ରାଜାଙ୍କ ସ୍ବାର୍ଥ

କଥାଟିଏ-ଯାଯାବର

ଜଣେ ଥିଲେ ଅତି ଭଲ ରାଜା; ଦୟା, କ୍ଷମା ଓ ସ୍ନେହଶ୍ରଦ୍ଧାର ଅବତାର।
ଥରେ ରାଜା ନିଜ ମନ୍ତ୍ରୀଙ୍କ ସାଙ୍ଗରେ ରାଜଧାନୀରେ ବୁଲୁଥିଲେ। ରାଜଧାନୀ ବାହାର ଜଙ୍ଗଲ କଡ଼ ଦେଇ ଯାଉଥିବା ବେଳେ ସେ ଦେଖିଲେ ଯେ ଗୋଟିଏ ଗଛରୁ ପକ୍ଷୀ ଛୁଆଟିଏ ତଳେ ପଡ଼ି ଚେଁ ଚେଁ କରୁଛି। ତା’ ମାଆ ବିକଳ ହୋଇ ଚାରି ଆଡ଼କୁ ଚାହୁଁଛି କିଛି କରିପାରୁନାହିଁ। ରାଜା ଏ କଥା ଦେଖି ଆଉ ପାଦେ ବି ଆଗକୁ ବଢ଼ି ପାରିଲେ ନାହିଁ। ସେ ସେଇ କ୍ଷଣି ଘୋଡ଼ାରୁ ଓହ୍ଲାଇ ପଡ଼ି ପକ୍ଷୀ ଛୁଆଟିକୁ ହାତରେ ଧରି ଗଛ ଉପରକୁ ଚଢ଼ିିବାକୁ ଚେଷ୍ଟା କଲେ। ମନ୍ତ୍ରୀ ମନା କରୁଥିବା ସତ୍ତ୍ବେ କଷ୍ଟେମଷ୍ଟେ କୌଣସି ଉପାୟରେ ପକ୍ଷୀ ବସାରେ ଛୁଆଟିକୁ ଥୋଇବାରେ ସମର୍ଥ ହେଲେ। ଗଛରୁ ତଳକୁ ଓହ୍ଲାଇବା ପରେ ଦେଖାଗଲା ଯେ ରାଜା କ୍ଳାନ୍ତ ଏବ˚ ଥୁଣ୍ଟା ଡାଳ ବାଜି ତାଙ୍କ ଶରୀରରୁ ରକ୍ତସ୍ରାବ ହେଉଛି, କିନ୍ତୁ ତାଙ୍କ ମୁହଁ ଆନନ୍ଦରେ ଉଜ୍ଜ୍ବଳ ଦିଶୁଛି।
ଏବେ ଉଭୟ ଫେରିଲେ। ବାଟରେ ମନ୍ତ୍ରୀ କହିଲେ- ଆପଣ ହେଉଛନ୍ତି ଆମର ମହାରାଜା। ଆପଣଙ୍କ ଭଳି ଶାସକ ଆମକୁ ମିଳିଛି ଏହା ଭାଗ୍ୟର କଥା। କିନ୍ତୁ ଏ ଟିକି ଚଢ଼େଇ ଛୁଆ ଲାଗି ଆପଣ ଯେଉଁ ବିପଦ ବରଣ କରିବାର ନିଷ୍ପତ୍ତି ନେଲେ ମୁଁ ତା’ ସହିତ ଏକମତ ହୋଇପାରୁନାହିଁ। ଆପଣ ସମସ୍ତଙ୍କୁ ଭଲ ପାଆନ୍ତି ସତ, କିନ୍ତୁ ତା’ ବୋଲି ନିଜ ସୁରକ୍ଷା ବା ଭଲମନ୍ଦ ଉପରେ ଦୃଷ୍ଟି ନ ଦେବା କେତେ ଦୂର ଯୁକ୍ତିଯୁକ୍ତ?
ରାଜା ହସିଲେ ଏବ˚ କହିଲେ- ଗୋଟିଏ ଛୋଟ କାରଣରୁ ମୁଁ ଏଭଳି କଲି। କାରଣଟି ହେଲା ମୁଁ ଅତ୍ୟନ୍ତ ସ୍ବାର୍ଥପର। ଆଜି ଯଦି ମୁଁ ଏ କାମଟି କରିପାରି ନ ଥାଆନ୍ତି, ତେବେ ଅନେକ ଦିନ ଧରି ଯେ ଅନୁତାପ ଅନଳରେ ଜଳନ୍ତି। ତେଣୁ ଏଭଳି ଅଶାନ୍ତିକୁ ଦୂରେଇ ରଖିବା ଲାଗି ମୁଁ ଏଭଳି କଲି। ମୁଁ ପକ୍ଷୀ ଛୁଆର ସ୍ବାର୍ଥ କଥା ଠାରୁ ନିଜ ସ୍ବାର୍ଥ କଥା ଅଧିକ ଚିନ୍ତା କଲି, କାରଣ ମୋ ଉଦ୍ଦେଶ୍ୟ ଥିଲା ଯେ ମୁଁ ଯେମିତି କଷ୍ଟ ନ ପାଏ।

ସମ୍ବନ୍ଧିତ ଖବର