ଦୁର୍ଗୁଣ ଠାବ

କଥାଟିଏ - ଯାଯାବର

ଜଣେ ବ୍ୟକ୍ତି ଗୁରୁଙ୍କୁ ପଚାରିଲେ- ମହାଶୟ, ମୁଁ ମୋର ଦୁର୍ଗୁଣ ସବୁକୁ କେମିତି ଜାଣିବି?

ଗୁରୁ କହିଲେ- ତୁମେ ନିଜକୁ ଅନ୍ୟର ଆଖିରେ ଦେଖିବାକୁ ଚେଷ୍ଟା କର।

ସେଇ ବ୍ୟକ୍ତି କହିଲେ- ମୁଁ ତେବେ ସେଭଳି କରି ମୋର ଗୋଟିଏ ବଡ଼ ବଦ୍‌ଗୁଣ ବାବଦରେ କହୁଛି। ଆପଣ ବିଚାର କରନ୍ତୁ ମୁଁ ସଫଳ ହେଲି କି ନାହିଁ?

ଗୁରୁ କହିଲେ- ଚେଷ୍ଟା କର।

ଭଦ୍ରବ୍ୟକ୍ତି ଆଖି ବୁଜି କିଛି ସମୟ ସ୍ଥିର ହୋଇ ବସିଲେ ଏବ˚ ତା ପରେ କହିଲେ- ମୋର ଏକ ବଡ଼ ଦୁର୍ଗୁଣ ହେଲା ମୁଁ କାହାକୁ କିଛି ମନା କରିପାରେ ନାହିଁ। ତେଣୁ ମୁଁ ବହୁବାର ଠକାମିର ଶିକାର ହେଲିଣି।

ଗୁରୁ ଅଳ୍ପ ହସି କହିଲେ- ତୁମେ ଏବେ ଯେଉଁ ଗୁଣକୁ ତୁମ ଦୁର୍ଗୁଣ ବୋଲି କହିଲ ପ୍ରକୃତରେ ତାହା ଏକ ଭଲ ଗୁଣ। ତାହା ସୂଚାଏ ତୁମେ କେତେ ଉଦାର! କିନ୍ତୁ ଏହା ହେଉଛି ଏକ ମିତ୍ର ଦୃଷ୍ଟି। କିନ୍ତୁ ନିଜ ଦୁର୍ଗୁଣ ଜାଣିବାକୁ ହେଲେ ନିଜକୁ ଶତ୍ରୁ ଦୃଷ୍ଟିରେ ଦେଖିବା ଦରକାର। ସେଇ ଦୃଷ୍ଟିରେ ତୁମେ ନିଜକୁ କ୍ଷମା ଦେବାକୁ ଚେଷ୍ଟା କରିବ ନାହିଁ। କିନ୍ତୁ ତାହା ହାସଲ କରିବା କଷ୍ଟକର। ଏବେ ନୁହେଁ, ତୁମେ ନିଜ ଘରକୁ ଯାଇ ସେହି ଦୃଷ୍ଟିରେ ନିଜକୁ ଦେଖିବାର ଅଭ୍ୟାସ କର।

ସେହି ଭଦ୍ରବ୍ୟକ୍ତି ଘରକୁ ଫେରିଲେ ଏବଂ ନିଜ ପ୍ରତି ସେହିଭଳି ଏକ ନିରାସକ୍ତ ଦୃଷ୍ଟିଭଙ୍ଗୀ ପୋଷଣ କରିବାର ଚେଷ୍ଟା କଲେ। କିଛି ଦିନ ପରେ ସେ ଗୁରୁଙ୍କ ପାଖକୁ ଫେରିଲେ ଏବଂ କହିଲେ- ମୁଁ ବୁଝିପାରୁଛି ଯେ ମୁଁ ଅତ୍ୟନ୍ତ ଅହଙ୍କାରୀ ଥିଲି। ତାହା ମୋର ସବୁଠାରୁ ବଡ଼ ଦୁର୍ଗୁଣ। ସେଥି ଲାଗି ମୋତେ ମୋର ଅନ୍ୟାନ୍ୟ ଦୁର୍ଗୁଣ କିଛି ‌ହେଲେ ଦିଶୁ ନ ଥିଲା।

ସମ୍ବନ୍ଧିତ ଖବର