ଉପବାସର କେତେ ରୂପ
ହେତୁ ଜ୍ଞାନ - ଗଙ୍ଗାଧର ସାହୁ
ଖାଦ୍ୟ ଅଭାବରେ ଉପାସ ରହିବାକୁ ଅନାହାର କୁହାଯାଏ। କିନ୍ତୁ ଖାଦ୍ୟ ଥାଇ କୌଣସି ଉଦ୍ଦେଶ୍ୟରେ ଭୋଜନ କରିବାରୁ ଦୂରେଇ ରହିବାକୁ ଉପବାସ ବୋଲି କୁହାଯାଏ।
ଉପବାସର ମଧ୍ୟ ପ୍ରକାର ଭେଦ ରହିଛି। ଯେମିତି ‘ମେଡିକାଲ ଫାଷ୍ଟିଙ୍ଗ୍’ ବା ଚିକିତ୍ସା ଜନିତ ଉପବାସ। ବିଭିନ୍ନ ରୋଗ ନିରୂପଣ ଲାଗି ଡାକ୍ତରୀ ପରୀକ୍ଷାନିରୀକ୍ଷା ବେଳେ ରୋଗୀଙ୍କୁ ଅନେକ ସମୟରେ କିଛି ନ ଖାଇ ଆସିବାକୁ କୁହାଯାଇଥାଏ। ଯେମିତି କି ରକ୍ତ ଶର୍କରା ସ୍ତର ଜାଣିବାକୁ ହେଲେ ପରୀକ୍ଷା ଲାଗି ରକ୍ତ ଦେବା ପର୍ଯ୍ୟନ୍ତ ଖାଲି ପେଟରେ ରହିବାକୁ ହୁଏ। ପାଚନ କ୍ରିୟା ସମ୍ବନ୍ଧୀୟ ରୋଗ ନିରୂପଣ ଲାଗି ହେଉ ବା କୌଣସି ଅସ୍ତ୍ରୋପଚାର ପାଇଁ ହେଉ, ତା’ ପୂର୍ବରୁ ରୋଗୀଙ୍କୁ କିଛି ଖାଇବା ଲାଗି ମନା କରାଯାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଆଉ ଗୋଟିଏ ପ୍ରକାର ଉପବାସ ହେଲା ‘ପଲିଟିକାଲ୍ ଫାଷ୍ଟିଙ୍ଗ୍’ ବା ରାଜନୈତିକ ଉପବାସ। ଏହାକୁ ଅନଶନ ବୋଲି କୁହାଯାଏ, ଯାହାକୁ ମହାତ୍ମା ଗାନ୍ଧୀ ପ୍ରତିବାଦର ଏକ ଅସ୍ତ୍ର ରୂପେ ବ୍ୟବହାର କରି ସଫଳତା ପାଇଥିଲେ। ଏବେ ଆନ୍ଦୋଳନକାରୀମାନେ ଅନେକ ସମୟରେ କୌଣସି ବିଷୟରେ ପ୍ରତିବାଦ ଜ୍ଞାପନ କରିବାକୁ ଯାଇ ଏଭଳି ଉପବାସ ବା ଅନଶନ କରୁଥିବା ଦେଖାଯାଉଛି। ମଣିପୁର ରାଜ୍ୟର ଇରମ୍ ଶର୍ମିଲାଙ୍କ ଅନଶନ ତ ଜଗତ୍ ବିଖ୍ୟାତ। ତାଙ୍କ ରାଜ୍ୟରୁ ସଶସ୍ତ୍ର ସେନା ବଳ ପ୍ରତ୍ୟାହାର ଦାବିରେ ସେ ଦୀର୍ଘ ୧୬ ବର୍ଷ କାଳ ଅନଶନ କରିଥିଲେ। ରାଜନୈତିକ ଉପବାସର ଉଦ୍ଦେଶ୍ୟ ସରକାରଙ୍କ ଉପରେ ଚାପ ପକାଇବା ଠାରୁ ଆରମ୍ଭ କରି ଜନସଚେତନତା ସୃଷ୍ଟି କରିବା ପର୍ଯ୍ୟନ୍ତ ଅନେକ କିଛି ହୋଇପାରେ।
ସେମିତି ବିଭିନ୍ନ ସଂପ୍ରଦାୟରେ ଉପାସନା ଲାଗି ଉପବାସ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଧାର୍ମିକ ତଥା ସାଂସ୍କୃତିକ ବିଭାବ। ହିନ୍ଦୁ ସଂପ୍ରଦାୟରେ ବିଭିନ୍ନ ପୂଜା ବ୍ରତରେ ଉପବାସ କରାଯାଇଥାଏ। ସେମିତି ମୁସଲମାନ ସଂପ୍ରଦାୟର ଲୋକେ ରମଜାନ ମାସରେ ତିରିଶ ଦିନ ଧରି ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉପବାସ କରିଥାନ୍ତି। ଖ୍ରୀଷ୍ଟିଆନ୍ ସଂପ୍ରଦାୟରେ ମଧ୍ୟ ଇଷ୍ଟର ପୂର୍ବରୁ ଲୋକମାନେ ଚାଳିଶ ଦିନ ଖାଦ୍ୟ ଏବଂ ଆମୋଦପ୍ରମୋଦରୁ ନିବୃତ୍ତ ରହି ଉପବାସ କରିଥାନ୍ତି। ପ୍ରତ୍ୟେକ ଧର୍ମରେ ବା ଧର୍ମ ଗ୍ରନ୍ଥରେ ଉପବାସ ସମ୍ବନ୍ଧୀୟ କିଛି ଉପଦେଶ ପ୍ରଦାନ କରାଯାଇଛି, ଯହିଁରେ ଉପବାସର ପ୍ରକୃତ ଉଦ୍ଦେଶ୍ୟ ସଂଯମ ରକ୍ଷା ବୋଲି ବୁଝିବାକୁ ହୁଏ। ସଂଯମ ରକ୍ଷାର ଅର୍ଥ ଉଭୟ ଶରୀର ଓ ମନକୁ କୁଖାଦ୍ୟ, କୁଅଭ୍ୟାସ, କୁ ଆଚରଣ ଇତ୍ୟାଦି ଠାରୁ ଦୂରେଇ ରଖିବା।। ତେବେ, ଅନେକ ଲୋକ ଅନ୍ଧବିଶ୍ୱାସ ବଶବର୍ତ୍ତୀ ହୋଇ ମଧ୍ୟ ଉପବାସ କରିଥାନ୍ତି। ମାନସିକ ରଖି ଉପବାସ କରିବା ଏହାର ଅନ୍ତର୍ଭୁକ୍ତ। ସେମିତି ସୂର୍ଯ୍ୟୋପରାଗ ଦିନ ବା ଚନ୍ଦ୍ରଗ୍ରହଣ ଦିନ ହାଣ୍ଡିଛାଡ଼ ଏକ ପରଂପରା ହୋଇଥିଲେ ସୁଦ୍ଧା ଏହା ପଛରେ କୌଣସି ବିଜ୍ଞାନ ସମ୍ମତ ଯୁକ୍ତି ବା କାରଣ ନାହିଁ।
ଏବେ ଆଉ ଏକ ପ୍ରକାର ଉପବାସ ଲାଗି ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ତାହା ହେଉଛି ଇଲେକ୍ଟ୍ରୋନିକ୍ ଉପବାସ ବା ଇ-ଉପବାସ। ବର୍ତ୍ତମାନ ଲୋକେ ସାମାଜିକ ଗଣମାଧ୍ୟମ ପ୍ରତି ଏଭଳି ଆସକ୍ତ ଯେ ତାହା ଏକ ବ୍ୟାଧିତୁଲ୍ୟ ହୋଇ ପଡ଼ିଲାଣି। ଏହା ଦ୍ବାରା ଲୋକମାନେ ମାନସିକ ଅବସାଦ ବା ବିଷାଦ ଭଳି ସ୍ଥିତିର ସମ୍ମୁୁଖୀନ ହେଉଛନ୍ତି। ତେଣୁ ସପ୍ତାହକୁ ଅନ୍ତତଃ ଦିନେ ସାମାଜିକ ଗଣମାଧ୍ୟମ ଠାରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଉଛି।
ଏବେ ‘ଫିଟ୍ନେସ୍’ ଗୁରୁମାନେ ଖାଦ୍ୟ ଗ୍ରହଣର ଯେଉଁ ନୂଆ ବିଜ୍ଞାନ ସମ୍ମତ ଜ୍ଞାନମାନ ଧରି ଆସିଗଲେଣି, ତାହା ଅନୁସାରେ ସୁସ୍ଥ ଶରୀର ଲାଗି ନିୟମିତ ବ୍ୟବଧାନରେ ଉପବାସ କରିବା ଅତ୍ୟନ୍ତ ଜରୁରୀ ତଥା ସ୍ବାସ୍ଥ୍ୟପ୍ରଦ ମଧ୍ୟ। କିନ୍ତୁ ସେମାନେ କହନ୍ତି ଯେ ଏହାକୁ କେତେକ ନିର୍ଦ୍ଦିଷ୍ଟ ନିୟମାନୁସାରେ କରାଯିବା ଆବଶ୍ୟକ। ତାହା ନ ହେଲେ ଏହାର ପ୍ରତିକୂଳ ପ୍ରଭାବ ଶରୀର ଉପରେ ପଡ଼ିପାରେ। ଏହି ନୂଆ ‘ଥିଓରି’ ଅନୁସାରେ ଉପବାସ ଶରୀରର ପାଚନ ପ୍ରକ୍ରିୟାକୁ ସାମୟିକ କାଳ ଲାଗି ବନ୍ଦ ରଖି ଶରୀରକୁ ଏକ ବିଶ୍ରାମ ପ୍ରଦାନ କରିଥାଏ, ଯାହା ଶରୀରର ସୁସ୍ଥତା ଲାଗି ଅନିବାର୍ଯ୍ୟ। କିନ୍ତୁ ଅଧିକାଂଶ ଲୋକ ଉପବାସ କରିବା ବେଳେ କୌଣସି ନିୟମ ନ ମାନି ନିଜ ମନ ମୁତାବକ ନିର୍ଜଳା ବା ସଜଳା ଉପବାସ କରୁଥିବାରୁ ଅନେକ ସମୟରେ ରୋଗ ବା ଅସୁସ୍ଥତାର ଶିକାର ହୁଅନ୍ତି। ତେଣୁ ଉପବାସ କରିବା ପୂର୍ବରୁ ସର୍ବଦା ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାହା କରିବା ଉଚିତ। ବିଭିନ୍ନ ରୋଗର ଶିକାର ହୋଇଥିବା ଲୋକେ ଏ ନେଇ ଅଧିକ ସତର୍କ ରହିବା ଜରୁରୀ।
ମୋ: ୯୪୩୮୪୨୩୫୮୫