ଏହା ମଧ୍ୟ ସୁବିଦିତ ଯେ ଯୁକ୍ତରାଷ୍ଟ୍ର ଆମେରିକା ତା’ର ଶତ୍ରୁମାନଙ୍କୁ ନିଜ ଢଙ୍ଗରେ ଚିହ୍ନଟ କରି ଖୋଜି ଖୋଜି ହତ୍ୟା କରିଥାଏ ଏବଂ ସେଥି ଲାଗି ପୃଥିବୀର ପ୍ରାୟ ସବୁ ସାର୍ବଭୌମ ଦେଶରେ ଅନୁପ୍ରବେଶ କରି ସାରିଛି। କିନ୍ତୁ ପନ୍‌ନୁଙ୍କ ଭଳି ଭାରତର ଜଣେ ହିଂସ୍ର ଶତ୍ରୁକୁ ନିଜ ଭୂମିରେ ସୁରକ୍ଷା ପ୍ରଦାନ ଲାଗି ଉଦ୍‌ଗ୍ରୀବ ଥିବା ବେଳେ ଆମେରିକା ଆଦୌ ଆତ୍ମସମୀକ୍ଷା କରି ନ ଥାଏ। ଏହା ଶୁଦ୍ଧ କପଟାଚାର ଛଡ଼ା ଆଉ କିଛି ନୁହେଁ।

Advertisment

ଗଲା ଜୁନ୍‌ ମାସରେ ଯେଉଁ ଘଟଣାଟି ଘଟି ଭାରତ-କାନାଡା ସଂପର୍କକୁ ଖୁବ୍‌ ତିକ୍ତ କରି ପକାଇଛି; ଅନୁରୂପ ଘଟଣାଟିଏ ଏବେ ଯୁକ୍ତରାଷ୍ଟ୍ର ଆମେରିକାରେ ଘଟିଯିବା ପୂର୍ବରୁ ତାହାର ଫସର ଫଟାଇ ଦିଆଯାଇଛି ବୋଲି ଜଣାଇ ‘ଫାଇନାନ୍‌ସିଆଲ ଟାଇମ୍‌ସ’ରେ ପ୍ରକାଶିତ ଏକ ଖବର ପୁନରାୟ ଭାରତ ଲାଗି ଏକ ଅସ୍ବସ୍ତିକର ପରିସ୍ଥିତି ସୃଷ୍ଟି କରିଛି। ଅଧିକାଂଶଙ୍କ ସ୍ମରଣରେ ଥିବ ଯେ ଭାରତରେ ଜନ୍ମିତ କାନାଡୀୟ ନାଗରିକ ତଥା ଖଲିସ୍ତାନ ଗଠନର ଦୃଢ଼ ଦାବି କରୁଥିବା ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂହ ନିଜ୍‌ଜରଙ୍କ ହତ୍ୟାରେ ଭାରତ ସରକାରଙ୍କ ସିଧାସଳଖ ସଂପୃକ୍ତିର ଅଭିଯୋଗ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ସେଠାକାର ସଂସଦରେ ଆଣିଥିଲେ, ଯାହା ଫଳରେ ଭାରତ-କାନାଡା ସଂପର୍କ ସାଂଘାତିକ ଭାବେ ଦୁର୍ବଳ ହୋଇଯାଇଛି। ଆମେରିକାରେ ଘଟିବାକୁ ଯାଉଥିବା ଘଟଣାରେ ‘ଜଷ୍ଟିସ ଫର ଶିଖ୍‌ସ’ ନାମକ ସଂଗଠନର ପ୍ରତିଷ୍ଠାତା-ପରିଚାଳକ ଗୁରପତୱନ୍ତ ସିଂହ ପନ୍‌ନୁଙ୍କୁ ହତ୍ୟାର ଷଡ୍‌ଯନ୍ତ୍ର ବିଷୟ ସାମନାକୁ ଆସିଛି, ଯହିଁରେ ଭାରତ ସରକାରଙ୍କ ସଂପୃକ୍ତି ରହିଥିବା ବିଷୟ ଯୁକ୍ତରାଷ୍ଟ୍ର ଆମେରିକାର ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛନ୍ତି ବୋଲି ଫାଇନାନ୍‌ସିଆଲ ଟାଇମ୍‌ସରେ କୁହାଯାଇଛି; ଏବଂ ସେହି ରିପୋର୍ଟ ଅନୁସାରେ ଏ ସଂକ୍ରାନ୍ତରେ ଜଣେ ଗିରଫ ହୋଇଥିବା ବେଳେ ଏକ ବନ୍ଦ ଲଫାଫାରେ ଏ ସଂପର୍କିତ କିଛି ତଥ୍ୟ ଅଦାଲତରେ ଦାଖଲ କରାଯାଇଛି। ସେହି ଦୃଷ୍ଟିରୁ ଏକ ଧାରଣା ଜନ୍ମିପାରେ ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ଘଟିଥିବା ଘଟଣାଟି ହୁଏତ କାନାଡା ଦ୍ବାରା ହୋଇଥିବା ସାକ୍ଷ୍ୟ-ପ୍ରମାଣ ବିବର୍ଜିତ ଶୁଷ୍କ ଅଭିଯୋଗ ତୁଳନାରେ ଅଧିକ ବିଶ୍ବାସଯୋଗ୍ୟ! କିନ୍ତୁ, ସତ କହିଲେ ଏ ଘଟଣା ଦ୍ବୟ କିଭଳି ଏକ ବୃହତ୍ତର ପାଶ୍ଚାତ୍ୟ ଅଭିସନ୍ଧିର ଅଂଶ ହୋଇପାରେ, ତାହା ମଧ୍ୟ ଏକ କ୍ଷୁଦ୍ର ଆଲୋଚନା ସକାଶେ ଅବକାଶ ସୃଷ୍ଟି କରିଥାଏ।
ଏହି ପରିପ୍ରେକ୍ଷୀରେ କେତେକ ବିଶେଷଜ୍ଞ କହିଥାଆନ୍ତି ଯେ ରୁଷିଆ-ୟୁକ୍ରେନ ଏବଂ ଇସ୍ରାଏଲ୍‌-ହମାସ ଯୁଦ୍ଧ ସଂଦର୍ଭରେ ଭାରତ ପାଶ୍ଚାତ୍ୟ ବିଶ୍ବର ଅନ୍ଧ ଅନୁସରଣ ନ କରି ଏକ ସ୍ବତନ୍ତ୍ର ଦୃଷ୍ଟିଭଙ୍ଗୀ ଧାରଣ କରିବା ପାଶ୍ଚାତ୍ୟ ରାଷ୍ଟ୍ର ସମୂହ ବିଶେଷ କରି ଆମେରିକା ଲାଗି ଅତ୍ୟନ୍ତ ଅସ୍ବସ୍ତିକର ହୋଇଛି; କାରଣ ଭାରତକୁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତଥା ଘନିଷ୍ଠ ରଣନୈତିକ ସହଯୋଗୀ ରୂପେ ଆମେରିକା ବିଚାର କରିଥାଏ। ସେହି ଦୃଷ୍ଟିରୁ ଯୁଦ୍ଧ ସଂପର୍କରେ ଭାରତର ଭିନ୍ନ ମତ ଓ ଆମେରିକା ନେତୃତ୍ବରେ ରୁଷିଆ ଉପରେ ଜାରି କରାଯାଇଥିବା କଠୋର ଆର୍ଥିକ ବାସନ୍ଦକୁ ଭାରତର ଅମାନ୍ୟ ଆମେରିକା ଲାଗି ଅସ୍ବାଦୁକର ହୋଇଥିବା ସ୍ବାଭାବିକ, ଯେଉଁ କାରଣରୁ ଭାରତ ଉପରେ ଚାପ ସୃଷ୍ଟିର ଉଦ୍ୟମରେ ଏଭଳି ଆରୋପମାନର ଜନ୍ମ ହୋଇ ଥାଇପାରେ ବୋଲି ସେମାନେ ସନ୍ଦେହ କରନ୍ତି। ପ୍ରକାଶ ଥାଉ କି କାନାଡା, ୟୁନାଇଟେଡ୍‌ କିଂଗଡମ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଶିଖ ସଂଗଠନଗୁଡ଼ିକ ସେଠାକାର ଗୁରୁଦ୍ବାରଗୁଡ଼ିକର ଅଚଳାଚଳ ପାଣ୍ଠି ଉପରେ ଅଧିକାର, ଅସ୍ତ୍ରଶସ୍ତ୍ର ଚାଲାଣ ଏବଂ ପ୍ରଭାବ ବିସ୍ତାର ଲାଗି ଏତାଦୃଶ ଶତ୍ରୁତା ଓ ସଂଘର୍ଷରେ ଲିପ୍ତ ଯେ ସେମାନେ ବସ୍ତୁତଃ କୁଖ୍ୟାତ ଆପରାଧିକ ଗ୍ୟାଙ୍ଗ ଭଳି ବ୍ୟବହାର କରିଥାଆନ୍ତି, ଯହିଁରେ ଏଭଳି ହତ୍ୟାମାନ ସଂଘଟିତ ହେବା ସ୍ବାଭାବିକ। ତେଣୁ, ଦୃଢ଼ ସାକ୍ଷ୍ୟ-ପ୍ରମାଣ ପ୍ରତିଷ୍ଠିତ ନ ହେଲା ଯାଏ ଆମେରିକା ଦ୍ବାରା ହୋଇଥିବା ଆରୋପ ଏବଂ ଗିରଫଦାରି ମଧ୍ୟ ବିଶେଷ କୌଣସି ମୂଲ୍ୟ ରଖି ନ ଥାଏ। ଏବଂ ଏହା ମଧ୍ୟ ସତ ଯେ ଏଭଳି ଏକ କାର୍ଯ୍ୟକୁ ସଂପାଦନ କରିବା ଲାଗି ଭଡ଼ାଟିଆ ଆତତାୟୀର ସାହାଯ୍ୟ ନ ନେଇ ସରକାରୀ ଏଜେନ୍‌ସିକୁ ସଂପୃକ୍ତ କରିବାର ମୂଢ଼ତା ସର୍ବନିମ୍ନ ସାଧାରଣ ଜ୍ଞାନ ରଖିଥିବା ରାଷ୍ଟ୍ର ମଧ୍ୟ ପ୍ରଦର୍ଶନ କରିବ ନାହିଁ। ସୁତରାଂ, ଭାରତ ସରକାର ଯେ ଏଭଳି କିଛି ଉଦ୍ୟମ କରିଥି‌େବ ତାହା ଆଦୌ ବିଶ୍ବାସଯୋଗ୍ୟ ହୋଇ ନ ଥାଏ।
ତେବେ, ଏହା ମଧ୍ୟ ସ୍ବୀକାର୍ଯ୍ୟ ଯେ ଆମେରିକା ପକ୍ଷରୁ କାନାଡା ଭଳି ଅର୍ବାଚୀନସୁଲଭ ଅପରିପକ୍ବତା ପ୍ରଦର୍ଶନ କରାଯାଇନାହିଁ‌; କାରଣ ବିନା କୌଣସି ଦୃଢ଼ ପ୍ରମାଣରେ ଏକ ରାଷ୍ଟ୍ର ବିରୋଧରେ ଏକ ଜଘନ୍ୟ ଅଭିଯୋଗକୁ ସଂସଦରେ ପ୍ରକାଶ୍ୟ କରିବା ହେଉଛି କୂଟନୈତିକ ନିର୍ବୋଧତାର ପରିଚାୟକ; ଯାହା ଟ୍ରୁଡୋଙ୍କ ଭଳି ଭୋଟ ବ୍ୟାଙ୍କ ରାଜନୀତିରେ ବିଶ୍ବାସୀ, ଅପରିଣାମଦର୍ଶୀ ଓ ଅଧୈର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ପକ୍ଷରେ ସମ୍ଭବ; ତେଣୁ ଏକ ବଡ଼ ରାଷ୍ଟ୍ରର ସ୍ବଭାବସୁଲଭ ବିଜ୍ଞତା ପ୍ରଦର୍ଶିତ ହୋଇଛି ଘଟଣାଟିକୁ ଗୋପନୀୟ ରଖାଯିବାର ପ୍ରଯତ୍ନରେ। କହିବା ଅନାବଶ୍ୟକ ଯେ ନିଜ୍‌ଜରଙ୍କ ଭଳି ଭାରତ ଜନ୍ମିତ ପନ୍‌ନୁ ଉଭୟ କାନାଡା ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକ ହୋଇଥିବାରୁ ଆମେରିକାର ଭୂମିରେ ତାଙ୍କୁ ହତ୍ୟା କରାଯିବାର ଉଦ୍ୟମକୁ ଆମେରିକା ତା’ର ସାର୍ବଭୌମତ୍ବ ଉପରେ ଆକ୍ରମଣ ରୂପେ ଦେଖିଥାଏ।
ଉଲ୍ଲେଖଯୋଗ୍ୟ ଯେ ଗୁରପତୱନ୍ତ ସିଂହ ପନ୍‌ନୁ ପ୍ରକାଶ୍ୟରେ ଏବଂ ନିର୍ଭୟରେ ଭାରତର ଧ୍ବଂସ ସାଧନ, କାନାଡାରେ ବସବାସ କରୁଥିବା ଭାରତୀୟ ହିନ୍ଦୁଙ୍କ ବିତାଡ଼ନ, ଏୟାର-ଇଣ୍ଡିଆ ବିମାନଗୁଡ଼ିକୁ ଉଡ଼ାଇ ଦେବାର ପରୋକ୍ଷ ଧମକ ସମ୍ବଳିତ ତୀବ୍ର ଘୃଣା-ରଂଜିତ ବାର୍ତ୍ତାମାନ ସାମାଜିକ ଗଣମାଧ୍ୟମ ମଞ୍ଚରେ ପ୍ରଚାର କରିଥାଆନ୍ତି। ଏଭଳି କାର୍ଯ୍ୟକଳାପ ହେତୁ ପନ୍‌ନୁଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଆତଙ୍କବାଦୀ ରୂପେ ଘୋଷଣା କରାଯାଇଛି, ଯାହା ଯଥାର୍ଥ। କିନ୍ତୁ, ବିଡ଼ମ୍ବନା ହେଲା, ତୀବ୍ରତମ ଆତଙ୍କବାଦର ଶିକାର ଯୁକ୍ତରାଷ୍ଟ୍ର ଆମେରିକା ନିଜସ୍ବ ଶୈଳୀରେ ଆତଙ୍କବାଦର ସଂଜ୍ଞା ନିରୂପଣ କରି ଶିଖ ଏବଂ ଇସଲାମୀ ଆତଙ୍କବାଦୀଙ୍କ ଭିତରେ ଏକ ତାରତମ୍ୟ ସୃଷ୍ଟି କରିଛି; କାରଣ ତାହା ହୋଇ ନ ଥିଲେ ଅଭିବ୍ୟକ୍ତିର ସ୍ବାଧୀନତାର ଯୁକ୍ତି ଦର୍ଶାଇ ଭାରତ ଭଳି ଏକ ଗୁରୁତ୍ବପୂର୍ଣ୍ଣ ସାର୍ବଭୌମ ରାଷ୍ଟ୍ର ଉପରେ ଆକ୍ରମଣର ଧମକ ବା ଚକ୍ରାନ୍ତ ରଚନାକୁ ନିର୍ଭୟ ପ୍ରଶୟ ସେହି ଭୂମିରେ ମିଳନ୍ତା ନାହିଁ। ଏହି ଦୃଷ୍ଟିରୁ ପାକିସ୍ତାନ ଏବଂ କାନାଡା ବା ୟୁ.କେ. ବା ଆମେରିକା ମଧ୍ୟରେ କୌଣସି ପ୍ରଭେଦ ଦିଶିଥାଏ କି? ଏହି ଆଲୋଚନା ବେଳେ ପାକିସ୍ତାନର ଆତଙ୍କବାଦ ପ୍ରୋତ୍ସାହନକାରୀ ଗତିବିଧି ସଂଦର୍ଭରେ ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ ହିଲାରି କ୍ଲିଣ୍ଟନଙ୍କ ଅବିସ୍ମରଣୀୟ ହିତୋପଦେଶ ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ ଭଳି ମନେ ହୋଇଥାଏ, ଯାହା କହିଥିଲା: ବାରି ଅଗଣାରେ ପରିପାଳିତ ସର୍ପ ଅଗତ୍ୟା ଘରେ ପଶି ଦଂଶନ କରିଥାଏ। ଶିଖ ସନ୍ତ୍ରାସବା‌ଦୀଙ୍କୁ ପ୍ରଶ୍ରୟ ଦେଉଥିବା କାନାଡା ବା ୟୁ.କେ. ବା ଆମେରିକା ଲାଗି ମଧ୍ୟ ଏହି ହିତୋପଦେଶ ପ୍ରଯୁଜ୍ୟ। ଏହା ମଧ୍ୟ ସୁବିଦିତ ଯେ ଯୁକ୍ତରାଷ୍ଟ୍ର ଆମେରିକା ତା’ର ଶତ୍ରୁମାନଙ୍କୁ ନିଜ ଢଙ୍ଗରେ ଚିହ୍ନଟ କରି ଖୋଜି ଖୋଜି ହତ୍ୟା କରିଥାଏ ଏବଂ ସେଥି ଲାଗି ପୃଥିବୀର ପ୍ରାୟ ସବୁ ସାର୍ବଭୌମ ଦେଶରେ ଅନୁପ୍ରବେଶ କରି ସାରିଛି। କିନ୍ତୁ ପନ୍‌ନୁଙ୍କ ଭଳି ଭାରତର ଜଣେ ହିଂସ୍ର ଶତ୍ରୁକୁ ନିଜ ଭୂମିରେ ସୁରକ୍ଷା ପ୍ରଦାନ ଲାଗି ଉଦ୍‌ଗ୍ରୀବ ଥିବା ବେଳେ ଆମେରିକା ଆଦୌ ଆତ୍ମସମୀକ୍ଷା କରି ନ ଥାଏ। ଏହା ଶୁଦ୍ଧ କପଟାଚାର ଛଡ଼ା ଆଉ କିଛି ନୁହେଁ।