ବିଶ୍ୱର ବୃହତ୍ତମ ଫ୍ରାଙ୍କଫର୍ଟ ପୁସ୍ତକମେଳା : ପ୍ରଥମ ଡିଜିଟାଲ ବହି ମେଳା

ଝରକା - ରମେଶ ପ୍ରଧାନ

ବିଶ୍ୱର ବୃହତ୍ତମ ଆନ୍ତର୍ଜାତିକ ପୁସ୍ତକମେଳା ଜର୍ମାନୀର ଫ୍ରାଙ୍କଫର୍ଟ ନଗରୀରେ ଅନୁଷ୍ଠିତ ହୁଏ। ଏହି ପୁସ୍ତକମେଳା ବରାବର ଅକ୍ଟୋବର ମାସର ଦ୍ବିତୀୟ ସପ୍ତାହର ମଙ୍ଗଳବାର ଦିନ ଉଦ୍‌ଘାଟିତ ହୁଏ ଏବ˚ ବୁଧବାର ଠାରୁ ରବିବାର ପର୍ଯ୍ୟନ୍ତ ଚାଲିଥାଏ। ଏ ବର୍ଷ ତାହା ଅକ୍ଟୋବର ୧୩ ତାରିଖରେ ଉଦ୍‌ଘାଟିତ ହୋଇ ୧୪ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଆୟୋଜକମାନଙ୍କ ସୂତ୍ରରୁ ଜଣାଯାଇଛି। ଦୁଃଖର କଥା ଏଥର ପୁସ୍ତକପ୍ରେମୀମାନେ ସ୍ବହସ୍ତରେ ପୁସ୍ତକ ସ୍ପର୍ଶ କରିବାର ଅନୁଭବ ପାଇବେ ନାହିଁ। କରୋନା ମାଡ଼ରେ କାର୍ଯ୍ୟକ୍ରମର ରୂପରେଖ ବଦଳି ଯାଇଛି। ପୁସ୍ତକମେଳା ପ୍ରାଙ୍ଗଣରେ ପୁସ୍ତକଗୁଡ଼ିକର ଭବ୍ୟ ପ୍ରଦର୍ଶନୀ ହେବା ବଦଳରେ ପ୍ରକାଶକମାନେ ଡିଜିଟାଲ ମାଧୢମରେ ପ୍ରକାଶିତ ପୁସ୍ତକ-ସମ୍ଭାର ପ୍ରଦର୍ଶନ କରାଇବେ। ତେଣୁ ଏହି ପୁସ୍ତକମେଳାରେ ପାଠକମାନେ ପୁସ୍ତକ ଦେଖି କିଣିବାର ସୁଯୋଗ ପାଇବେ ନାହିଁ। ବିକ୍ରି ହେବ ପୁସ୍ତକର ସ୍ବତ୍ବ। ଏଥି ସହିତ ପାରମ୍ପରିକ ଭାବରେ ଅନୁଷ୍ଠିତ ହୋଇ ଆସୁଥିବା କିଛି ସଭାସମିତି ବା ଆସର କେବଳ ବିଧି ମାନି କରୋନା କଟକଣା ଭିତରେ ଆୟୋଜିତ ହେବ ବୋଲି ସ୍ଥିର କରିଛନ୍ତି ଫ୍ରାଙ୍କଫର୍ଟ ପୁସ୍ତକମେଳାର କର୍ତ୍ତୃପକ୍ଷ।

ଜର୍ମାନୀରେ ପ୍ରାୟ ସାଢ଼େ ପାଞ୍ଚଶହ ବର୍ଷ ହେଲା ଏହି ପୁସ୍ତକମେଳା ଚାଲିଥିଲେ ମଧୢ ଏହାକୁ ଆନୁଷ୍ଠାନିକ ରୂପ ଦେଇଥିଲେ ଜର୍ମାନ ପ୍ରକାଶକ ସମିତି ୧୯୪୯ ମସିହାରେ। ଏଥର ଏହି ପୁସ୍ତକମେଳାର ସମ୍ମାନାସ୍ପଦ ଅତିଥି (ଗେଷ୍ଟ ଅଫ୍‌ ଅନର) ହେଉଛି କାନାଡା। ସେହି ଦେଶର ସାହିତ୍ୟ ଉପରେ ଆଲୋଚନା ଓ ଆଲୋକପାତ କରାଯିବ। ଏହା ଭର୍ଚୁଆଲ ବୈଠକ ଜରିଆରେ ହେବ। ଅନଲାଇନରେ ବିଭିନ୍ନ ଇ-ବୁକ୍‌, ଇ-କଣ୍ଟେଣ୍ଟ ପଢ଼ିବାର ସୁଯୋଗ ମିଳିବ ଏହି ପୁସ୍ତକମେଳାର କାର୍ଯ୍ୟକ୍ରମ ଭିତରେ।

ଜର୍ମାନ ପବ୍ଲିସର୍ସ ଆଣ୍ତ୍‌ ବୁକ୍‌ ସେଲର‌୍‌ସ ଆସୋସିଏସନ୍‌ର ଅଧୢକ୍ଷା କାରିନ୍‌ ସ୍ମିଟ୍‌- ଫ୍ରେଡରିକ୍‌ସ୍‌ କହିଛନ୍ତି, ‘‘ଏହି ପୁସ୍ତକମେଳା ସାରା ବିଶ୍ବର ବୃହତ୍ତମ ପୁସ୍ତକମେଳା କେବଳ ନୁହେଁ, ଏହା ମଧୢ ସଦା ପ୍ରାଣବନ୍ତ ଏବ˚ ଯୁଗ ସହିତ ତାଳ ଦେଇ ଅଦଳବଦଳ ହୋଇ ଚାଲିଛି। କିନ୍ତୁ ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ପ୍ରତ୍ୟକ୍ଷ ସ୍ଥଳ (ଅନ୍‌ ସାଇଟ୍‌)ରେ ପୁସ୍ତକ ପ୍ରଦର୍ଶନୀ ବନ୍ଦ କରିବାକୁ ଆମେ ବାଧୢ ହୋଇଛୁ। ତେବେ ଏହି ପୁସ୍ତକମେଳା ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମ ମଧୢରୁ ଯେତିକି ସମ୍ଭବ ତାହା କରାଯିବ।’’

ଏଥର ନିଷ୍ପତ୍ତି ହୋଇଛି ଯେ ଏହି ପୁସ୍ତକମେଳାରେ ଅ˚ଶ ଗ୍ରହଣ କରିବାକୁ ଇଚ୍ଛୁକ ପ୍ରକାଶକ ବା ପ୍ରକାଶନୀ ସ˚ସ୍ଥା ସହିତ ସ˚ଯୁକ୍ତ ଅନ୍ୟମାନେ ମଧୢ ଅନଲାଇନରେ ନାମ ପଞ୍ଜୀକରଣ କରିବେ। ପ୍ରତ୍ୟେକ ପ୍ରକାଶକଙ୍କର ପ୍ରୋଫାଇଲ୍‌ ପ୍ରସ୍ତୁତ କରାଯିବ। ସେଥିରେ ରହିବ ପ୍ରକାଶନର ଲୋଗୋ ଏବ˚ ପ୍ରକାଶନୀ ସ˚ସ୍ଥାର େଵବସାଇଟ୍‌ର ଲିଙ୍କ୍‌। ସାମାଜିକ ଗଣମାଧୢମ ବା ସୋସିଆଲ୍‌ ମିଡିଆରେ ପ୍ରୋଫାଇଲ୍‌ ରହିଥିଲେ ତାହାର ଲିଙ୍କ୍‌ ସହ ଅନ୍ୟାନ୍ୟ ତଥ୍ୟ ମଧୢ ଦେବାକୁ ହେବ। ଫ୍ରାଙ୍କଫର୍ଟ ପୁସ୍ତକ ମେଳାର ଅନ୍ୟତମ କର୍ମକର୍ତ୍ତା ଇଉଗେନ୍‌ ବୁସ୍‌ ପ୍ରକାଶ କରିଛନ୍ତି ଯେ ଡିଜିଟାଲ ମୋଡ୍‌ରେ ଏହି ପୁସ୍ତକମେଳା ଆୟୋଜନ କରିବା ଉପରେ ସେମାନେ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ‘ଯାହା ଆଗରୁ କେବେହେଲେ ଚିନ୍ତା କରାଯାଇନଥିଲା, ତାହା ଏବେ କରିବାକୁ ହେଉଛି’ ବୋଲି ସେ କହିଛନ୍ତି। ଏହି ପୁସ୍ତକମେଳାର ଅଧିକା˚ଶ ଆଲୋଚନା ସଭା ଅନଲାଇନରେ କରିବାର ନିଷ୍ପତ୍ତି ନିଆଯାଉଛି। ଏହା ସଫଳ ହେବ ବୋଲି ସେ ଖୁବ୍‌ ଆଶାବାଦୀ ଅଟନ୍ତି। ତାଙ୍କ ମତରେ, ଆନ୍ତର୍ଜାତିକ ପ୍ରକାଶନୀ ସ˚ସ୍ଥାଗୁଡ଼ିକ ପାଇଁ ଏଥର ଏହି ପୁସ୍ତକମେଳା ମାଧୢମରେ ଡିଜିଟାଲ୍‌ ତଥ୍ୟ ପ୍ରସାରଣ ସମେତ ଆହୁରି ଅନେକ ପ୍ରଚାର ପଥ ଖୋଲିଯିବ। ଏହାଛଡ଼ା, ଅନଲାଇନରେ ବି ଆହୁରି ବେଶି ପୁସ୍ତକର ସନ୍ଧାନ ମିଳିପାରିବ। ସବୁଠୁ ଯାହା ଆକର୍ଷଣୀୟ ହେବ, ତାହା ‌ହେଲା ଵବିନାରରେ ବିଶ୍ବର ବିଶିଷ୍ଟ ସାହିତ୍ୟିକମାନଙ୍କର ବକ୍ତବ୍ୟ ଶୁଣିବା।

ଆମ ଦେଶରେ ସବୁଠାରୁ ବଡ଼ ପୁସ୍ତକମେଳା ଅନୁଷ୍ଠିତ ହୁଏ କଲିକତାରେ। କଲିକତା ପୁସ୍ତକମେଳାର ଆୟୋଜକ ‘ବୁକ୍‌ ସେଲର‌୍‌ସ ଆଣ୍ତ ପବ୍ଲିସର‌୍‌ସ ଗିଲ୍‌ଡ୍‌’ ଏ ବର୍ଷ ଫ୍ରାଙ୍କଫର୍ଟ ପୁସ୍ତକମେଳାରେ ଯୋଗଦେଉନାହିଁ। ଗିଲ୍‌ଡ୍‌ ତରଫରୁ ଏ କଥା ଜଣାଇଛନ୍ତି ତ୍ରିଦିବ ଚାଟାର୍ଜୀ। ସେ କହିଛନ୍ତି, ‘‘ଫ୍ରାଙ୍କଫର୍ଟ ପୁସ୍ତକମେଳାକୁ ୧୪ ଥର ଯାଇଛି ଗିଲ୍‌ଡ୍‌ର ପ୍ରତିିନିଧି ହିସାବରେ। କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ସେଠାକୁ ଯିବା ସମ୍ଭବପର ନୁହେଁ। ଆଉ ସେଠାରେ ପୁସ୍ତକମେଳା ତ ଭର୍ଚୁଆଲ ହୋଇଯାଇଛି।’’ ସେ ଆହୁରି କହିଛନ୍ତି ଯେ ଏହି ପୁସ୍ତକମେଳା ମୂଳତଃ ପ୍ରକାଶକମାନଙ୍କର ମେଳା। ତେବେ ପୁସ୍ତକମେଳାର ଶେଷ ଦୁଇ ଦିନ ସ୍ଥାନୀୟ ଲୋକେ ବହି କିଣିବାକୁ ଆସିଥାନ୍ତି। ଆଉ ଏଠାରେ ହିଁ ଅନ୍ୟ ଦେଶଗୁଡ଼ିକର ପ୍ରକାଶକମାନଙ୍କ ସଙ୍ଗେ ଆଳାପ ଆଲୋଚନା ହେବା ପରେ ସେମାନଙ୍କ ମଧୢରୁ ଅନେକେ କଲିକତା ପୁସ୍ତକମେଳାକୁ ଆସିଛନ୍ତି।

କରୋନା ତାଡ଼ନାରେ ମଣିଷ ଯେତେବେଳେ ମାନସିକ ଭାବରେ ବିପର୍ଯ୍ୟସ୍ତ, ସେତେବେଳେ ଫ୍ରାଙ୍କଫର୍ଟ ପୁସ୍ତକମେଳାର କର୍ତ୍ତୃପକ୍ଷ ଡିଜିଟାଲ ପ୍ଲାଟ୍‌ଫର୍ମରେ ଚାଲୁ କରିବାକୁ ଯାଉଛନ୍ତି ‘ସିଗ୍‌ନାଲ ଅଫ୍‌ ହୋପ୍‌’ (ଆଶାର ସ˚କେତ)। ଏହି ଦୁଃସମୟ ନିଶ୍ଚୟ କଟିଯାଇ ପୁଣି ଆଶାର ଆଲୋକ ଦେଖାଯିବ, ଏମିତି ଏକ ଥିମ୍‌ ବା ବିଷୟବସ୍ତୁ ନେଇ ସାହିତ୍ୟ, ସ˚ସ୍କୃତି ଓ ସଙ୍ଗୀତର ବିଭିନ୍ନ ଆସର ଅନୁଷ୍ଠିତ ହେବ। ଲେଖା ହେବ ଆଶାବାଦର ନୂତନ ସ୍ଲୋଗାନ୍‌।

ମୋ- ୯୧୨୪୫୬୨୬୨୬

ସମ୍ବନ୍ଧିତ ଖବର