ମନ୍ତ୍ରୀଙ୍କ ବୁଦ୍ଧି

କଥାଟିଏ - ଯାଯାବର

ଜଣେ ରାଜା ଥରେ ତାଙ୍କ ମନ୍ତ୍ରୀଙ୍କ ଉପରେ ବିଗିଡ଼ି ଗଲେ। ତାଙ୍କୁ ସିଧା ମୃତ୍ୟୁ ଦଣ୍ତାଦେଶ ଶୁଣାଇ ଦିଆଗଲା। ମନ୍ତ୍ରୀ ଫାଶୀ ପାଇବାର ଦିନ ସ୍ଥିର ହୋଇଗଲା। ସେ ରାଜ୍ୟରେ ନିୟମଟିଏ ଥିଲା ଯେ ଯଦି କୌଣସି ଲୋକ ମୃତ୍ୟୁ ଦଣ୍ତ ପାଏ, ତେବେ ସେ ଫାଶୀରେ ଝୁଲିବା ଦିନ ରାଜା ଯାଇ ତାକୁ ଭେଟୁଥିଲେ।

ତେଣୁ ମନ୍ତ୍ରୀଙ୍କ ଫାଶୀ ପାଇବା ଦିନ ସକାଳୁ ମହାରାଜା ତାଙ୍କର ସବୁଠାରୁ ଭଲ ଧଳା ଘୋଡ଼ାଟି ଚଢ଼ି ମନ୍ତ୍ରୀଙ୍କୁ ଭେଟିବାକୁ ଆସିଲେ। ମନ୍ତ୍ରୀ ତାଙ୍କ ବନ୍ଦୀଶାଳାର କୋଠରି ଭିତରୁ ଏ କଥା ଦେଖିପାରିଲେ।

ରାଜା ମନ୍ତ୍ରୀଙ୍କ ବନ୍ଦୀଶାଳା ଭିତରକୁ ପଶିବା କ୍ଷଣି ମନ୍ତ୍ରୀ କାନ୍ଦିବାକୁ ଲାଗିଲେ। ରାଜା ପଚାରିଲେ- କଅଣ ମନ୍ତ୍ରୀ ଫାଶୀ ଖୁଣ୍ଟରେ ଝୁଲିବାକୁ ଭୟ ଲାଗୁଛି।

ମନ୍ତ୍ରୀ କହିଲେ- ମହାରାଜ ମୁଁ ଫାଶୀରେ ଝୁଲିବା ଭୟରୁ କାନ୍ଦୁ ନାହିଁ। ପ୍ରକୃତ କଥା ହେଲା, ଆପଣଙ୍କ ଘୋଡ଼ାକୁ ଦେଖି କାନ୍ଦୁଛି।

ରାଜା ବିସ୍ମିତ ହୋଇ ପଚାରିଲେ- କିଓ, କଥା କ’ଣ?

ମନ୍ତ୍ରୀ କହିଲେ- ମହାରାଜ, କଥା ହେଲା ମୁଁ ଯେତେବେଳେ ତରୁଣ ଥିଲି ସେତିକି ବେଳେ ଜଣେ ଯାଦୁକରଙ୍କ ସହିତ ମୋର ମିତ୍ରତା ହୋଇଥିଲା। ସେ ମୋତେ ଗୋଟିଏ ଚମକପ୍ରଦ ବିଦ୍ୟା ଶିଖାଇଥିଲେ। ତାହା ହେଉଛି ଘୋଡ଼ାକୁ ଉଡ଼ିବାର କୌଶଳ ଶିକ୍ଷା ଦେବା। କିନ୍ତୁ ସବୁ ଘୋଡ଼ା ଏ କୌଶଳ ଶିଖିପାରିବେ ନାହିଁ। କେଉଁ ଘୋଡ଼ା ସେ ବିଦ୍ୟାକୁ ଆୟତ୍ତ କରିପାରିବ, ସେ କଥା ମୁଁ ଜାଣିପାରିବି। ମୁଁ ଏବେ ଦେଖିଲି ଯେ ଆପଣ ଯେଉଁ ଘୋଡ଼ାରେ ଆସିଛନ୍ତି, ସେ ଘୋଡ଼ା ଉଡ଼ିବା ଶିଖିପାରିବ। କିନ୍ତୁ କଅଣ ହେବ। ଆଜି ସ˚ଧୢାରେ ମୋ ସହିତ ମୋ ବିଦ୍ୟା ବି ଲୋପ ପାଇଯିବ।

ରାଜା ଏହା ଶୁଣି ମନ୍ତ୍ରୀଙ୍କୁ କହି ଉଠିଲେ- ଲୋପ ପାଇଯିବ? ମନ୍ତ୍ରୀ ପ୍ରଥମେ ଏ ବିଦ୍ୟା ମୋ ଘୋଡ଼ାକୁ ଶିଖାଅ।

ମନ୍ତ୍ରୀ କହିଲେ ସେଥିଲାଗି ଏକ ସପ୍ତାହର ବିଜନତା ଲୋଡ଼ା।

ରାଜା କହିଲେ- ଚଳିବ।

ଏବେ ଘୋଡ଼ାକୁ ଧରି ମନ୍ତ୍ରୀ ଘରକୁ ଆସିଲେ। ତା’ ପରେ ଯାହା ହେବା କଥା ହେଲା। ମନ୍ତ୍ରୀଙ୍କୁ ସେ ରାଜ୍ୟରେ ଆଉ କେହି କେବେ ଦେଖି ନାହାନ୍ତି।

ସମ୍ବନ୍ଧିତ ଖବର