ପ୍ରତ୍ୟକ୍ଷ କର, ବିବାଦରୁ ବିଶ୍ବାସ ଯୋଜନା

ଦୀପକ ଅଗ୍ରୱାଲ

ଆୟକର ନିର୍ଦ୍ଧାରଣ ଓ ତତ୍ ସମ୍ପର୍କୀୟ ଅପିଲ ବ୍ୟବସ୍ଥା ଏକ ଜଟିଳ ଓ ସମୟ ସାପେକ୍ଷ ବ୍ୟାପାର। ଯଦିଓ ଭାରତବର୍ଷର ଆୟକର ବ୍ୟବସ୍ଥାରେ ଭରାଯାଉଥିବା ଆୟକର ରିଟର୍ଣ୍ଣର ଶତକଡ଼ା ୦.୩୫ ଭାଗ ରିଟର୍ଣ୍ଣ ଆୟକର ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯାଇ ନିର୍ଦ୍ଧାରଣ ଆଦେଶ ପାରିତ ହୋଇଥାଏ, ତଥାପି ସେଭଳି ନିର୍ଦ୍ଧାରଣ ଆଦେଶ ବିରୁଦ୍ଧରେ ଜଣେ ଆୟକର ଅଧିନିୟମ ୧୯୬୧ ଅନୁସାରେ କ୍ରମାନ୍ୱୟରେ ଆୟକର ଆୟୁକ୍ତ, ଆୟକର ଅପିଲ ଟ୍ରାଇବୁନାଲ, ହାଇକୋର୍ଟ ଏବଂ ପରିଶେଷରେ ଦେଶର ସର୍ବୋଚ୍ଚ ଅଦାଲତର ଆଶ୍ରୟ ନେବାର ସୁବିଧା ରହିଛି। ତେବେ ଏଭଳି ମାମଲାର ଶୁଣାଣିରେ ଅନେକ ସମୟ ଲାଗିଯାଏ। ଏକ ସର୍ଭେରୁ ଜଣାଯାଏ ଯେ ଗୋଟିଏ ମାମଲାର ଫଇସଲା ପାଇଁ ଆୟକର ଅପିଲ ଟ୍ରାଇବୁନାଲରେ ହାରାହାରି ୨ରୁ ୩ ବର୍ଷ ଏବଂ ହାଇକୋର୍ଟରେ ୫ରୁ ୮ ବର୍ଷ ସମୟ ଲାଗିଯାଏ। ସେହିଭଳି ସୁପ୍ରିମ୍ କୋର୍ଟରେ ଗୋଟିଏ ଅପିଲର ଫଇସଲା ପାଇଁ ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ଲାଗିଯାଇପାରେ। ତେଣୁ ଜଣେ କରଦାତାଙ୍କ ପାଇଁ ଆୟକର ସମ୍ବନ୍ଧୀୟ ବିବାଦର ସମାଧାନ କେବଳ ସମୟସାପେକ୍ଷ ନୁହେଁ, ବ୍ୟୟବହୁଳ ମଧ୍ୟ। ଯଦି ଜଣେ କରଦାତା ମକଦ୍ଦମା ଲଢ଼ି ପରିଶେଷରେ ସଂପୂର୍ଣ୍ଣ ରୂପେ ସଫଳ ନ ହୁଏ, ତେବେ ତାକୁ ମୂଳ କର ଛଡ଼ା ବର୍ଷକୁ ହାରାହାରି ୩୬ ପ୍ରତିଶତ ହାରରେ ସୁଧ ଦେବାକୁ ପଡ଼ିଥାଏ। ଏହା ଛଡ଼ା ଜୋରିମାନା ବାବଦରେ ଅନ୍ତିମ ବା ଅବଶେଷ କରର ଏକ ଗୁଣରୁ ୩ ଗୁଣ ପର୍ଯ୍ୟନ୍ତ ଦେବାକୁ ପଡ଼ିପାରେ। ସ୍ଥଳବିଶେଷରେ ଫୌଜଦାରୀ ମକଦ୍ଦମା କରାଯାଇ ଜେଲ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ଅର୍ଥାତ୍‌ ଅପିଲ କରି ଜଣେ ଆଂଶିକ ଭାବେ ମକଦ୍ଦମା ଜିତିଲା ପରେ ମଧ୍ୟ ତାକୁ ମୂଳ କର ଠାରୁ ଅଧିକ ରାଶି ଦେବାକୁ ପଡ଼ିପାରେ। ତା’ ଛଡ଼ା ମକଦ୍ଦମା ଲଢ଼ିବା ପାଇଁ ଓକିଲ ଫି’ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ମଧ୍ୟ ଉଠାଇବାକୁ ପଡ଼େ।

ଏକ ପରିସଂଖ୍ୟାନ ଅନୁଯାୟୀ ନଭେମ୍ବର ୩୦, ୨୦୧୯ ସୁଦ୍ଧା ଦେଶରେ ଆୟକର ସହ ଜଡ଼ିତ ୪.୮୩ ଲକ୍ଷ ଅପିଲ ମାମଲା ରହିଥିଲା ଯାହା ସହିତ ୯୩୨ ଲକ୍ଷ କୋଟି ଟଙ୍କାର ଅର୍ଥ ଜଡ଼ିତ। ଏହା ଭାରତର ଏକ ବର୍ଷର ସଂପୂର୍ଣ୍ଣ ଆୟକର ସଂଗ୍ରହର ପ୍ରାୟ ୭୫%। ଏହା ଅନସ୍ବୀକାର୍ଯ୍ୟ ଯେ ଆୟକର ବିବାଦ ଉଭୟ କରଦାତା ଓ ବିଭାଗ ପାଇଁ ଏକ ଜଟିଳ ଓ କଷ୍ଟକର ପରିସ୍ଥିତି ସୃଷ୍ଟି କରି ଉଭୟଙ୍କ ସମୟ, ଶକ୍ତି ଓ ସମ୍ପଦର ଅପଚୟ କରିଥାଏ। ଆୟକର ବିଭାଗ ପକ୍ଷରୁ କରଦାତାଙ୍କ ବିରୋଧରେ ମାମଲା ସଂଖ୍ୟା ହ୍ରାସ କରିବା ପାଇଁ ଅପିଲ କରିବାର ସର୍ବନିମ୍ନ ରାଶିକୁ ସମୟ ସମୟରେ ବୃଦ୍ଧି କରାଯାଉଛି। ଏହାଛଡ଼ା ଆୟକର ସେଟଲମେଣ୍ଟ କମିସନ ବ୍ୟବସ୍ଥା ଅନୁଯାୟୀ ଆପୋସ ସମାଧାନର ବ୍ୟବସ୍ଥା ମଧ୍ୟ ରହିଛି। ଏହି ବ୍ୟବସ୍ଥାରେ ଜୋରିମାନା ଓ ଫୌଜଦାରୀ ମକଦ୍ଦମାରେ ଫସିବାକୁ ପଡ଼େ ନାହିଁ। କିନ୍ତୁ ଜୀବନକାଳ ମଧ୍ୟରେ ଜଣେ ଥରେ ମାତ୍ର ଏହି ସୁବିଧା ହାସଲ କରିପାରିବ। ଏଥିରେ କର ସୀମା ୫୦ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବାରୁ ଛୋଟ କରଦାତାଙ୍କ ପକ୍ଷେ ଏହି ବ୍ୟବସ୍ଥାର ଲାଭ ନେବା ମଧ୍ୟ ଅସମ୍ଭବ।

କରଦାତାଙ୍କ ତରଫରୁ ଆୟକର ଅପିଲ ଓ କୋର୍ଟ ମାମଲାଗୁଡ଼ିକର ସଂଖ୍ୟା ହ୍ରାସ ପାଇଁ ଭାରତ ସରକାର ‘ପ୍ରତ୍ୟକ୍ଷ କର ବିବାଦରୁ ବିଶ୍ବାସ ଆଇନ-୨୦୨୦’ର ପରିକଳ୍ପନା କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ଯୋଜନା ସବୁ ବର୍ଗର ଆୟ କରଦାତାଙ୍କ ପାଇଁ ଉପଲବ୍‌ଧ ହେବ। ତେବେ କଳାଟଙ୍କା ନିରୋଧ ଆଇନ ଓ ବେନାମୀ କାରବାର ବିରୋଧୀ ଆଇନରେ ସମ୍ପୃକ୍ତ ମାମଲାଗୁଡ଼ିକ ଏହି ଯୋଜନାର ଲାଭ ନେଇପାରିବେ ନାହିଁ। କୋଭିଡ୍ ମହାମାରୀ ଯୋଗୁଁ ସରକାର କର ଦେୟ ଦେବାର ସମୟସୀମାକୁ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଯଦି ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ଆୟକର ପରିମାଣ ପୈଠ ନ କରନ୍ତି ତେବେ ଅପ୍ରେଲରୁ ୨୦୨୧ ଜୁନ୍‌ ୩୦ ଭିତରେ ବିବାଦୀୟ ମୂଳ କର ଉପରେ ୧୦ ଶତକଡ଼ା ଅଧିକ ରାଶି ଏବଂ ଜୋରିମାନା ଦେୟ ଉପରେ ୫ ପ୍ରତିଶତ ଅଧିକ ଦେୟ ଭରିବାକୁ ହେବ। ଏହି ନୂତନ ସରଳୀକୃତ, ସହଜ ଓ ଖର୍ଚ୍ଚ ସୁଲଭ ବ୍ୟବସ୍ଥା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ଏବଂ ବିବାଦମୁକ୍ତ ।ଏହା କରଦାତାଙ୍କ ପାଇଁ ଏକ ସୁନ୍ଦର ସୁଯୋଗ। ଯୋଜନା ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ସରକାର ନୋଟିଫିକେସନକୁ ଅନୁସରଣ କରାଯାଇପାରେ।

ଏଠାରେ ସ୍ମରଣଯୋଗ୍ୟ ଯେ ଗତ ବର୍ଷ ଭାରତ ସରକାର ବସ୍ତୁ ଓ ସେବା କର ବିଭାଗ ପାଇଁ ‘ସବକା ବିଶ୍ବାସ’ ନାମକ ଏକ ବିବାଦ ସମାଧାନ ସ୍କିମ୍ ଗତ ବର୍ଷ ସେପ୍ଟେମ୍ବରରୁ ଡିସେମ୍ବର ପର୍ଯ୍ୟନ୍ତ ଲାଗୁ କରିଥିଲେ, ଯେଉଁଥିରେ ୧.୮୯ ଲକ୍ଷ ବସ୍ତୁ ଓ ସେବା କର ସମ୍ବନ୍ଧୀୟ ବିବାଦ ସମାପ୍ତ କରାଯାଇଥିଲା। ଏବେ ‘ବିବାଦରୁ ବିଶ୍ବାସ’ ଯୋଜନା ମାଧ୍ୟମରେ ଅଧିକ ସଂଖ୍ୟକ ଆୟକର ବିବାଦ ମାମଲାର ସମାଧାନ ହେବାର ଲକ୍ଷ୍ୟ ରଖାଯାଇଛି। ୧୭ ନଭେମ୍ବର ଯାଏଁ ଏହି ଯୋଜନାରେ ୪୫୫୫ଟି ଆବେଦନ ଗ୍ରହଣ କରାଯାଇ ୭୨,୪୮୦ କୋଟି ଟଙ୍କା ଆଦାୟ ହୋଇଛି। ବିଶ୍ବବ୍ୟାପୀ କରୋନା ସଂକଟ ଯେ କେବଳ ଲକ୍‍ଡାଉନ୍ ବା ସଟ୍‍ଡାଉନ୍ ଜନିତ ବିପର୍ଯ୍ୟୟ ସୃଷ୍ଟି କରିଛି ତା’ ନୁହେଁ, ଜୀବନ ଜୀବିକା ଓ ଦେଶର ଆର୍ଥିକ ପ୍ରଗତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି। ଆର୍ଥିକ ସ୍ଥିତି ଓ ଜୀବନଧାରଣର ମାନରେ ଉନ୍ନତି ତଥା ଅର୍ଥନୀତିକୁ ସ୍ବାଭାବିକ ବିକାଶ ଧାରାକୁ ଆଣିବା ପାଇଁ ସରକାର ଓ ରିଜର୍ଭ ବ୍ୟାଙ୍କ ଅନେକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏ ସମୟର ଆହ୍ବାନ ହେଉଛି କର ବିବାଦରେ ନିଜର ସମୟ ଓ ସମ୍ବଳ ନଷ୍ଟ ନ କରି ସ୍ବଳ୍ପ ବ୍ୟୟରେ ଏହାର ସମାଧାନ କରିବା ଓ ସରକାରଙ୍କୁ ଯଥୋଚିତ ସମ୍ବଳ ଯୋଗାଇଦେବା। କରଦାତାଙ୍କୁ ଚାର୍ଟାଡ୍ ଆକାଉଣ୍ଟାଣ୍ଟ ଓ ଟ୍ୟାକ୍‌ସ ପ୍ରାକ୍ଟିସନର୍‍ମାନଙ୍କ ପରାମର୍ଶ ଓ ବିଭାଗୀୟ କର୍ମଚାରୀଙ୍କ ସହାୟତା ମିଳିପାରିଲେ କର ବିବାଦର ବିନାଶ ଓ ଦେଶର ବିକାଶରେ ଏହି ଯୋଜନା ସଫଳ ଭୂମିକା ନିଭାଇବ, ଏଥିରେ କୌଣସି ସନ୍ଦେହ ନାହିଁ।
ଭୁବନେଶ୍ୱର

ସମ୍ବନ୍ଧିତ ଖବର