ପ୍ରତ୍ୟୟର ଇମାରତ
ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରତି ବର୍ଷ ଉପସ୍ଥାପିତ ହେଉଥିବା ବଜେଟ୍ଗୁଡ଼ିକ ରାଷ୍ଟ୍ରର ବାର୍ଷିକ ଆୟ-ବ୍ୟୟର ଅଟକଳ ହୋଇଥିବା ସହିତ କ୍ଷମତାସୀନ ଦଳର ରାଜନୈତିକ ଅଭିବ୍ୟକ୍ତି ମଧୢ ହୋଇଥାଆନ୍ତି। ସେହି ଅନୁସାରେ ଏକ ଧାରଣା ଜନ୍ମି ଥିଲା ଯେ ଗଲା ୧ ତାରିଖରେ ସ˚ସଦରେ ଉପସ୍ଥାପିତ ହୋଇଥିବା ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ୍ଟି ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରୂପ ପାଇଥିବ। ସୁତରା˚, ଏହି ବଜେଟ୍ରେ ଆୟ କର ପ୍ରଦାନର ସୀମା ବୃଦ୍ଧି ବା ‘କ୍ୟାପିଟାଲ୍ ଏକ୍ସପେଣ୍ତିଚର୍’ (ପୁଞ୍ଜି ଗଠନରେ ବ୍ୟୟ) ବା ସ˚କ୍ଷେପରେ ‘କ୍ୟାପ୍-ଏକ୍ସ’ ପରିମାଣରେ ବିପୁଳ ବୃଦ୍ଧିର ପ୍ରସ୍ତାବକୁ ଅନେକ ବ୍ୟାଖ୍ୟାକର ନିର୍ବାଚନ ସଫଳତା ସକାଶେ ଉଦ୍ଦିଷ୍ଟ ବୋଲି ମତ ଦେଇ ଥାଆନ୍ତି; ଏପରି କି ‘କ୍ୟାପ୍-ଏକ୍ସ’ରେ ବୃଦ୍ଧି ଦ୍ବାରା ସୃଷ୍ଟ ନିଯୁକ୍ତି ବୃଦ୍ଧିରେ ସମ୍ଭାବନା କାରଣରୁ ‘ଵାସି˚ଟନ ପୋଷ୍ଟ’ ଭଳି କେତେକ ପାଶ୍ଚାତ୍ୟ ଖବରକାଗଜ ଏହି ବଜେଟ୍କୁ ଏକ ନିର୍ବାଚନୀ ବଜେଟ୍ ଭାବେ ଅଭିହିତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଉଲ୍ଲେଖଯୋଗ୍ୟ ଯେ ଭାରତରେ ପୂର୍ବରୁ ଉପସ୍ଥାପିତ ହୋଇ ଆସିଥିବା ପାର˚ପରିକ ନିର୍ବାଚନୀ ବଜେଟ୍ଗୁଡ଼ିକ ଆଧାରରେ ବିଚାର କଲେ ଚଳିତ ବଜେଟ୍ଟି ଯେ ସେଭଳି ନୁହେଁ, ତାହା ସ୍ପଷ୍ଟ ହୋଇଥାଏ; କାରଣ ଏହି ବଜେଟ୍ରେ ଚଢ଼ା ପେଟ୍ରୋଲ ଦର ବା ମୁଦ୍ରାସ୍ଫୀତି ଦ୍ବାରା ଊର୍ଦ୍ଧ୍ବମୁଖୀ ହୋଇଥିବା ଅନେକ ବହୁଳ ବ୍ୟବହୃତ ଖାଉଟି ସାମଗ୍ରୀର ଦରରେ ହ୍ରାସ ଘଟାଇବା ଅଥବା କୃଷି ଋଣ ଛାଡ଼ କିମ୍ବା କୌଣସି ବିଶେଷ ରିହାତିର ଘୋଷଣା ଭଳି ପଦକ୍ଷେପ ଦୃଶ୍ୟମାନ ହୋଇନାହିଁ, ଯାହା ସାଧାରଣ ଭୋଟରଙ୍କୁ ପ୍ରଭାବିତ କରନ୍ତା। ଅପର ପକ୍ଷରେ ଅତି-ଧନୀକ (ସୁପର୍ ରିଚ୍)ମାନଙ୍କ ଲାଗି ଟିକସରେ ପ୍ରାୟ ୩ ପ୍ରତିଶତ ହ୍ରାସ ଘଟାଇ (ଗଲା ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ଥର) ଏହି ସରକାର ଧନୀକଙ୍କ ପୃଷ୍ଠପୋଷକ ଏବ˚ ଦରିଦ୍ରଙ୍କ ପ୍ରତି ଉଦାସୀନ ଭଳି ଆଖ୍ୟା ଅର୍ଜନ କରିବାର ବିପଦ ବରଣ କରିଛି, ଯେଉଁ ଆକ୍ଷେପ ବଜେଟ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କ˚ଗ୍ରେସ ଦଳ ପକ୍ଷରୁ ମଧ୍ୟ କରାଯାଇଛି। ତେଣୁ ଯଦି ଏହା ଏକ ଆଦର୍ଶ ସ୍ଥାନୀୟ ନିର୍ବାଚନୀ ବଜେଟ୍ ନୁହେଁ, ତେବେ ପ୍ରଶ୍ନ ଉଠିଥାଏ ଯେ ଏହି ବଜେଟ୍ରେ ନିହିତ ରାଜନୈତିକ ଅଭିବ୍ୟକ୍ତିଟି କ’ଣ?
ପ୍ରଥମ କଥା, ଏଭଳି ଏକ ବଜେଟ୍ରୁ ଧାରଣା ଜାତ ହୋଇଥାଏ ଯେ ଆଗାମୀ ସାଧାରଣ ନିର୍ବାଚନର ଫଳାଫଳ ସ˚ପର୍କରେ ବିଜେପି ବିଶେଷ ବିବ୍ରତ ନୁହେଁ; ସମ୍ଭବତଃ ଆହୁରି ଦୀର୍ଘ କାଳ ପର୍ଯ୍ୟନ୍ତ କ୍ଷମତାସୀନ ହୋଇ ରହିବାର ଏକ ଦୃଢ଼ ଆତ୍ମ-ପ୍ରତ୍ୟୟ ଦଳ ବହନ କରିଥାଏ, ଯେଉଁ ଆତ୍ମ-ପ୍ରତ୍ୟୟର ଇମାରତ ଦେଶରେ ଚାଲୁ ରହିଥିବା ଦ୍ରୁତ ଓ ଦୃଢ଼ ଭିତ୍ତିଭୂମି ବିକାଶର ମୂଳଦୁଆ ଉପରେ ଦଣ୍ତାୟମାନ। ତେଣୁ ଭିତ୍ତିଭୂମି ବିକାଶକୁ ଆହୁରି ଅଧିକ ପ୍ରଭାବଶାଳୀ କରିବା ସକାଶେ ‘କ୍ୟାପ୍-ଏକ୍ସ’ ପରିମାଣରେ ପୂର୍ବ ବର୍ଷ ତୁଳନାରେ ୩୩ ପ୍ରତିଶତ ବୃଦ୍ଧି ଘଟାଇ ତହିଁରେ ୧୦ ଟ୍ରିଲିଅନ ଟଙ୍କା ବିନିଯୋଗର ବ୍ୟବସ୍ଥା କରାଯାଇଛି।
କହିବା ଅନାବଶ୍ୟକ ଯେ ୨୦୧୪ ମସିହାରେ କ୍ଷମତାସୀନ ହେବା ପର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ରାଷ୍ଟ୍ରରେ ଭିତ୍ତିଭୂମିଗତ ବିକାଶକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରାଯାଇ ଆସୁଛି, ଯେଉଁଥି ଲାଗି ‘ଭାରତ ମାଳା’ (ରାଜପଥ ବିକାଶ), ସାଗର ମାଳା (ବନ୍ଦର ଏବ˚ ଜଳପଥ ବିକାଶ), ଉଡ଼ାନ (ବିମାନ ବନ୍ଦର ଓ ଆକାଶ ପଥ ବିକାଶ) ଏବ˚ ଅମୃତ ଭାରତ (ରେଳ ବିକାଶ) ଭଳି ଅତ୍ୟନ୍ତ ଉଚ୍ଚାଭିଳାଷୀ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି ଏବ˚ ଏହି ବିକାଶ କ୍ରମକୁ ଅତ୍ୟନ୍ତ ସମନ୍ବିତ ତଥା ଅବାଧ ଢଙ୍ଗରେ ସମାହିତ କରିବା ଲାଗି ୧୬ଟି ମନ୍ତ୍ରାଳୟକୁ ଘେନି ‘ଡିଜିଟାଲ୍’ ସ˚ଯୋଗୀକରଣ ଜରିଆରେ ‘ନେସନାଲ ମାଷ୍ଟର ପ୍ଲାନ୍ ଫର ମଲ୍ଟି ନୋଡାଲ କନେକ୍ଟିଭିଟି’ ବା ବହୁମୁଖୀ ସ˚ଯୋଗୀକରଣର ଜାତୀୟ ଯୋଜନାକୁ ‘ପ୍ରଧାନମନ୍ତ୍ରୀ ଗତି ଶକ୍ତି’ ସ୍କିମ୍ ନାମରେ ବାସ୍ତବାୟିତ ମଧୢ କରାଯାଇଛି।
କହିବାରେ ଦ୍ବିଧା ନାହିଁ ଯେ ଏହା ଫଳରେ ଗଲା ଆଠ ବର୍ଷ ମଧୢରେ ଦେଶ ବ୍ୟାପକ ଭିତ୍ତିଭୂମିଗତ ବିକାଶ ପ୍ରତ୍ୟକ୍ଷ କରିଛି, ଯାହାର ସ˚ପୂର୍ଣ୍ଣ ତାଲିକା ପ୍ରଦାନ କରିବା ଏହି ସ୍ତମ୍ଭର କ୍ଷୁଦ୍ର କଳେବରରେ ସମ୍ଭବ ନୁହେଁ। ତେବେ, ଗୋଟିଏ ଉଦାହରଣ ଦ୍ବାରା ଏ ସ˚ପର୍କରେ ଏକ ଧାରଣା ମିଳିପାରିବ ଯେ ୨୦୧୪ ମସିହାରୁ ୨୦୨୨ ମସିହା ମଧୢରେ ଦେଶରେ ୭୫ ହଜାର କିଲୋମିଟର ଦୈର୍ଘ୍ୟ-ବିଶିଷ୍ଟ ଜାତୀୟ ରାଜପଥର ନିର୍ମାଣ, ମରାମତି ଏବ˚ ଦୃଢ଼ୀକରଣ କାର୍ଯ୍ୟ ସ˚ପନ୍ନ ହୋଇଛି, ଯାହା ସ୍ବାଧୀନତା ପର ଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ନିର୍ମିତ ସର୍ବମୋଟ ଜାତୀୟ ରାଜପଥର ଦୈର୍ଘ୍ୟ (ପ୍ରାୟ ୧.୫ ଲକ୍ଷ କିଲୋମିଟର)ର ଅର୍ଦ୍ଧେକରୁ ମଧୢ ଅଧିକ। କେବଳ ସେତିକି ନୁହେଁ, ଉତ୍ତର ସୀମାନ୍ତର ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଯେଉଁଭଳି ବେଗରେ ଭିତ୍ତିଭୂମିଗତ ବିକାଶ ଅଗ୍ରଗତି ଲାଭ କରିବାରେ ଲାଗିଛି, ତାହା ଉଦାହରଣୀୟ ବୋଲି ସ୍ବୀକୃତ ହୋଇଥାଏ।
କହିବା ଅନାବଶ୍ୟକ ଯେ ଏଭଳି ଭିତ୍ତିଭୂମିଗତ ବିକାଶ ଅଗଣିତ ଦେଶବାସୀଙ୍କ ଜୀବନ ଯାତ୍ରାକୁ ଅତ୍ୟନ୍ତ ସାବଲୀଳ କରିବା ସହିତ ସେମାନଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଆର୍ଥିକ ଉନ୍ନତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏବ˚ ତା’ ସହିତ ଏଭଳି ଦୃଶ୍ୟମାନ ଅତିକାୟ ଢାଞ୍ଚାଗତ ନିର୍ମାଣଗୁଡ଼ିକର ଉପସ୍ଥିତି ସେମାନଙ୍କ ଚେତନାରେ ପ୍ରବେଶ କରି ସରକାରଙ୍କ ସମର୍ଥନରେ ପ୍ରସ୍ତୁତ ଏକ ଟେଲିଭିଜନ ବିଜ୍ଞାପନରୁ ଶୁଭୁଥିବା ବାର୍ତ୍ତା- ‘ଭାରତ ବଦଲ ରହା ହୈ’ (ଭାରତ ବଦଳୁଛି)-କୁ ଯଥାର୍ଥତା ମଧୢ ପ୍ରଦାନ କରୁଥିବ।
ଗଲା ଶୁକ୍ରବାର ଦିନ ପ୍ରକାଶିତ ‘ନିର୍ମଳାଙ୍କ ପିରାମିଡ୍’ ଶୀର୍ଷକ ସ˚ପାଦକୀୟରେ ମହାନ ଅର୍ଥଶାସ୍ତ୍ରୀ ଜନ୍ ମେନାର୍ଡ କେନ୍ସଙ୍କ ଏକ ତତ୍ତ୍ବର ଉଦାହରଣ ପ୍ରଦାନ କରାଯାଇ କୁହାଯାଇଥିଲା ଯେ ପ୍ରାଚୀନ ମିଶର (ଇଜିପ୍ଟ)ରେ ନିର୍ମିତ ପିରାମିଡ୍ଗୁଡ଼ିକ ବସ୍ତୁତଃ କାହାର ବ୍ୟବହାରରେ ଆସୁ ନ ଥିବା ଅଣଉତ୍ପାଦନକ୍ଷମ ଅତିକାୟ ନିର୍ମାଣମାନ ହୋଇଥିଲେ ସୁଦ୍ଧା ତାହାର ନିର୍ମାଣ କାର୍ଯ୍ୟ ଅସ˚ଖ୍ୟ ଲୋକଙ୍କ ସକାଶେ ନିଯୁକ୍ତି ଓ ଆୟର ସମ୍ଭାବନା ସୃଷ୍ଟି କରିଥିଲା, ଯାହା ସେ ଦେଶର ଅର୍ଥନୀତିକୁ ଚଳଚଞ୍ଚଳ କରିଥିଲା। କିନ୍ତୁ ପିରାମିଡ୍ର ଏହି ଅର୍ଥନୈତିକ ଉପଯୋଗିତା ଛଡ଼ା ଆଉ ଯେଉଁ ଏକ ପ୍ରଭାବ ବିଦ୍ୟମାନ, ତାହା ହେଲା ବିଶାଳ ପିରାମିଡ୍ର ଅସ୍ତିତ୍ବ ବା ଉପସ୍ଥିତି ତତ୍କାଳୀନ ମିଶରର ଫାରୋ ବ˚ଶୀୟ ସମ୍ରାଟଙ୍କ ପରାକାଷ୍ଠା ଓ ଦୃଢ଼ତାର ଚିହ୍ନ ରୂପେ ମଧୢ ପରିଗଣିତ ହେଉଥିବ। ସେହି ଦୃଷ୍ଟିରୁ ଏହାର ଏକ ସମାନ୍ତରାଳ ଭାବେ ଯଦି ଗୁଜରାଟରେ ପ୍ରତିଷ୍ଠିତ ପୃଥିବୀର ଉଚ୍ଚତମ ପ୍ରତିମୂର୍ତ୍ତି (ସର୍ଦ୍ଦାର ବଲ୍ଲଭଭାଇ ପଟେଲ) ‘ଦ ଷ୍ଟାଚ୍ୟୁ ଅଫ୍ ୟୁନିଟି’ ସ˚ପର୍କରେ ବିଚାର କରାଯାଏ, ତେବେ ତାହାକୁ ମଧୢ ଉଚ୍ଚ ଆକାଶରେ ପ୍ରତିଷ୍ଠିତ ବିଜେପିର ଏକ ଜୟ ଜୈତ୍ର ରୂପେ ଦେଖି ହେବ।
ଏଥିରେ ସନ୍ଦେହ ନାହିଁ ଯେ ଉଚ୍ଚାଭିଳାଷୀ ଅତିକାୟ ନିର୍ମାଣମାନ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗ୍ରହାତିଶଯ୍ୟର କେନ୍ଦ୍ର ହୋଇ ରହିଆସିଛି, ଯାହାର ଆଭାସ ମିଳିଥିଲା ସେ କ୍ଷମତାସୀନ ହେବା ପରେପରେ ‘ବୁଲେଟ୍ ଟ୍ରେନ୍’ ବା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଅଥବା ‘ସେଣ୍ଟ୍ରାଲ ଭିସ୍ଟା’ ଭଳି ବିଶାଳ ପ୍ରକଳ୍ପଗୁଡ଼ିକୁ ସାକାର କରିବା ଦିଗରେ ତାଙ୍କର ସଘନ ଉଦ୍ୟମରୁ। ଯଦିଓ, ତହିଁରୁ ‘ବୁଲେଟ୍ ଟ୍ରେନ୍’ ପ୍ରକଳ୍ପଟି ଏ ଯାବତ୍ କାର୍ଯ୍ୟକାରୀ ହୋଇପାରିନାହିଁ, ‘ବନ୍ଦେ ଭାରତ’ ଭଳି ସ˚ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟନ୍ତ ଆଧୁନିକ ରେଳଗାଡ଼ି ଶୃଙ୍ଖଳାର ଚଳାଚଳ ପ୍ରାରମ୍ଭ ହୋଇସାରିଛି; ତୀବ୍ର ସମାଲୋଚନାର ଶରବ୍ୟ ହୋଇଥିବା ସତ୍ତ୍ବେ ‘ସେଣ୍ଟ୍ରାଲ ଭିସ୍ଟା’ ପ୍ରକଳ୍ପ ଚଳିତ ବର୍ଷ ନଭେମ୍ବର ସୁଦ୍ଧା ସମାପ୍ତ ହେବାର ଲକ୍ଷ୍ୟ ରଖିଛି। ଏବ˚ ଏ ସବୁ ଅତିକାୟ ପ୍ରକଳ୍ପ ଓ ନିର୍ମାଣଗୁଡ଼ିକ ମାଧୢମରେ ସରକାର ପ୍ରକାରାନ୍ତରେ ଆପଣା ଦୃଢ଼ତାକୁ ପ୍ରତିପାଦନ କରିବାର ପ୍ରୟାସ କରିଛନ୍ତି; ଯହିଁରେ ଅନେକା˚ଶରେ ସଫଳ ହୋଇଛନ୍ତି ମଧୢ।
ଏହି ପରିପ୍ରେକ୍ଷୀରେ ପ୍ରଖ୍ୟାତ ଇସ୍ରାଏଲୀ କବି ୟାହୁଦା ଆମିକାଇଙ୍କ ଅବିସ୍ମରଣୀୟ ଧାଡ଼ିଟିଏ ମନେ ପଡ଼ିଯାଏ, ଯାହାର ଓଡ଼ିଆ ଭାଷାନ୍ତର ହେଲା: ‘ସ୍ମୃତିର ଇମାରତସବୁ ‘ପେପର େଵଟ୍’ ଭଳି; ସେଥି ଲାଗି ତ ମୋ ରାଷ୍ଟ୍ରର ଇତିହାସ ଉଡ଼ିଯାଏ ନାହିଁ।’ ସୁତରା˚, ଏହି ବାକ୍ୟ ଇଙ୍ଗିତ କରିଥିବା ଭଳି ମୋଗଲଙ୍କ ସୁବର୍ଣ୍ଣ କାଳକୁ ଲାଲକିଲ୍ଲା ବା ଔପନିବେଶିକ ବ୍ରିଟିସ ଶାସକଙ୍କ ଆଧିପତ୍ୟର ଇତିହାସ ପୃଷ୍ଠାକୁ ପାଲାର୍ମେଣ୍ଟ ଭବନ ଆଦି ଭଳି ଇମାରତମାନ ‘ପେପର େଵଟ୍’ ସଦୃଶ ଚାପି ଧରିଥିବା ଭଳି ‘ସେଣ୍ଟ୍ରାଲ ଭିସ୍ଟା’ ବା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଅଥବା ଅନ୍ୟ ଭିତ୍ତିଭୂମିଗତ ନିର୍ମାଣମାନ ମୋଦୀଙ୍କ ଶାସନ କାଳକୁ ମଧୢ ଉଡ଼ିଯିବାକୁ ଦେବ ନାହିଁ। ଏଭଳି ଦୃଢ଼ତା ସମ୍ଭବତଃ ମୋଦୀଙ୍କୁ ଏମିତି ପ୍ରତ୍ୟୟବାନ କରିଛି ଯେ ୨୦୨୪ ନିର୍ବାଚନ ନେଇ ସେ ବିଶେଷ ବିବ୍ରତ ବା ଶଙ୍କାଗ୍ରସ୍ତ ନୁହନ୍ତି। ଏହା ହିଁ ଏହି ବଜେଟ୍ରେ ନିହିତ ରାଜନୈତିକ ଅଭିବ୍ୟକ୍ତି।