ଣତା ଦର୍ଶାଇଥାଏ, ମାତ୍ର ସଂଖ୍ୟାବାଚକ ନୁହେଁ। ସାମ୍ରାଜ୍ୟର ସମସ୍ତ ପ୍ରତୀକକୁ ଆତ୍ମସ୍ଥ କରି ଅମର ଯବାନ ଜ୍ୟୋତି ସେ ସମସ୍ତଙ୍କର ପ୍ରତିନିଧିତ୍ବ କରି ଆସିଥିଲା, ଯାହା ସାର୍ବଭୌମ ସ୍ବତନ୍ତ୍ର ଦେଶର ଗୌରବ ସଂଯୋଜନା କରିବା ସହ ଏକ ଉଦ୍ଦାମ ମନର ପ୍ରସ୍ତୁତି ଜାଗ୍ରତ କରୁଥିଲା।

ବାହାରେ ଜଳୁଥିବା ଜ୍ୟୋତି ଯେବେ ଭିତରକୁ ଆଲୋକିତ କରେ, ସେଥିରେ ତାହାର ସାର୍ଥକତା ଥାଏ। ଅମର ଯବାନ ଜ୍ୟୋତି ଏପରି ଏକ ପ୍ରତୀକ ହୋଇ ଭାରତୀୟଙ୍କ ମନରେ ବସା ବାନ୍ଧି ସାରିଥିଲା। ତାହାକୁ ଲିଭାଇବାର ଆବଶ୍ୟକତା ନ ଥିଲା। ଯଦି ଦରକାର ଥିଲା ତେବେ ନବନିର୍ମିତ ଯୁଦ୍ଧ ସ୍ମାରକୀରେ ଆଉ ଏକ ଜ୍ୟୋତି ଜଳାଯାଇ ପାରିଥା’ନ୍ତା। ଅନ୍ଧକାର ଯେତିକି ଘନ ଓ ଅଭେଦ୍ୟ ହେବ, ସମାଜକୁ ସେତିକି ଉଜ୍ଜ୍ବଳ କରିବାର ଆବଶ୍ୟକତା ପଡ଼ିଥାଏ। ଏଠାରେ ଗୋଟିକୁ ଲିଭାଇ ଆଉ ଗୋଟେ ଜାଳିବାକୁ କିଏ କହୁଥିଲା? ମାତ୍ର ଯେତେବେଳେ ପ୍ରତୀକଗୁଡ଼ିକୁ, ମହାପୁରୁଷମାନଙ୍କୁ ଓ ଇତିହାସକୁ ହଡ଼ପ କରିବାର ପାଗଳ ଦୌଡ଼ ଚାଲିଛି, ଯେଉଁଠି ସ୍ବାଧୀନତା ୧୯୪୭ ମସିହାରେ ନ ମିଳି ୨୦୧୪ରେ ମିଳିଛି ବୋଲି କୁହାଯାଉଛି, ସେତେବେଳେ ତ ଦୀପକୁ ଲିଭିବାକୁ ହେବ, ପ୍ରତିଟି ଇତିହାସ ଆମ ଠାରୁ ଆରମ୍ଭ ବୋଲି ନିର୍ଦ୍ଧାରଣ କରାଯାଉଥିବ। ଏହି ଅନ୍ଧକାର ବାହାର ଜ୍ୟୋତି ଜଳିବା ଠାରୁ ଦୂରରେ ରହିବନି।

ରାଜଧାନୀ ଦିଲ୍ଲୀରେ ଆଉ ଏକ ଜ୍ୟୋତି ପ୍ରଜ୍ବଳିତ ରହିଛି ବୋଲି କ’ଣ କାହାର ମନେ ଅଛି? ତାହା ହେଲା ରାଜଘାଟ ସ୍ଥିତ ବାପୁଜୀଙ୍କ ସମାଧିସ୍ଥଳରେ ଜଳୁଥିବା ଜ୍ୟୋତି। ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଏକ ନୂଆ ସ୍ମାରକୀ ନିର୍ମିତ ହେଉଛି ଯେଉଁଠି ସମସ୍ତଙ୍କ ନାମରେ ଗୋଟିଏ ହିଁ ଜ୍ୟୋତି ଜଳାଯିବ କହି କ’ଣ ଉକ୍ତ ଜ୍ୟୋତିକୁ ଏପରି ଲିଭାଇ ଦିଆଯିବ? ଅବଶ୍ୟ ବାପୁଙ୍କ ହତ୍ୟା ତ ସ୍ବାଧୀନତା ପରେ ହୋଇଥିଲା!

ଏବେ ଦେଖନ୍ତୁ, ଛତିଶଗଡ଼ରେ ଗୋଟିଏ ଅମର ଯବାନ ଜ୍ୟୋତି ନିର୍ମାଣ ସରିଛି। ଆଗକୁ ଅନ୍ୟ ରାଜ୍ୟଗୁଡ଼ିକରେ ବି ଏପରି ବିକଳ୍ପ ଜ୍ୟୋତିର ନିର୍ମାଣ କରାଯାଇପାରେ। ଯେତେବେଳେ ସାର୍ବଜନୀନ ସହମତି ପାଇଁ କୌଣସି ପ୍ରୟାସ କରାଯାଏ ନାହିଁ, ସେତେବେଳେ ଏପରି ସାଧାରଣ ପ୍ରତିକ୍ରିୟା ଆସିଥାଏ। ଏପରି ଜ୍ୟୋତିଗୁଡ଼ିକ କିନ୍ତୁ ଅଧିକ ଅନ୍ଧକାର ଭରି ଦେଇଥାଏ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର