ଏକକାଳୀନ ନିର୍ବାଚନ ଆରମ୍ଭ କରିବା ପାଇଁ ଲୋକସଭା ନିର୍ବାଚନ ବେଳକୁ ଯେଉଁ ରାଜ୍ୟମାନଙ୍କର ବିଧାନସଭାର କାର୍ଯ୍ୟକାଳ ସଂପୂର୍ଣ୍ଣ ହୋଇ ନ ଥିବ, ସେ ରାଜ୍ୟର କ୍ଷମତାସୀନ ଦଳକୁ ବାକିଥିବା ଅବଧି ତ୍ୟାଗ କରିବାକୁ ହେବ, ଯେଉଁଥିପାଇଁ ଅଣ-ଏନ୍ଡିଏ ଦଳମାନେ ରାଜି ହେବା ସମ୍ଭାବନା କ୍ଷୀଣ। ଏଣୁ ନିକଟ ଭବିଷ୍ୟତରେ କୋବିନ୍ଦ କମିଟି ରିପୋର୍ଟ କେବଳ ଏକ ବୌଦ୍ଧିକ ବିତର୍କର ବିଷୟବସ୍ତୁ ହୋଇ ରହିବା ପ୍ରାୟ ନିଶ୍ଚିତ।
ଗତ ଗୁରୁବାର ଦିନ ଦେଶରେ ସମସ୍ତ ତ୍ରି-ସ୍ତରୀୟ ନିର୍ବାଚନ ଏକ ସମୟରେ ଅନୁଷ୍ଠିତ କରାଯିବା ସମ୍ଭବପର ହେବ କି ନାହିଁ, ସେ ସମ୍ବନ୍ଧରେ ଟିକିନିଖି ଅନୁଶୀଳନ କରି ମତାମତ ପ୍ରଦାନ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତାସଂପନ୍ନ କମିଟି ତା’ର ଦୀର୍ଘ ୧୮,୦୦୦ ପୃଷ୍ଠା ସମ୍ବଳିତ ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତରେ ଅର୍ପଣ କରିଛି। ଏଥିରେ କମିଟିର ସମସ୍ତ ସଦସ୍ୟ ସର୍ବସମ୍ମତ ଭାବରେ ଏକକାଳୀନ ନିର୍ବାଚନ ଅନୁଷ୍ଠିତ କରାଯିବା ଚିନ୍ତାଧାରା ପ୍ରତି ସମର୍ଥନ ପ୍ରକାଶ କରିବା ସହିତ ଏହା ବାସ୍ତବରେ କିପରି କାର୍ଯ୍ୟକାରୀ କରାଯାଇ ପାରିବ, ସେ ସମ୍ବନ୍ଧରେ ମଧ୍ୟ ଦିଗ୍ଦର୍ଶନ ପ୍ରଦାନ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକକାଳୀନ ନିର୍ବାଚନ ଅନୁଷ୍ଠିତ କରାଯିବା ପାଇଁ ଆହ୍ବାନ ଦେବା ପରଠାରୁ ଏହାର ସପକ୍ଷେର ଓ ବିପକ୍ଷରେ ବିଭିନ୍ନ ଯୁକ୍ତି ପ୍ରସାରିତ ହେବାରେ ଲାଗିଛି। କିନ୍ତୁ ଏହି ବିତର୍କ ଜାରି ରହିଥିବା ବେଳେ ଗୋଟିଏ କଥା ମନେ ରଖିବା ଉଚିତ ହେବ ଯେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଦେଶରେ ଯେଉଁ ପ୍ରଥମ ଚାରିଟି ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେଗୁଡ଼ିକ ଥିଲା ଏକକାଳୀନ ଶ୍ରେଣୀର, ଅର୍ଥାତ୍ ଏହି ଚାରିଥର ଯାକ ଦେଶରେ ଲୋକସଭା ଓ ରାଜ୍ୟ ବିଧାନସଭାମାନଙ୍କୁ ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ସମୟରେ କେତେକ ରାଜ୍ୟରେ ବ୍ୟାପକ ଦଳବଦଳଜନିତ ରାଜନୈତିକ ଅସ୍ଥିରତା ଯୋଗୁଁ କଣ୍ଟ ପୂରିବା ପୂର୍ବରୁ ବିଧାନସଭା ଭାଙ୍ଗିଯାଇ ସେଠାରେ ସଅଳ ନିର୍ବାଚନ ଅନୁଷ୍ଠିତ ହୋଇ ଏହି ତାଳମେଳରେ ଅନ୍ତ ଘଟିଲା। କୋବିନ୍ଦ କମିଟି ବର୍ତ୍ତମାନ କରିଥିବା ସୁପାରିସ ପୂର୍ବର ସେଇ ଆଦର୍ଶ ତାଳମେଳ ଫେରାଇ ଆଣିବାକୁ ଉଦ୍ୟମ କରିଛି।
ଦେଶରେ ଏକ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ନୀତିଗତ ଉପକାରିତାମାନ ବେଶ୍ ପ୍ରଭାବଶାଳୀ ମନେ ହୋଇଥାଏ। ଉଦାହରଣ ସ୍ବରୂପ ଏହା ଘଟିଲେ ଥରେ ନିର୍ବାଚନ ଋତୁର ସମାପ୍ତି ଘଟିବା ପରେ ରାଜନୈତିକ ଦଳମାନେ ଆଉ ମତଦାତାମାନଙ୍କୁ ଆକର୍ଷିତ କରିବା ଆଶାରେ ବାରମ୍ବାର ନିଜର ନୀତିଗତ ଆଭିମୁଖ୍ୟରେ ପରିବର୍ତ୍ତନ ଘଟାଇବାରେ ପ୍ରବୃତ୍ତ ନ ହୋଇ ନିର୍ଦ୍ଧାରିତ ନୀତି, ପ୍ରତିଶ୍ରୁତି ଆଦିକୁ କାର୍ଯ୍ୟକାରୀ କରିବାରେ ମନ ଦେବେ। ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ମୂଳ ଭିତ୍ତି ଯେ ହେଉଛି ନିର୍ବାଚନ, ଏହା ସତ କଥା। କିନ୍ତୁ ଏହା ମଧ୍ୟ ସତ ଯେ ଏହି ବ୍ୟବସ୍ଥାରେ ଉତ୍ତମ ଶାସନ ପ୍ରତିଷ୍ଠା ହେଉଛି ନିର୍ବାଚନର ଲକ୍ଷ୍ୟ। ଅବିରତ ନିର୍ବାଚନ ଋତୁ ସୁଶାସନ ପ୍ରଦାନରେ ସହାୟକ ହୋଇ ନ ଥାଏ। ଏହାଛଡ଼ା ଯେହେତୁ ସରକାରୀ କଳ ହିଁ ନିର୍ବାଚନ ଆୟୋଜନ ଓ ପରିଚାଳନା ଦାୟିତ୍ବ ନିର୍ବାହ କରିଥାଏ, ଏଥିଯୋଗୁଁ ସେଇ ସମୟରେ ନିୟମିତ ଶାସନକାର୍ଯ୍ୟ ସ୍ବାଭାବିକ ଭାବରେ ବାଧା ପାଇଥାଏ। ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହେଲେ ପ୍ରଶାସନିକ କାର୍ଯ୍ୟରେ ବାରମ୍ବାର ବିଘ୍ନ ଘଟିବ ନାହିଁ। ନିର୍ବାଚନ ସମୟରେ ମଡେଲ୍ ନିର୍ବାଚନୀ କୋଡ୍ ଲାଗୁ ହେବା ଫଳରେ ନୂତନ ଉନ୍ନୟନ କାର୍ଯ୍ୟମାନ କିପରି ସାମୟିକ ଭାବରେ ବନ୍ଦ ହୋଇଯାଏ, ତାହା ଜଣାଶୁଣା। ଏକକାଳୀନ ନିର୍ବାଚନ ଉନ୍ନୟନ ପଥରେ ଏହି କୃତ୍ରିମ ପ୍ରତିବନ୍ଧକର ବାରମ୍ବାର ଆବିର୍ଭାବକୁ ପ୍ରତିହତ କରିବ। ନିର୍ବାଚନ ଆୟୋଜନ ଜଣାଶୁଣା ଭାବରେ ଏକ ଅତ୍ୟନ୍ତ ବ୍ୟୟବହୁଳ ବ୍ୟାପାର ହୋଇଥିବାରୁ ଏକକାଳୀନ ନିର୍ବାଚନ ସେଇ ବ୍ୟୟ ବୋଝ ଲାଘବ କରିଥାଏ।
ନିର୍ବାଚନରେ ମତଦାନକୁ ନାଗରିକର ମୌଳିକ ଗଣତାନ୍ତ୍ରିକ କର୍ତ୍ତବ୍ୟ ରୂପେ ବିଚାର କରାଯାଇଥାଏ। ମତଦାନରେ ନୀଚା ଅଂଶଗ୍ରହଣ ତେଣୁ ସର୍ବଦା ଚିନ୍ତାର ବିଷୟ ହୋଇଥାଏ। ଏକାଧିକ ଥର ଅନୁଷ୍ଠିତ ନିର୍ବାଚନରେ ଜଣେ ମତଦାତା ପ୍ରତ୍ୟେକ ଥର ଆସି ମତଦାନ କରିବାର ସମ୍ଭାବନା ଅପେକ୍ଷା ଏକକାଳୀନ ଅନୁଷ୍ଠିତ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ମତଦାନରେ ସେ ଅଂଶଗ୍ରହଣ କରିବାର ସମ୍ଭାବନା ନିଶ୍ଚିତ ରୂପେ ଅଧିକ ହୋଇଥାଏ। ଏ ସମ୍ବନ୍ଧରେ ଅନୁଶୀଳନ କରିଥିବା ଲ’ କମିସନ୍ ମଧ୍ୟ ଅନୁରୂପ ମତ ପ୍ରକାଶ କରିଛନ୍ତି।
ତେବେ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହେବା ସଂପର୍କରେ ଏକ ଆଶଙ୍କା ପ୍ରକାଶ ପାଇଥାଏ ଯେ ଯେହେତୁ ଏଭଳି ନିର୍ବାଚନରେ ଜାତୀୟସ୍ତରରେ ଗୁରୁତ୍ବ ବହନ କରୁଥିବା ପ୍ରସଙ୍ଗମାନ ହିଁ ପ୍ରାଧାନ୍ୟ ଲାଭ କରିବ, ଆଞ୍ଚଳିକ ପ୍ରସଙ୍ଗମାନ ଦୃଷ୍ଟି ଆଢୁଆଳେର ରହି ଅବହେଳିତ ହେବାର ଦୃଢ଼ ସମ୍ଭାବନା ରହିଛି। ଏହାର ଫଳସ୍ବରୂପ ଅାଞ୍ଚଳିକ ପ୍ରସଙ୍ଗମାନଙ୍କୁ ଆଧାର କରି ରାଜନୀତି କରୁଥିବା ଆଞ୍ଚଳିକ ଦଳମାନେ ନିଜର ପ୍ରାସଙ୍ଗିକତା ହରାଇ ଦେଶର ରାଜନୈତିକ ଦୃଶ୍ୟପଟରୁ ଅନ୍ତର୍ହିତ ହୋଇଯାଇ ପାରନ୍ତି। କିନ୍ତୁ ଯେହେତୁ ଦେଶରେ ଅନୁଷ୍ଠିତ ପ୍ରଥମ ଚାରିଟି ନିର୍ବାଚନ ଏକକାଳୀନ ହୋଇଥିବା ସତ୍ତ୍ବେ ଆଞ୍ଚଳିକ ଦଳମାନେ ଜାତୀୟ ଦଳ କଂଗ୍ରେସର କଡ଼ା ମୁକାବିଲା କରିପାରିଥିଲେ, ଆଞ୍ଚଳିକ ରାଜନୀତିର ସ୍ଥିତି ବିପନ୍ନ ହେବା ନେଇ ପ୍ରକାଶ ପାଉଥିବା ଏଭଳି ଆଶଙ୍କା ଅମୂଳକ ମନେ ହୁଏ।
ବରଂ ଏକକାଳୀନ ନିର୍ବାଚନ ଅନୁଷ୍ଠିତ କରିବା ପଥରେ ଯାହା ଅସଲ ପ୍ରତିବନ୍ଧକ ରୂପେ ଉଭା ହୋଇଥାଏ, ତାହା ହେଉଛି ଏହାର ବାସ୍ତବ ରୂପାୟନର ଜଟିଳତା। କୋବିନ୍ଦ କମିଟି ତା’ର ସୁପାରିସରେ ଏହାର ସମାଧାନର ବାଟ ବାହାର କରିବାକୁ ଚେଷ୍ଟା କରିଛି। ଏ ଦିଗରେ ଏକ ପ୍ରଥମ ପଦେକ୍ଷପ ସ୍ବରୂପ କମିଟି ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାମାନଙ୍କ ପାଇଁ ନିର୍ବାଚନମାନ ଏକ ସମୟରେ ଆରମ୍ଭ କରାଯିବା ପାଇଁ ପ୍ରସ୍ତାବ ଦେଇଛି। ଏହାପରେ ଦ୍ବିତୀୟ ପଦକ୍ଷେପ ସ୍ବରୂପ ଏହାର ୧୦୦ ଦିନ ମଧ୍ୟରେ ସମସ୍ତ ସ୍ଥାନୀୟ ସ୍ବାୟତ୍ତ ଶାସନ ଅନୁଷ୍ଠାନମାନଙ୍କ ପାଇଁ ନିର୍ବାଚନ ଏକ ସମୟରେ ଅନୁଷ୍ଠିତ କରାଯିବା ନିମିତ୍ତ କମିଟି ତା’ର ଯୋଜନାରେ ପରିକଳ୍ପନା କରିଛି। ଲୋକସଭା ଓ ବିଧାନସଭା ନିର୍ବାଚନମାନଙ୍କ ମଧ୍ୟରେ ତାଳମେଳ ହାସଲ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ନିର୍ଦ୍ଧାରଣ କରାଯିବାର ଆବଶ୍ୟକତା ରହିଛି। ଏହି ଆବଶ୍ୟକତା ପୂରଣ ନିମିତ୍ତ ସାଧାରଣ ନିର୍ବାଚନ ପରେ ଲୋକସଭାର ପ୍ରଥମ ଅଧିବେଶନର ପ୍ରଥମ ବୈଠକକୁ ନିର୍ଦ୍ଧାରିତ ତାରିଖ ରୂପେ ଘୋଷଣା କରାଯିବାକୁ କମିଟି ତା’ର ରିପୋର୍ଟରେ ପ୍ରସ୍ତାବ ଦେଇଛି। ଏହି ନିର୍ଦ୍ଧାରିତ ତାରିଖ ପରେ ଓ ଲୋକସଭାର ସଂପୂର୍ଣ୍ଣ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ଗଠିତ ସମସ୍ତ ବିଧାନସଭାମାନଙ୍କର କାର୍ଯ୍ୟକାଳ କେବଳ ଲୋକସଭା ପାଇଁ ପରବର୍ତ୍ତୀ ନିର୍ବାଚନ ଅନୁଷ୍ଠିତ ହେବା ପର୍ଯ୍ୟନ୍ତ କାଏମ ରହିବ। ଯେଉଁଠି ଲୋକସଭା ବା ବିଧାନସଭା ଏପରି ଏକ ଝୁଲା ଅବସ୍ଥାର ସମ୍ମୁଖୀନ ହେବ, ଯାହାର କୌଣସି ସମାଧାନ ସମ୍ଭବ ନୁହେଁ କିମ୍ବା ଅବିଶ୍ବାସ ପ୍ରସ୍ତାବ ମତଦାନରେ ପରାସ୍ତ ହୋଇ ସରକାରର ପତନ ଘଟିବ, ସେଠି ସଂପୃକ୍ତ ଗୃହର ଅର୍ଥାତ୍ ଲୋକସଭାର ପାଞ୍ଚ ବର୍ଷର କାର୍ଯ୍ୟକାଳ ସଂପୂର୍ଣ୍ଣ ହେବା ପାଇଁ ବାକିଥିବା ଅବଧି ପାଇଁ ହିଁ ନିର୍ବାଚନ ଅନୁଷ୍ଠିତ ହେବା ପାଇଁ କମିଟି ସୁପାରିସ କରିଛି।
ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ପାଇଁ ସଂବିଧାନରେ କେତେକ ସଂଶୋଧନ ଆବଶ୍ୟକ ହେବ। ଏହି ସଂଶୋଧନମାନ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାମାନଙ୍କରେ ପାରିତ ହେବା ଆବଶ୍ୟକ। ଏହି ଏକକାଳୀନ ନିର୍ବାଚନ ବା ‘ୱାନ୍ ନେସନ୍ ୱାନ୍ ଇଲେକ୍ସନ’ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ପ୍ରିୟ ପରିକଳ୍ପନା। ହୁଏତ ଯଦି ତାଙ୍କର ଦଳ ଭାରତୀୟ ଜନତା ପାର୍ଟି ଓ ତା’ର ସହଯୋଗୀମାନେ ଆଗାମୀ ସାଧାରଣ ନିର୍ବାଚନରେ େଲାକସଭାର ଅନ୍ୟୂନ ଦୁଇ-ତୃତୀୟାଂଶ ସ୍ଥାନ ଦଖଲ କରନ୍ତି, ତେବେ ସେଠାରେ ସଂବିଧାନ ସଂଶୋଧନ ପ୍ରସ୍ତାବ ପାରିତ ହୋଇଯିବ; କିନ୍ତୁ ବିରୋଧୀ ଦଳ ସରକାର ଥିବା ରାଜ୍ୟମାନେ ଏଥିରେ ସହମତ ହେବାର ସମ୍ଭାବନା କ୍ଷୀଣ। ଏକକାଳୀନ ନିର୍ବାଚନ ଆରମ୍ଭ କରିବା ପାଇଁ ଲୋକସଭା ନିର୍ବାଚନ ବେଳକୁ ଯେଉଁ ରାଜ୍ୟମାନଙ୍କର ବିଧାନସଭାର କାର୍ଯ୍ୟକାଳ ସଂପୂର୍ଣ୍ଣ ହୋଇ ନ ଥିବ, ସେ ରାଜ୍ୟର କ୍ଷମତାସୀନ ଦଳକୁ ବାକିଥିବା ଅବଧି ତ୍ୟାଗ କରିବାକୁ ହେବ, ଯେଉଁଥିପାଇଁ ଅଣ-ଏନ୍ଡିଏ ଦଳମାନେ ରାଜି ହେବା ସମ୍ଭାବନା କ୍ଷୀଣ। ଏଣୁ ନିକଟ ଭବିଷ୍ୟତରେ କୋବିନ୍ଦ କମିଟି ରିପୋର୍ଟ କେବଳ ଏକ ବୌଦ୍ଧିକ ବିତର୍କର ବିଷୟବସ୍ତୁ ହୋଇ ରହିବା ପ୍ରାୟ ନିଶ୍ଚିତ।