ବ୍ରହ୍ମଜ୍ଞାନ

ସୋମବାର ଦିନ ପ୍ରସିଦ୍ଧ ଆନ୍ତର୍ଜାତିକ ନିବେଶ ବ୍ୟାଙ୍କ୍ ‘ଗୋଲ୍‌ଡମ୍ୟାନ୍ ସାକ୍‌ସ’ ଏକ ଗୁରୁତ୍ବପୂର୍ଣ୍ଣ ସତର୍କବାଣୀ ଶୁଣାଇଛି ଯେ ଭାରତ ସ୍ବାଧୀନତା ପରବର୍ତ୍ତୀ ସମୟରେ ତା’ର ଗଭୀରତମ ଅର୍ଥନୈତିକ ଶିଥିଳ ଅବସ୍ଥା ବା ‘ରିସେସନ୍’ ଦିଗରେ ମୁହାଁଇଛି। ଏହାର ଅଂଶ ସ୍ବରୂପ ଆର୍ଥିକ ବର୍ଷର ଦ୍ବିତୀୟ ଚଉଠରେ ଦେଶର ମୋଟ ବାର୍ଷିକ ଉତ୍ପାଦ ବା ‘ଜିଡିପି’ରେ ପ୍ରଥମ ଚଉଠ ତୁଳନାରେ ବାର୍ଷିକ ୪୫ ଶତାଂଶ ସଂକୋଚନ ଘଟିବାକୁ ଯାଉଛି। ଯାହା ଘୋର ଚିନ୍ତାଜନକ, ତାହା ହେଲା ‘ଗୋଲ୍‌ଡମ୍ୟାନ୍ ସାକ୍‌ସ’ ଏଥିପୂର୍ବରୁ ପ୍ରକାଶ କରିଥିବା ପୂର୍ବାନୁମାନ ଅନୁସାରେ ଏହି ସଂକୋଚନ ହାର ଏହାର ଅଧାରୁ କିଛି କମ୍- ୨୦ ଶତାଂଶ ହେବ ବୋଲି ଅନୁମାନ କରିଥିଲା।

ଯଦିବା ନିକଟ ଅତୀତରେ ଦେଶର ଅର୍ଥନୀତି ଏକ ମାନ୍ଦା ଅବସ୍ଥା ଦେଇ ଗତି କରି ଆସୁଥିଲା, ବର୍ତ୍ତମାନର ଏହି ଅସ୍ବାଭାବିକ ସ୍ଖଳନର କାରଣ କ’ଣ ତାହା ଅର୍ଥନୀତିଜ୍ଞ, ଅଣଅର୍ଥନୀତିଜ୍ଞ- ସମସ୍ତଙ୍କୁ ଜଣା: ଚୀନା କରୋନାର ଆକ୍ରମଣ ଯୋଗୁଁ ବନ୍ଦ ହୋଇଯାଇଥିବା ଦେଶବ୍ୟାପୀ ଅର୍ଥନୈତିକ କାର୍ଯ୍ୟକଳାପ। ଏବେ କରୋନା ଡରକୁ ଖାତିର ନକରି ଧୀରେ ଧ‌ୀରେ ଲକ୍‌ଡାଉନ୍‌ରୁ ବାହାରି ଦେଶବାସୀ ପୁଣି ଅର୍ଥନୀତିକୁ ଭିଡ଼ି ଉପରକୁ ଉଠାଇବା ପାଇଁ ଲାଗି ପଡ଼ିବାକୁ ଆରମ୍ଭ କଲେଣି; କିନ୍ତୁ ଏପରି ଏକ ଗଭୀର ଗାତ ଭିତରୁ ଅର୍ଥନୀତିକୁ ଉଠାଇବା ପାଇଁ ସେମାନେ ତାତ୍‌କାଳିକ ସାହାଯ୍ୟ ସହଯୋଗ ଆବଶ୍ୟକ କରୁଛନ୍ତି ଏବଂ ଏ ସହାୟତା କେବଳ ଗୋଟିଏ ମାତ୍ର ସଂସ୍ଥା ଯୋଗାଇ ଦେଇ ପାରିବ: ସରକାର।

ଗତ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ କରୋନାର ମୁକାବିଲା ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଏକ ‘ଷ୍ଟିମ୍ୟୁଲସ୍ ପ୍ୟାକେଜ୍’ ଘୋଷିତ ହେବାକୁ ଯାଉଛି ବୋଲି ଆଶା ଦେଖାଇଲେ, ଦେଶବାସୀ ସତୃଷ୍ଣ ନୟନରେ ଏହାର ପରବର୍ତ୍ତୀ ପରିଣତିକୁ ସଙ୍ଖୋଳିବା ପାଇଁ ଅପେକ୍ଷା କରି ରହିଥିଲେ। କିନ୍ତୁ ତା’ପରେ ଲୋକଙ୍କ ଧୈର୍ଯ୍ୟ ପରୀକ୍ଷା କରିବା ଭଳି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ପର ପର ପାଞ୍ଚଟି ସୁଦୀର୍ଘ, ବିରକ୍ତିଉଦ୍ରେକକାରୀ, ଅବୋଧ୍ୟ ପ୍ରାୟ ଉପସ୍ଥାପନାରେ ଯେଉଁ ସବୁ ପଦକ୍ଷେପମାନ ଘୋଷଣା କଲେ ସେ ଗୁଡ଼ିକୁ ଆଉ ଯାହା ବୋଲି ବର୍ଣ୍ଣନା କରାଯାଇପାରେ, କିନ୍ତୁ କେହି ବି ‘ଷ୍ଟିମ୍ୟୁଲସ୍’ ବୋଲି କହିପାରିବ ନାହିଁ।

ରୋଗୀ ଦେହରେ ଖଇଫୁଟା ତାତି ଥିବା ବେଳେ ଡାକ୍ତର ତତ୍‌କ୍ଷଣାତ୍ ତାତି ଖସାଇବା ପାଇଁ ପାରାସେଟାମଲ୍ ଏବଂ ଜୀବାଣୁ ମାରିବାକୁ ଆଣ୍ଟିବାୟୋଟିକ୍ ଦେବା ପରିବର୍ତ୍ତେ ତାକୁ ସୁଷମ ଖାଦ୍ୟ ଖାଇବାକୁ, ବ୍ୟାୟାମ, ଯୋଗ ଆଦି ଅଭ୍ୟାସ କରିବାକୁ ଉପଦେଶ ଦେବା ଓ ସେ ସବୁ ଭବିଷ୍ୟତରେ ମିଳିବ ବୋଲି ପ୍ରତିଶ୍ରୁତି ଦେବା ଯାହା, ଅର୍ଥନୀତିର ଜ୍ବର ଉପଶମ ପାଇଁ ନିର୍ମଳା ସୀତାରାମନ୍ ଘୋଷଣା କରିଥିବା ପାଞ୍ଚ ଦଫା ପ୍ୟାକେଜ୍ ହେଉଛି ତାହା। ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ରବିବାର ନିର୍ମଳାଙ୍କ ଶେଷ ଦଫା ଘୋଷଣା ପରେ ସୋମବାର ଦିନ ଏହା ଲେଖା ହେବା ବେଳକୁ ଏଥି ପ୍ରତି ଅସନ୍ତୋଷ ପ୍ରକାଶ ସ୍ବରୂପ ବମ୍ବେ ସେଆର୍ ବଜାରର ସେନ୍‌ସେକ୍‌ସରେ ପ୍ରାୟ ୧,୦୦୦ ପଏଣ୍ଟ ସ୍ଖଳନ ଘଟି ସାରିଲାଣି।

କେବଳ ଭାରତୀୟ ଅର୍ଥନୀତି ନୁହେଁ, ପୃଥିବୀର ଅଧିକାଂଶ କରୋନାଗ୍ରସ୍ତ ଅର୍ଥନୀତି ବର୍ତ୍ତମାନ ଯେଉଁଭଳି ‘ଷ୍ଟିମ୍ୟୁଲସ୍’ ଆବଶ୍ୟକ କରୁଛନ୍ତି, ସେ ସମ୍ବନ୍ଧରେ ସର୍ବପ୍ରଥମେ ଇଶାରା ଦେଇଥିବା ଅର୍ଥନୀତିଜ୍ଞ ହେଉଛନ୍ତି ସର୍ବକାଳୀନ ମହାନ ଅର୍ଥନୀତିଜ୍ଞ ଜନ୍ ମେନାର୍ଡ‌୍ କିନ୍‌ସ। ଏହି ବ୍ରିଟିସ୍ ଅର୍ଥନୀତିଜ୍ଞ ଠଉରାଇ ପାରିଥିଲେ ଯେ ମାନ୍ଦା ଅବସ୍ଥା ହେଉଛି ପୁଞ୍ଜିବାଦୀ ଉଦାରପନ୍ଥୀ ଅର୍ଥବ୍ୟବସ୍ଥାର ଏକ ସହଜାତ ବ୍ୟାଧି ଏବଂ ଅସ୍ବାଭାବିକ ସମୟରେ ଏହି ବ୍ୟାଧି ଉତ୍କଟ ଆକାର ଧାରଣ କରିଥାଏ- ଯେମିତି ଘଟିଛି ଏବେ ଚୀନା-କରୋନା ଜନିତ ପାଣ୍ଡେମିକ୍ ଘାରିଥିବା ଭାରତ ସମେତ ପୃଥିବୀରେ, ଏବଂ ଯେମିତି ଘଟିଥିଲା ଦୁଇ ବିଶ୍ବଯୁଦ୍ଧ ମଧ୍ୟବର୍ତ୍ତୀ ସମୟରେ ଆମେରିକା ଓ ୟୁରୋପ୍‌ରେ।

କିନ୍‌ସଙ୍କର ସର୍ବଶ୍ରେଷ୍ଠ କୃତି, ‘ଦି ଜେନେରାଲ୍ ଥିଓରି ଅଫ୍ ଏମ୍ପ୍ଲଏମେଣ୍ଟ୍, ଇଣ୍ଟେରେଷ୍ଟ୍ ଆଣ୍ଡ୍ ମନି’ ଏକ କ୍ଲିଷ୍ଟ ପୁସ୍ତକ ହୋଇଥିଲେ ହେଁ, ବର୍ତ୍ତମାନର ପରିସ୍ଥିତି ପ୍ରତି ପ୍ରଯୁଜ୍ୟ ଏଥିରେ ଥିବା ତାଙ୍କ ଉପଦେଶର ସାରମର୍ମ ହେଉଛି ଅତ୍ୟନ୍ତ ସରଳ ଓ ସିଧାସଳଖ: ଏଭଳି ସମୟରେ ସରକାର ସିଧାସଳଖ ଦେଶର ମୋଟ ଚାହିଦା ଓ ଲୋକମାନଙ୍କର କ୍ରୟ ଶକ୍ତିର ପରିଚାଳନା କରିବା ଆବଶ୍ୟକ। ସରକାରଙ୍କର ଅର୍ଥନୀତିରେ ଏଭଳି ସିଧାସଳଖ ହସ୍ତକ୍ଷେପକୁ ତୀବ୍ର ଉଦାରପନ୍ଥୀ ମାନେ ବିରୋଧ କରିଥାନ୍ତି (ଅର୍ଥନୀତିଜ୍ଞ ହାୟେକ୍ କିମ୍ବା ଫ୍ରିଡ୍‌ମ୍ୟାନ୍‌ଙ୍କ ଭଳି), କିନ୍ତୁ ଏଇ ନିକଟ ଅତୀତରେ ୨୦୦୭-୦୮ରେ ବିଶାଳ ବିତ୍ତୀୟ ସଂକଟର ମୁକାବିଲା ପାଇଁ ଅନେକ ପାଶ୍ଚାତ୍ୟ ରାଷ୍ଟ୍ର ଏ ପର୍ଯ୍ୟନ୍ତ ଏହି କେନ୍‌ସିଆନ୍ ଉପଦେଶ ପାଳନ କରି ଚାଲିବା ଦେଖାଯାଇଛି। ଆମେରିକାରୁ ବ୍ରିଟେନ୍ ପର୍ଯ୍ୟନ୍ତ ବର୍ତ୍ତମାନ କରୋନା ମୁକାବିଲା ପାଇଁ ତାହା ହିଁ ଅବଲମ୍ବନ କରି ଦେଶବାସୀଙ୍କ ଆୟକୁ ଖସିବାକୁ ନ ଦେବା ପାଇଁ ପ୍ରତ୍ୟକ୍ଷ ପଦକ୍ଷେପ ନେବା ଦେଖାଯାଇଛି।

ଭାରତ ସରକାର ଆରମ୍ଭରେ ମଧ୍ୟ ସେଇଭଳି କିଛି ପଦକ୍ଷେପ ନେଇ ସମାଜର ଦୁର୍ବଳଶ୍ରେଣୀଙ୍କ ପାଖରେ କିଛି ସହାୟତା ପହଞ୍ଚାଇବା ଦେଖା ଯାଇଥିଲା। କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ଭଳି। ଦେଶର ସମସ୍ତ କ୍ଷେତ୍ରରେ ଚାହିଦାକୁ ସମ୍ଭାଳି ରଖିବା ପାଇଁ ବର୍ତ୍ତମାନ ଘୋଷଣା କରାଯାଇଥିବା ପ୍ୟାକେଜ୍‌ ମାନଙ୍କରେ ଏକ ବ୍ୟାପକ ତତ୍‌କ୍ଷଣାତ୍ ଆୟବୃଦ୍ଧିକାରୀ ପଦକ୍ଷେପ ନିଆଯିବ ବୋଲି ସମସ୍ତେ ଆଶା କରୁଥିଲେ। କିନ୍ତୁ ଶେଷରେ ଯାହା ଦେଖାଗଲା, ତାହା ହେଉଛି ଅନେକଗୁଡ଼ିଏ ସୁଦୂରପ୍ରସାରୀ ସଂସ୍କାର କାର୍ଯ୍ୟକ୍ରମ- କୋଇଲା ଘରୋଇକରଣରୁ କୃଷିଜାତ ଦ୍ରବ୍ୟ ପ୍ରତ୍ୟକ୍ଷ ବିପଣନ ପର୍ଯ୍ୟନ୍ତ। ଏ ଗୁଡ଼ିକ ସମସ୍ତ ଅତ୍ୟନ୍ତ ଉପ‌ାଦେୟ; କିନ୍ତୁ ଏ ସମୟରେ ସେ ସବୁ ଶୁଣାଇବା ହାଟ ମଧ୍ୟରେ ବ୍ରହ୍ମଜ୍ଞାନ ଶୁଣାଇବା ଭଳି। ମାନ୍ଦା ଅବସ୍ଥାରୁ ମୁକୁଳିବା ପାଇଁ ସେଗୁଡ଼ିକର କୌଣସି ତାତ୍‌କାଳିକ ଉପଯୋଗିତା ନାହିଁ।

ଅପରପକ୍ଷେ ସରକାରଙ୍କର ଅଧିକାଂଶ ପ୍ୟାକେଜ୍ ଋଣ ଉପରେ ପ୍ରତିଷ୍ଠିତ। ସବୁ କ୍ଷେତ୍ରରେ ଶିଳ୍ପ ବ୍ୟବସାୟମାନେ ଶସ୍ତାରେ ଋଣ ପାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏକରେ, ଏହା ଫଳବତୀ ହେବା ପାଇଁ ସମୟ ଲାଗିବ ଏବଂ ଦୁଇରେ ଋଣ ଉପଯୋଗ କରି ଯେଉଁ ଉତ୍ପାଦନ କରାଯିବ, ତାହା ପାଇଁ ତତ୍‌କ୍ଷଣାତ୍ ଚାହିଦା କାହିଁ! ଫଳ ହେବ, ପୁଣି ଅନେକ ଗୁଡ଼ିଏ ଦେବାଳିଆ ବ୍ୟବସାୟର ଆବିର୍ଭାବ ଘଟିବ। ଏବେ ବି ବେଳ ଅଛି- ଅତି ଉତ୍ତମ ସଂସ୍କାର ମାନ କାର୍ଯ୍ୟକାରୀ ହେଉ, କିନ୍ତୁ ସରକାର ସିଧାସଳଖ ଅର୍ଥ ହସ୍ତାନ୍ତର କରି ଦେଶର ଆୟ ଓ ଚାହିଦା ବୃଦ୍ଧି କରନ୍ତୁ।

ସମ୍ବନ୍ଧିତ ଖବର