ଶ୍ରେଷ୍ଠୀ ଓ ବୁଦ୍ଧ

କଥାଟିଏ-ଯାଯାବର

ଥରେ ଜଣେ ଶ୍ରେଷ୍ଠୀ ଅତି ଦୁଃଖିତ ମନରେ ଗୌତମ ବୁଦ୍ଧଙ୍କ ପାଖରେ ପହଞ୍ଚିଲେ। ତାଙ୍କ ଦୁଃଖର କାରଣ ଥିଲା ଯେ ସେ ପୋଷିଥିବା ଏକ ଶୁକ ପକ୍ଷୀ ଟିକିଏ ସୁଯୋଗ ପାଇବା ମାତ୍ରକେ ତା’ର ସୁନା ପଞ୍ଜୁରି ଛାଡ଼ି ଉଡ଼ି ପଳାଇ ଯାଇଥିଲା। ଶ୍ରେଷ୍ଠୀ ପକ୍ଷୀଟିକୁ ଅସମ୍ଭବ ଭାବେ ଭଲ ପାଉଥିଲେ। ସୁତରାଂ ପକ୍ଷୀଟି ଉଡ଼ିଯିବା ଜନିତ କଷ୍ଟ ସେ ସହି ନ ପାରି ଗୌତମ ବୁଦ୍ଧଙ୍କ ଠାରୁ ସାନ୍ତ୍ବନାର କେଇ ପଦ ଶୁଣି ମନକୁ ହାଲୁକା କରିବା ଲାଗି ଆସିଥିଲେ।
ବୁଦ୍ଧ ସବୁ ଶୁଣି କହିଲେ- ତୁମେ ପକ୍ଷୀଟିକୁ ଅତି ମାତ୍ରାରେ ଭଲ ପାଉଥିଲ ସତ, କିନ୍ତୁ ତୁମ ଦୁଃଖର କାରଣ ଭଲ ପାଇବା ନୁହେଁ, ଦୁଃଖର କାରଣ ହେଲା ଆସକ୍ତି।
ଶ୍ରେଷ୍ଠୀ ଏହା ଶୁଣି କହିଲେ- ଆପଣ ହୁଏତ ଠିକ୍‌ କଥା କହୁଛନ୍ତି! କିନ୍ତୁ ପ୍ରେମ ବା ସ୍ନେହ କରିବାର ଅର୍ଥ ତ ଆସକ୍ତ ହେବା! ବିନା ଆସକ୍ତିରେ ସ୍ନେହ ସମ୍ଭବ କି?
ବୁଦ୍ଧ ଏହା ଶୁଣି ନିଜ ହାତଟିକୁ ଉପରକୁ ଟେକି ଦେଲେ। ଗଛ ଉପରୁ ଏକ ପକ୍ଷୀଟିଏ ଉଡ଼ି ଆସି ହାତ ଉପରେ ବସି ପଡ଼ିଲା। ବୁଦ୍ଧ ହସିଲେ। କିଛି କ୍ଷଣ ପରେ ପକ୍ଷୀଟି ଉଡ଼ିଗଲା।
ବୁଦ୍ଧ କହିଲେ ମୁଁ ଅନେକ ସମୟରେ ଏମିତି ହାତ ଟେକି ଦେଲେ ସେ ଆସି ବସି ପଡ଼େ। କିନ୍ତୁ ଦିନେ ଦିନେ ଆସେ ନାହିଁ। କିନ୍ତୁ ସେ କୁଆଡ଼େ ଗଲା ବୋଲି ମୁଁ ଘାରି ହୁଏ ନାହିଁ। କାରଣ, ତା’ ଲାଗି ଦୁନିଆ ଉନ୍ମୁକ୍ତ। ତାକୁ ଯେଉଁଠି ଅଧିକ ଆନନ୍ଦ ମିଳିବ ସେ ସେଠାକୁ ଯାଇପାରେ! ତାକୁ ଯଦି ମୁଁ ପ୍ରକୃତରେ ଭଲ ପାଉଥାଏ, ତେବେ ମୁଁ ତାହା ହିଁ ତ ଚାହିଁବି! ଏ ପ୍ରକାର ସ୍ନେହ ତାକୁ ଏଭଳି ମୁକ୍ତ କରି ଦେଇଛି ଯେ ସେ ନିୟମିତ ଆସି ନ ପାରେ, କିନ୍ତୁ ସେ ମୋତେ ପରିତ୍ୟାଗ କରିବ ନାହିଁ। ଏହା ହେଉଛି ନିରାସକ୍ତ ସ୍ନେହ, ଯାହା ବାନ୍ଧି ରଖେ ନାହିଁ, ମୁକ୍ତ କରିଦିଏ। ଏ ପ୍ରକାର ପ୍ରେମରେ ଉଭୟ ମୁକ୍ତ ରହନ୍ତି, କିନ୍ତୁ ସେହି ଭିତରେ ବି ଏକ ଅପୂର୍ବ ବନ୍ଧନ ରହିଥାଏ।

ସମ୍ବନ୍ଧିତ ଖବର