ରାହୁଳଙ୍କ ମା˚ସପେଶୀ

ଭାରତର ଜନସ˚ଖ୍ୟାର ୬୫ ପ୍ରତିଶତ ହେଉଛନ୍ତି ଯୁବ ବର୍ଗ, ଯେଉଁମାନଙ୍କ ହାରାହାରି ବୟସ ୩୫ ବର୍ଷ ତଳେ। କେନ୍ଦ୍ର ନିର୍ବାଚନ କମିସନଙ୍କ ଦ୍ବାରା ପ୍ରଦତ୍ତ ଏକ ସୂଚନା ଅନୁସାରେ କେବଳ ୨୦୧୯ ମସିହାରେ ଅଠର ବର୍ଷ ବୟସ ଅତିକ୍ରମ କରି ନୂତନ ଭୋଟର ହେବାର ଯୋଗ୍ୟତା ଲାଭ କରିଥିବା ଯୁବକଯୁବତୀଙ୍କ ସ˚ଖ୍ୟା ଥିଲା ୪୫ ନିୟୁତ। ସେହି ଦୃଷ୍ଟିରୁ ନିଃସନ୍ଦେହରେ କୁହାଯାଇ ପାରେ ଯେ ଭାରତୀୟ ରାଜନୈତିକ ନେତୃତ୍ବର ଭାଗ୍ୟ ପରିବର୍ତ୍ତନ କରିବାରେ ଏହି ବର୍ଗର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ସର୍ବଦା ରହିବ। କିନ୍ତୁ, ଏକ ବିରୋଧାଭାସ ହେଲା ‘ଇଣ୍ତିଆ ଟୁଡେ’ ଦ୍ବାରା କରାଯାଇଥିବା ଏକ ତର୍ଜମା ଅନୁସାରେ ୧୯୯୯ ଠାରୁ ୨୦୧୯ ପର୍ଯ୍ୟନ୍ତ କୋଡ଼ିଏ ବର୍ଷର ଅବଧି ମଧୢରେ ‘ତରୁଣ ଭାରତ’ରେ ସ˚ସଦକୁ ପ୍ରବେଶ କରିଥିବା ଜନପ୍ରତିନିଧିମାନଙ୍କ ହାରାହାରି ବୟସ ୫୦ ବର୍ଷରୁ ଅଧିକ। ବିଧାୟକମାନଙ୍କ ସ˚ଦର୍ଭରେ ମଧୢ ସ୍ଥିତି ପ୍ରାୟ ସମତୁଲ। ସୁତରା˚, ଭାରତୀୟ ରାଜନୀତିରେ ସ୍ବାଭାବିକ ଭାବେ ଜଣେ ନେତା ବୋଇଲେ ଯେଉଁ ଚିତ୍ର ମାନସପଟରେ ଆବିର୍ଭୂତ ହୋଇଥାଏ, ତାହା ଜଣେ ତରୁଣର ହେବା ବଦଳରେ ‘ବୟୋବୃଦ୍ଧ’ଙ୍କର ହୋଇଥାଏ। ତେବେ, ଅନେକଙ୍କ ମତରେ ଏଭଳି ହେବା ସ୍ବାଭାବିକ; କାରଣ ନେତୃତ୍ବ ପ୍ରଦାନ କରିବା ଲାଗି ଯେଉଁ ଅଭିଜ୍ଞତା ପ୍ରସୂତ ପରିପକ୍ବତା ଆବଶ୍ୟକ, ତାହା ତରୁଣ ବର୍ଗ ଠାରେ ଅନୁପସ୍ଥିତ। କିନ୍ତୁ ଏହାକୁ ଖଣ୍ତନ କରୁଥିବା ଭଳି ଯେଉଁ ତର୍କ ରହିଛି, ତାହା ପ୍ରଶ୍ନ କରିଥାଏ ଯେ ଯଦି ସ˚ପ୍ରତି ପୃଥିବୀର ପ୍ରାୟ ସମସ୍ତ ଅତିକାୟ ବ୍ୟବସାୟ ସ˚ସ୍ଥାଗୁଡ଼ିକର ପ୍ରତିଷ୍ଠାତା ବା ‘ମୁଖ୍ୟ ପରିଚାଳକ’ ରୂପେ ପ୍ରବୀଣଙ୍କ ବଦଳରେ ତରୁଣଙ୍କୁ ଦେଖିବାକୁ ମିଳୁଛି ଏବ˚ ସେମାନଙ୍କ ନେତୃତ୍ବରେ ସେହି ଅନୁଷ୍ଠାନଗୁଡ଼ିକ କି˚ବଦନ୍ତୀୟ ଉଚ୍ଚତା ସ୍ପର୍ଶ କରୁଛନ୍ତି, ତେବେ ରାଷ୍ଟ୍ର ପରିଚାଳନାରେ ତରୁଣ ନେତୃତ୍ବ ଅଧିକ ଦୃଶ୍ୟମାନ ହେବା ଉଚିତ ନୁହେଁ କାହିଁକି? ସଂପ୍ରତି ଏଭଳି ଏକ ପ୍ରଶ୍ନ ଲାଗି ଯାହା ଏକ ଅବକାଶ ସୃଷ୍ଟି କରିଛି, ତାହା ହେଲା ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓ ଯହିଁରେ ଦେଖିବାକୁ ମିଳିଛି କିଭଳି ତାମିଲନାଡୁରେ ନିର୍ବାଚନ ଲାଗି ପ୍ରଚାର କରୁଥିବା ବେଳେ ଜଣେ ଛାତ୍ରଙ୍କ ଆହ୍ବାନକୁ ସ୍ବୀକାର କରି ‘ବୁସ୍‌ ସାର୍ଟ, ଫୁଲ୍‌ ପ୍ୟାଣ୍ଟ୍‌ ଓ ଜୋତା’ ପରିହିତ କ˚ଗ୍ରେସ ନେତା ରାହୁଳ ଗାନ୍ଧୀ ତତ୍କାଳ ଚଉଦଟି ‘ଦଣ୍ତ’ (‘ପୁସଅପ୍‌’) ଏବ˚ ଗୋଟିଏ ଅତ୍ୟନ୍ତ କଷ୍ଟସାଧୢ ଏକହାତୀ ‘ଦଣ୍ତ’ ନିଖୁଣ ଭାବେ ମାରିବାରେ ସଫଳ ହୋଇଚନ୍ତି। କହିବା ବାହୁଲ୍ୟ ଯେ ଏଥିଲାଗି ସେ ଅନେକ ରାଜନୈତିକ କଟାକ୍ଷର ଶରବ୍ୟ ହୋଇଛନ୍ତି, ଯହିଁରେ ଶୁଣିବାକୁ ମିଳିଛି ଯେ କ˚ଗ୍ରେସ ଦଳରେ ସ୍ଥିତି ଘର ବୁଡ଼ି ପାଣି ଆଣ୍ଠୁଏ ହେଲା ବେଳକୁ ରାହୁଳଙ୍କ ମା˚ସପେଶୀ ପ୍ରଦର୍ଶନ ଏକ ନିରୋଳା ପିଲାଳିଆମି। କିନ୍ତୁ ଏହା ମଧୢ ସତ ଯେ ରାହୁଳ ଗାନ୍ଧୀଙ୍କ ଏଭଳି ଆଚରଣକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ମଧୢ ଦେଖା ଯାଇପାରେ।

ଏଠାରେ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା ଭାରତର ସ˚ସଦ ଓ ବିଧାନ ଗୃହଗୁଡ଼ିକ ମୂଳରୁ ବରିଷ୍ଠତା ଓ ଗାମ୍ଭୀର୍ଯ୍ୟର ପ୍ରତୀକ ପୀଠ ହୋଇ ରହି ଆସିଛି। ସେହି କାରଣରୁ ସେଠାରେ ପ୍ରଚଳିତ ଏକ ଅଲିଖିତ ‘ଡ୍ରେସ୍‌ କୋଡ୍‌’ ଭାବେ ଯାହା ଏ ଯାବତ୍‌ ପ୍ରଚଳିତ ତାହା ହେଉଛି ଖଦି ଏବ˚ ଧବଳ ବର୍ଣ୍ଣର ଆଡ଼ମ୍ବରଶୂନ୍ୟ ପୋଷାକ, ଯହିଁରେ ତାରୁଣ୍ୟର ବର୍ଣ୍ଣବିଭା ପରିଲକ୍ଷିତ ହୋଇ ନ ଥାଏ। ଏପରି କି ରାଜନୀତିରେ ପାଦ ଦେବା ପୂର୍ବରୁ ଆଧୁନିକ ଶୈଳୀର ପୋଷାକ (ଜିନ୍‌ସ ଭଳି) ପରିଧାନ କରୁଥିବା ତରୁଣ ନେତାମାନେ ସା˚ସଦ ବା ବିଧାୟକ ଭାବେ ନିର୍ବାଚିତ ହୋଇଗଲା ପରେ ତାହା ପରିହାର କରି ନିରୀହ ଶ୍ବେତ ବର୍ଣ୍ଣର ଖଦି ପୋଷାକକୁ ଗ୍ରହଣ କରି ନିଅନ୍ତି। ଯଦିଓ ଶ୍ବେତ ବର୍ଣ୍ଣ ପବିତ୍ରତା, ସଚ୍ଚୋଟତା ଏବ˚ ପ୍ରବୁଦ୍ଧତାର ପ୍ରତୀକ ହୋଇଥାଏ ଏବ˚ ସ୍ବାଧୀନତା ଆନ୍ଦୋଳନ କାଳରୁ ଖଦି ଭାରତୀୟ ଆତ୍ମନିର୍ଭରଶୀଳତାର ପ୍ରତୀକ ଭାବେ ରହି ଆସିଛି, କହିବା ଅନାବଶ୍ୟକ ଯେ ତହିଁରେ ଯୁବସୁଲଭ ଶକ୍ତି ବା ଉଦ୍ଦାମତାର ଚିହ୍ନ ଦୃଷ୍ଟିଗୋଚର ହୋଇ ନ ଥାଏ। ଏହି ପରିପ୍ରେକ୍ଷୀରେ ନିକଟରେ ‘ଅଲ ଜଜିରା’ ଟେଲିଭିଜନ ଚ୍ୟାନେଲ୍‌ରେ ପ୍ରସାରିତ ଏକ ସମ୍ବାଦ ପ୍ରଣିଧାନଯୋଗ୍ୟ, ଯହିଁରେ କୁହାଯାଇଥିଲା ଯେ ଭାରତୀୟ ସ˚ସଦରେ କେବଳ ମହିଳା ସା˚ସଦମାନେ ଆକର୍ଷଣୀୟ ବର୍ଣ୍ଣର ହସ୍ତତନ୍ତ ଶାଢ଼ି ପରିଧାନ କରି ସ˚ସଦ କକ୍ଷକୁ କିଛି ମାତ୍ରାରେ ମନୋହର କରିଥାଆନ୍ତି ଯାହା! ସୁତରା˚, ଏଭଳି ଏକ ସ୍ଥିତିରେ କେରଳର ଵୟନଦର ସା˚ସଦ ରାହୁଳ ଗାନ୍ଧୀଙ୍କ ଦ୍ବାରା କଷ୍ଟସାଧୢ ବ୍ୟାୟାମ ବା ଦୃଢ଼ ମା˚ସପେଶୀର ପ୍ରଦର୍ଶନକୁ ଅପରିପକ୍ବତା ଭାବେ ଅଭିହିତ କରାଯିବାରେ ବିସ୍ମିତ ହେବାର ବିଶେଷ କାରଣ ନାହିଁ। କିନ୍ତୁ ଏହାକୁ ଅତିକ୍ରମ କରି ଯଦି ତାଙ୍କ ଆଭିମୁଖ୍ୟର ନୂତନ ଅର୍ଥାନ୍ତର କରାଯାଏ, ତେବେ ହୁଏ’ତ ଏକ ନୂଆ ଦିଗର ଉନ୍ମୋଚନ ହୋଇପାରେ।

ସ˚ପ୍ରତି ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ନେତୃତ୍ବ ପ୍ରଦାନ କରୁଥିବା ଦକ୍ଷିଣପନ୍ଥୀ ‘ଶକ୍ତ ପୁରୁଷ’ ବା ‘ଆଲ୍‌ଫା ମେଲ୍‌’ମାନଙ୍କୁ ଦେଖିବାକୁ ମିଳୁଛି (ଇତି ମଧୢରେ ଅବଶ୍ୟ ଏହି ତାଲିକାରୁ ଡୋନାଲ୍‌ଡ ଟ୍ର˚ପ୍‌ ବାଦ୍‌ ପଡ଼ିଛନ୍ତି)। ସେହି ଦୃଷ୍ଟିରୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧୢ ଜଣେ ‘ଆଲ୍‌ଫା ମେଲ୍‌’ ଭାବେ ଅଭିହିତ କରାଯାଇଥାଏ। ଏହା ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିତ୍ବର ଟାଣ ପଣ ଆଡ଼କୁ ମୁଖ୍ୟତଃ ଇଙ୍ଗିତ କରାଯାଇଥାଏ। କିନ୍ତୁ ଏହା ସହିତ ଆଉ ଯାହା ଚର୍ଚ୍ଚାରେ ରହି ତାଙ୍କ ଲାଗି ଜଣେ ଶକ୍ତିଶାଳୀ ସୁପୁରୁଷର ଭାବମୂର୍ତ୍ତି ସୃଷ୍ଟି କରିଛି, ତାହା ହେଲା ତାଙ୍କର ‘ଛପନ ଇଞ୍ଚ’ ଚଉଡ଼ାର ପ୍ରଶସ୍ତ ଛାତି। ଏହା ମଧୢ ଜଣାଶୁଣା ଯେ ପ୍ରଧାନମନ୍ତ୍ରୀ ମୋଦୀ ନିୟମିତ ଯୋଗ ଏବ˚ ବ୍ୟାୟାମ ଅଭ୍ୟାସ କରି ସତୁରି ବର୍ଷ ବୟସରେ ମଧୢ ନିଜକୁ ଶାରୀରିକ ଭାବେ ସ୍ପୂର୍ତ୍ତିବାନ ଓ ଶକ୍ତିଶାଳୀ କରି ରଖିବାରେ ସକ୍ଷମ ହୋଇଛନ୍ତି। ସେହି ଦୃଷ୍ଟିରୁ ରାହୁଳ ଗାନ୍ଧୀଙ୍କ ବ୍ୟାୟାମ ଦ୍ବାରା ହୁଏ’ତ ଏହା ବୁଝା ପଡ଼ିଥାଏ ଯେ ଶାରୀରିକ ଶକ୍ତି ଦୃଷ୍ଟିରୁ ସେ ମଧୢ କିଛି ଊଣା ନୁହନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଉ ଏକ ଭାଇରାଲ ଭିଡିଓରେ ସେ ପରିଧାନ କରିଥିବା ଏକ ଚିପା ପୋଷାକ ତଳୁ ତାଙ୍କ ଉଦର ସ୍ଥାନରେ ପରିସ୍ଫୁଟ ହୋଇଥିବା ‘ତିନି ଯୋଡ଼ା ମା˚ସପେଶୀ’(‘ସିକ୍‌ସ ପ୍ୟାକ୍‌ ଆବ୍‌’ ଯାହାକୁ ହାସଲ କରିବା ଲାଗି ପୃଥିବୀ ସାରା ତରୁଣ ବର୍ଗ ଏବେ ପାଗଳ ପ୍ରାୟ ଉନ୍ମାଦଗ୍ରସ୍ତ)କୁ ଠଉରାଇ ପାରି ଅଲି˚ପିକ୍‌ ପଦକ ବିଜେତା ଭାରତୀୟ ମୁଷ୍ଟିଯୋଦ୍ଧା ବିଜୟେନ୍ଦ୍ର ସି˚ହ ଆତ୍ମହରା ହୋଇ ଏକ ଟୁଇଟ୍‌ରେ କହିଛନ୍ତି-‘ଏକ ମୁଷ୍ଟିଯୋଦ୍ଧାସୁଲଭ ଟାଣୁଆ ଉଦର ସ୍ଥଳ। ସାହସୀ, ଫିଟ୍‌ ତରୁଣ ଜନନେତା ରାହୁଳ ଗାନ୍ଧୀ।’

ତେବେ ଏ ପ୍ରସଙ୍ଗରେ ଯାହା ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ ତାହା ହେଲା ପ୍ରସିଦ୍ଧ େଵବ୍‌ ପତ୍ରିକା ‘ଏଚ ଡବ୍ଲ୍ୟୁ ନିଉଜ’ର ମୁଖ୍ୟ ସ˚ପାଦକ ସୁଜିତ ନାୟାରଙ୍କ ଦ୍ବାରା ଏ ସଂପର୍କ‌େର ପ୍ରଦତ୍ତ ମନ୍ତବ୍ୟ ଯାହା କହିଥାଏ ଯେ ନରେନ୍ଦ୍ର ମୋଦୀଙ୍କୁ ଅତିକ୍ରମ କରିବା ଲାଗି ରାହୁଳ ଗାନ୍ଧୀ ଯଦି ଆଉ ଜଣେ ‘ଅଧିକ ଉତ୍ତମ ନରେନ୍ଦ୍ର ମୋଦୀ’ ହେବାକୁ ଚାହୁଥାଆନ୍ତି, ତେବେ ତାହା ବୃଥା ପ୍ରୟାସରେ ପରିଣତ ହେବ। କାରଣ ରାହୁଳ ଗାନ୍ଧୀ ମୋଦୀ ନୁହନ୍ତି। ତେଣୁ ଭିଡିଓରେ ତାଙ୍କୁ ଯେଉଁ ଭଳି ରୂପେ ଦେଖିବାକୁ ମିଳିଛି, ତାହା ସମ୍ଭବତଃ ଜଣେ ‘ମୋଦୀ’ ହେବା ପରିବର୍ତ୍ତେ ଜଣେ ରାହୁଳ ଗାନ୍ଧୀ ହେବା ଦିଗରେ ସେ କରିଥିବା ଉଦ୍ୟମର ଅ˚ଶବିଶେଷ। ଉଲ୍ଲେଖଯୋଗ୍ୟ ଯେ ରାହୁଳ ଗାନ୍ଧୀଙ୍କ ବ୍ୟାୟାମର ଭିଡିଓ ଭାଇରାଲ ହେବା ପରେ ତାଙ୍କ ପ୍ରତି ଭାରତୀୟ ଯୁବ ଗୋଷ୍ଠୀଙ୍କ ଆଗ୍ରହ ଅଧିକ ବୃଦ୍ଧି ପାଇଛି। ଅବଶ୍ୟ, ଏହା କ˚ଗ୍ରେସ ଲାଗି ସହସା ଅଧିକ ଭୋଟ ଆଣି ଦେବା ବା ନିର୍ବାଚନରେ ଜିତାଇବା ଭଳି ସ୍ଥିତି ସୃଷ୍ଟି କରିବ ନାହିଁ; କିନ୍ତୁ ଏହା ଏକ ନୂତନ ରାଜନୈତିକ ଅଭିବ୍ୟକ୍ତିକୁ ଜନ୍ମ ଦେଇପାରେ, ଯହିଁରେ ଏକ ଯୁବ ନେତୃତ୍ବର ଲୋକପ୍ରତିମା ବା ‘ଆଇକନ୍‌’ ସୃଷ୍ଟି ଲାଗି ମାର୍ଗ ଉନ୍ମୋଚିତ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର