ସମ୍ପତ୍ତି ହସ୍ତାନ୍ତର

ଅନେକ ପ୍ରାଚୀନ ସମାଜରେ ନାରୀକୁ ତା’ର ପିତା, ଭ୍ରାତା କିମ୍ବା ସ୍ବାମୀଙ୍କର, ଅର୍ଥାତ୍‌ ପୁରୁଷର ସମ୍ପତ୍ତି ରୂପେ ବିଚାର କରାଯାଉଥିଲା। ଆଜିକାଲି ଆମେ ଜଣେ ନାରୀ ବିରୋଧରେ ସ˚ଘଟିତ ଯେଉଁ ଅପରାଧକୁ ତା’ପାଇଁ ସର୍ବାଧିକ ଜଘନ୍ୟ ବୋଲି ଏକମତ, ତାହା ହେଉଛି ଧର୍ଷଣ। ସେ ସମୟର ଆଇନରେ କିନ୍ତୁ ଧର୍ଷଣକୁ ଧର୍ଷିତା ନାରୀଙ୍କ ବିରୋଧରେ ଏକ ଅପରାଧ ରୂପେ ବିଚାର କରାଯାଉନଥିଲା। ଏହା ବର୍ତ୍ତମାନ ଉଦ୍ଭଟ ମନେ ହେଉଥିଲେ ବି, ସେତେବେଳେ ଏହା ପଛରେ ନିହିତ ଥିବା ଯୁକ୍ତି ଥିଲା ଅତ୍ୟନ୍ତ ସରଳ। ଯଦି ଜଣେ ବ୍ୟକ୍ତିଙ୍କର ସମ୍ପତ୍ତିକୁ ଅନ୍ୟ ଜଣେ ଜବରଦସ୍ତ ଦଖଲ କରି ବସେ, ତାହା ଏକ ଅପରାଧରେ ପରିଗଣିତ ହୁଏ; କିନ୍ତୁ ଏ ଅପରାଧ କାହା ବିରୋଧରେ ଘଟିଥାଏ? ସମ୍ପତ୍ତି ବିରୋଧରେ ନା ସମ୍ପତ୍ତିର ମାଲିକଙ୍କ ବିରୋଧରେ? ଅବଶ୍ୟ ମାଲିକଙ୍କ ବିରୋଧରେ। ସେଇ ନ୍ୟାୟରେ ନାରୀଟିଏ ଧର୍ଷଣର ଶିକାର ହେଲେ, ସେ ଜଣେ ପୁରୁଷର ସମ୍ପତ୍ତି ହୋଇ ଥିବାରୁ, ଅପରାଧଟି ସମ୍ପୃକ୍ତ ପୁରୁଷ ବିରୋଧରେ ଘଟିଛି ବୋଲି ବିଚାର କରାଯାଏ।

ଆଇନ ଏ ସମସ୍ୟାର ସମାଧାନ ପାଇଁ ଯେଉଁ ବାଟ ବାହାର କରେ, ତାହା ହେଲା ସମ୍ପୃକ୍ତ ସମ୍ପତ୍ତିର ମାଲିକାନା ହସ୍ତାନ୍ତର: ଧର୍ଷଣକାରୀ ଧର୍ଷିତାର ପିତା କିମ୍ବା ଭ୍ରାତାଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରି ବା କନ୍ୟାଧନ ଦେଇ ଧର୍ଷିତାକୁ ଅର୍ଥାତ୍‌ ସମ୍ପୃକ୍ତ ସମ୍ପତ୍ତିକୁ ନିଜ ମାଲିକାନାକୁ ନେଇଯିବ। ଏଭଳି ବ୍ୟବସ୍ଥାକୁ ସଭ୍ୟତାର ପୋଷାକ ପିନ୍ଧାଇଲେ କୁହାଯିବ: ଧର୍ଷଣକାରୀ ଧର୍ଷିତାଙ୍କୁ ବିବାହ କଲା। ଗତ ସପ୍ତାହ ସୋମବାର ଦିନ ଏକ ଅପିଲ୍‌ର ବିଚାର କରି ସୁପ୍ରିମ୍‌ କୋର୍ଟ‌୍‌ର ମାନ୍ୟବର ମୁଖ୍ୟ ବିଚାରପତି ଏସ୍‌ ଏ ବୋବ୍‌ଡେ ଜଣେ ଧର୍ଷଣ ଅଭିଯୁକ୍ତକୁ ଗିରଫଦାରିରୁ ସୁରକ୍ଷା ପ୍ରଦାନ କରିବା ଅବସରରେ ତାଙ୍କୁ ଦୋହରାଇ ଦୋହରାଇ ଯେଉଁ ପ୍ରଶ୍ନ ପଚାରିବା ଦେଖାଯାଇଥିଲା, ତାହା ଏଇ ଭଳି ସଭ୍ୟତାର ପୋଷାକ ପିନ୍ଧିଥିଲା।
ମହାରାଷ୍ଟ୍ରରେ ଜଣେ ନାବାଳିକାକୁ ବାରମ୍ବାର ଧର୍ଷଣ କରିଥିବା ଅଭିଯୋଗର ସମ୍ମୁଖୀନ ଅଭିଯୁକ୍ତକୁ ମୁଖ୍ୟ ବିଚାରପତି ବାରମ୍ବାର ପଚାରିଥିଲେ: ‘‘ତୁମେ ତାଙ୍କୁ ବିବାହ କରିବ କି?’’ ଏହା ପରେ ସପ୍ତାହେ କାଳ ଗଣମାଧୢମ ଓ ସାମାଜିକ ଗଣମାଧୢମରେ ଏଥିପାଇଁ ଘୋର ସମାଲୋଚନାର ସମ୍ମୁଖୀନ ହେବା ପରେ ଏ ସପ୍ତାହ ସୋମବାର ମହିଳା ଦିବସ ଦିନ ମାନ୍ୟବର ମୁଖ୍ୟ ବିଚାରପତି ଏକ ସ୍ପଷ୍ଟୀକରଣ ଦେଇଛନ୍ତି ଯେ ସେ ଅଭିଯୁକ୍ତକୁ ବିବାହ ପାଇଁ ବାଧୢ କରି ନଥିଲେ ଏବ˚ ପ୍ରସଙ୍ଗରୁ ଅଲଗା କରି ତାଙ୍କ ମନ୍ତବ୍ୟକୁ ବିକୃତ କରି ପ୍ରଦର୍ଶିତ କରା ଯାଇଛି।

ଏଠାରେ ତେଣୁ ପ୍ରସଙ୍ଗଟି ଉପରେ ଏକ କ୍ଷିପ୍ର ଦୃଷ୍ଟି ପକାଇବା ଉଚିତ ହେବ। ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି ଯେ ସେ ୧୪-୧୫ ବୟସର ନାବାଳିକା ଥିବା ବେଳରୁ ଅଭିଯୁକ୍ତ ଯୁବକ ଜଣକ ତାଙ୍କୁ ବାରମ୍ବାର ଧର୍ଷଣ କରି ଚାଲିଥିଲେ। ଯୁବତୀ ଓ ତାଙ୍କର ପରିବାର ଆରମ୍ଭରେ ପୁଲିସ ପାଖରେ ଅଭିଯୋଗ କରିନଥିଲେ, କାରଣ ଅଭିଯୁକ୍ତ ଓ ତାଙ୍କର ମାତା ସେମାନଙ୍କୁ ଏକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଯେ ପୀଡ଼ିତାଙ୍କ ବୟସ ୧୮ ବର୍ଷ ପୂରଣ ହେବା ପରେ ସେ ପୀଡ଼ିତାଙ୍କୁ ବିବାହ କରିବ। ପ୍ରତିଶ୍ରୁତି ଅନୁସାରେ ବିବାହ ନଘଟିବାରୁ ପୀଡ଼ିତା ପୁଲିସ୍‌ରେ ଏଫ୍‌ଆଇଆର‌୍‌ ଦାଖଲ କଲେ। ପୁଲିସ ଭାରତୀୟ ପିଙ୍ଗଳ କୋଡ୍‌ ଏବ˚ ଶିଶୁ ଯୌନ ଶୋଷଣ ବିରୋଧରେ ଉଦ୍ଦିଷ୍ଟ ‘ପୋକ୍‌ସୋ ଆକ୍ଟ୍‌’ ଅନୁସାରେ ଅଭିଯୁକ୍ତ ବିରୋଧରେ ଦଫା ଲଗାଇଲା। ଅଭିଯୁକ୍ତର ଆଗୁଆ ଜାମିନ ପାଇଁ ଆବେଦନର ବିଚାର କରିବା ଅବସରରେ ଜଣେ ଅତିରିକ୍ତ ଦୌରା ଜଜ୍‌ ପୀଡ଼ିତାଙ୍କର ଏଫ୍‌ଆଇଆର‌୍‌ ଦାଖଲରେ ବିଳମ୍ବକୁ ଉଦ୍ଦେଶ୍ୟମୂଳକ ହୋଇଥାଇପାରେ (ଯେହେତୁ ଅଭିଯୁକ୍ତ ଇତିମଧୢରେ ସରକାରୀ ଚାକିରି ପାଇଥିଲା) ବୋଲି ମନ୍ତବ୍ୟ ଦେଇ ଅଭିଯୁକ୍ତକୁ ଆଗୁଆ ଜାମିନ ମଞ୍ଜୁର କରି ଦେଲେ। ଅତିରିକ୍ତ ଦୌରା ଜଜ୍‌ ଜଣକ ଏହି ମାମଲାର ବିଚାର କରିବା ବେଳେ ସମ୍ବେଦନଶୀଳତାର ଘୋର ଅଭାବ ପ୍ରଦର୍ଶନ କରିଛନ୍ତି ବୋଲି ମନ୍ତବ୍ୟ ଦେଇ ବମ୍ବେ ହାଇକୋର୍ଟ ଅଭିଯୁକ୍ତକୁ ମିଳିଥିବା ଆଗୁଆ ଜାମିନକୁ ନାକଚ କରି ଦେଇଥିଲେ। ଅତିରିକ୍ତ ଦୌରା ଜଜ୍‌ ମଧୢ ଏ ସମ୍ପର୍କିତ ଆଇନର ବ୍ୟବସ୍ଥାର ଠିକ୍‌ ତର୍ଜମା କରିନାହାନ୍ତି ବୋଲି ବମ୍ବେ ହାଇକୋର୍ଟ ଉଲ୍ଲେଖ କରିଥିଲେ। ପୀଡ଼ିତା ଜଣକ ନାବାଳିକା ଥିବା ସମୟରେ ଅଭିଯୁକ୍ତ ଯେ ତାଙ୍କ ସହିତ ଦୁଷ୍କର୍ମ କରିଥିଲା, ଅଭିଯୁକ୍ତ ଓ ତା’ର ମାତାଙ୍କର ଲିଖିତ ପ୍ରତିଶ୍ରୁତି ହେଉଛି ତା’ର ପ୍ରମାଣ ବୋଲି ବମ୍ବେ ହାଇକୋର୍ଟ ତାଙ୍କର ରାୟରେ ଦର୍ଶାଇଥିଲେ।

ବମ୍ବେ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଅଭିଯୁକ୍ତ ଜଣକ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ତା’ର ଆବେଦନର ବିଚାର ସମୟରେ ତିନିଜଣିଆ ବେଞ୍ଚ୍‌ର ମୁଖ୍ୟ ଥିବା ପ୍ରଧାନ ବିଚାରପତି ବୋବ୍‌ଡେ ଅଭିଯୁକ୍ତକୁ ଉପରୋକ୍ତ ବିବଦମାନ ବିବାହ ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ। ତାଙ୍କର ପରବର୍ତ୍ତୀ ସ୍ପଷ୍ଟୀକରଣ ସତ୍ତ୍ବେ ତାଙ୍କର ଏହି ପ୍ରଶ୍ନ ସେଇଭଳି ଲିଙ୍ଗଗତ ସମ୍ବେଦନହୀନତା ବହନ କରିଥାଏ, ଯେଉଁ ଭଳି ଅତିରିକ୍ତ ଦୌରା ଜଜ୍‌ଙ୍କ ରାୟରେ ପରିଦୃଷ୍ଟ ହୋଇଥିଲା ବୋଲି ବମ୍ବେ ହାଇକୋର୍ଟ କହିଥିଲେ। ତାଙ୍କର ଏହି ପ୍ରଶ୍ନ ଯେଉଁ ଧାରଣା ସୃଷ୍ଟି କରିଥାଏ, ତାହା ହେଲା- ବୋଧହୁଏ ଅଭିଯୁକ୍ତ ଜଣକ ଯଦି ପୀଡ଼ିତାଙ୍କୁ ବିବାହ କରିବାକୁ ଆଗେଇ ଆସନ୍ତି, ଅପରାଧର ପ୍ରାୟଶ୍ଚିତ୍ତ ହୋଇଯିବ, ପୀଡ଼ିତାଙ୍କୁ ନ୍ୟାୟ ମିଳିଯିବ, ସମସ୍ୟାର ସମାଧାନ ହୋଇଯିବ।

ଲକ୍ଷ୍ୟ କରିବା କଥା ପ୍ରଶ୍ନଟି ପଚରା ଯାଇଥିଲା ଧର୍ଷଣ-ଅଭିଯୁକ୍ତକୁ, ଅର୍ଥାତ୍‌ ଅପରାଧ ଘଟାଇଥିବା ପୁରୁଷକୁ। ଅପରାଧର ଶିକାର ହୋଇଥିବା ନାରୀଙ୍କୁ ଏହା ପଚରା ଯାଇ ନାହିଁ; ସତେ ଯେମିତି ବିବାହରେ ତାଙ୍କର ମତାମତର କୌଣସି ପ୍ରାସଙ୍ଗିକତା ନାହିଁ! ସମ୍ପତ୍ତି ଜବରଦଖଲ ଅପରାଧର ଉପରେ ବର୍ଣ୍ଣିତ ସମାଧାନ ସମୟରେ ଯେମିତି ସମ୍ପତ୍ତିର ମତାମତ ନିଆଯିବା ପରିବର୍ତ୍ତେ ସମ୍ପତ୍ତିର ମାଲିକଙ୍କ ମତାମତ ନିଆଯାଏ (ସମ୍ପତ୍ତି ତ ନିର୍ଜୀବ!), ସେଇଭଳି। ହୁଏତ ପୀଡ଼ିତାଙ୍କ ପ୍ରତି ସଦିଚ୍ଛା ପ୍ରଧାନ ବିଚାରପତିଙ୍କୁ ଏଭଳି ପ୍ରଶ୍ନ ପଚାରିବାକୁ ପ୍ରବୃତ୍ତ କରିଥିଲା, ଯେମିତି ଗତ ଜୁଲାଇରେ ଓଡ଼ିଶା ହାଇକୋର୍ଟଙ୍କୁ ପ୍ରବୃତ୍ତ କରିଥିଲା- ଯେତେବେଳେ ଜଣେ ନାବାଳିକା-ଧର୍ଷଣ ଅଭିଯୁକ୍ତକୁ ଇତି ମଧୢରେ ସାବାଳିକା ହୋଇସାରିଥିବା ପୀଡ଼ିତାଙ୍କୁ ବିବାହ କରିବାକୁ ଜାମିନ ପ୍ରଦାନ କରାଯାଇଥିଲା।

ଦେଶର ଆଇନ ବ୍ୟବସ୍ଥାରେ କୌଣସି ସନ୍ଦେହର ଅବକାଶ ନାହିଁ ଯେ ଧର୍ଷଣ ଭଳି ନାରୀ ପ୍ରତି ଆଚରିତ ଜଘନ୍ୟତମ ଅପରାଧ ମଧୢ ହେଉଛି ଏକ ସାମାଜିକ ଅପରାଧ, ବିବାହ ଆଦୌ ଯାହାର ସମାଧାନ ନୁହେଁ- ବିବାହ ଦ୍ବାରା ନ୍ୟାୟ ପ୍ରଦାନର ଉଦ୍ୟମ ଅପରାଧକୁ କେବଳ ହାଲୁକା କରିଦେଇଥାଏ ଯାହା। ତଥାପି ଆମ ନ୍ୟାୟପାଳିକା ବିବାହ ପ୍ରତି ଏପରି ଅନୁକୂଳ ମନୋଭାବ ପୋଷଣ କରିବାର କାରଣ ହେଉଛି ଗଭୀର ଚେର ବିସ୍ତାର କରିଥିବା ଆମ ସମାଜର ପୁରୁଷ-କୈନ୍ଦ୍ରିକ ବା ‘ପାଟ୍ରିଆର୍କିକାଲ୍‌’ ଚରିତ୍ର। ଏହାର କ୍ଷୁଦ୍ର ନମୁନା ସେଇ ନ୍ୟାୟପାଳିକାରେ ଦେଖିବାକୁ ମିଳିଥାଏ: ସୁପ୍ରିମ୍‌ କୋର୍ଟର ଅନୁମୋଦିତ ୩୪ ଜଣ ବିଚାରପତି ସ୍ଥାନ ମଧୢରୁ। ମାତ୍ର ଦୁଇଟିରେ ମହିଳା ବିଚାରପତି ସ୍ଥାନ ପାଇଛନ୍ତି; ୨୦୨୦ ସୁଦ୍ଧା ଦେଶର ୨୫ଟି ହାଇକୋର୍ଟରେ ମୋଟ ୧,୦୭୯ଟି ଅନୁମୋଦିତ ବିଚାରପତି ଆସନ ମଧୢରୁ ମାତ୍ର ୭୮ଟିରେ ମହିଳା ବିଚାରପତି ଆସୀନ ଅଛନ୍ତି। ଏଭଳି ସମାଜରେ ନାରୀ ପ୍ରତି ଦୟା ଭାବ ପ୍ରଦର୍ଶନକୁ ସମାନ ଅଧିକାର ପ୍ରଦାନ ବୋଲି ଯେ କେହି ଭ୍ରମରେ ପଡ଼ିବା ସ୍ବାଭାବିକ।

ସମ୍ବନ୍ଧିତ ଖବର