ସରସ ରସ: ସଇତାନର ଓକିଲ

ସୁଭାଷ ପଟ୍ଟନାୟକ

ସଇତାନର ଓକିଲ କିଏ, ସେ ସଂପର୍କରେ ଆଲୋଚନା କରିବା ପୂର୍ବରୁ ଦୁଇଟି ଉଦାହରଣ ଦେଖନ୍ତୁ:
ଝିଅ ବାହାଘର ପାଇଁ ପରିବାରର ସମସ୍ତେ ମିଶି ସର୍ବସମ୍ମତିରେ ପ୍ରସ୍ତାବଟିଏ ଚୂଡ଼ାନ୍ତ କଲେ। ବାହାଘର ତାରିଖ ସ୍ଥିର ହୋଇଗଲା। ମାତ୍ର ଝିଅର ସାନ ଭାଇ ଜିଦ୍ କଲା ଏମିତି ତ୍ବରିତ ନିଷ୍ପତ୍ତି ନ ନେଇ ପ୍ରସ୍ତାବଟି ଉପରେ ଅଧିକ ଅନୁସନ୍ଧାନ କରାଯାଉ। ସମଗ୍ର ପରିବାର ସାନ ପୁଅ ଉପରେ ଅସନ୍ତୁଷ୍ଟ ହେଲେ ମଧ୍ୟ ଅଗତ୍ୟା ବିବାହ ସ୍ଥଗିତ ରଖିବାକୁ ବାଧ୍ୟ ହେଲେ। ପୁଅ ପକ୍ଷ କିନ୍ତୁ ଅପେକ୍ଷା ନକରି ଅନ୍ୟତ୍ର ବାହାଘର କରିଦେଲେ। ଭଲ ପ୍ରସ୍ତାବ ହାତଛଡ଼ା ହେବାରୁ ଝିଅର ଭାଇକୁ ସମସ୍ତେ ତିରସ୍କାର କଲେ। କିଛି ଦିନ ପରେ ଖବର ମିଳିଲା ଯେ, ସେ ପିଲାଟିର ନିଶା ଖାଇବା ଅଭ୍ୟାସ ଥିଲା ଓ ଯକୃତ କ୍ୟାନସରରେ ପୀଡ଼ିତ ହୋଇ ତା’ର ମୃତ୍ୟୁ ହୋଇଯାଇଛି। ପରିବାରର ମତୈକ୍ୟ ସତ୍ତ୍ବେ କେବଳ ଜଣକର ମତପାର୍ଥକ୍ୟ ଝିଅ ଓ ତା’ ପରିବାରକୁ ଏକ ନିଶ୍ଚିତ ବିପର୍ଯ୍ୟୟରୁ ରକ୍ଷା କରିଦେଲା।
ପୁରୁଣା ସିନେମାଟିଏ ଆମେ ଦେଖିଥିଲୁ, ‘ଟୁଏଲଭ୍ ଆଙ୍ଗ୍ରି ମେନ୍’। ସିନେମାରେ ଜଣେ ନାବାଳକ ନିଜ ପିତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛି। ବାର ଜଣ ବିଚାରପତିଙ୍କ ମଧ୍ୟରୁ ଏଗାର ଜଣ ସର୍ବସମ୍ମତିରେ ଦଣ୍ଡବିଧାନ କରିଛନ୍ତି। ଦ୍ବାଦଶ ବିଚାରପତି ଭିନ୍ନ ଦିଗକୁ ତଥ୍ୟ ପ୍ରମାଣର ତର୍ଜମା କରି ଅନ୍ୟ ବିଚାରପତିମାନଙ୍କୁ ପିଲାଟି ନିର୍ଦୋଷ ଥିବାର ବିଶ୍ବାସ ଦିଆଇଛନ୍ତି। ଫଳତଃ ରାୟ ବଦଳିଯାଇ ଅଭିଯୁକ୍ତ ବାଳକ ମୁକ୍ତି ପାଇଯାଇଛି। ଏ ଦୁଇଟି ଉଦାହରଣରୁ ଆମେ ଦେଖିଲେ ପ୍ରତି-ଯୁକ୍ତି ନକରି ‘ହଁ’ରେ ‘ହଁ’ ମିଳାଇ ଦେବାର ବିପଦ କ’ଣ। ଯେଉଁ ସ୍ଥାନରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଉଥାଏ ସେଠାରେ ଆବଶ୍ୟକ ପଡ଼େ ‘ଦଶମ ବ୍ୟକ୍ତି ନିୟମ’ ବା ‘ଟେନଥ୍ ମ୍ୟାନ ରୁଲ୍’ର ପ୍ରୟୋଗ। ଏ ନିୟମଟି ହେଉଛି, ଯେଉଁଠାରେ ଦଶ ଜଣଙ୍କ ମଧ୍ୟରୁ ନଅ ଜଣ ସର୍ବସମ୍ମତ ନିଷ୍ପତ୍ତି ନିଅନ୍ତି ଦଶମ ବ୍ୟକ୍ତିର ନୈତିକ ଦାୟିତ୍ୱ ହେଉଛି ସେ ଯୁକ୍ତି ଆଧାରରେ ତା’ର ବିରୋଧ କରି ନିଷ୍ପତ୍ତିଟିର ପୁନର୍ବିଚାର କରାଇବା। ଏ ଦଶମ ବ୍ୟକ୍ତିକୁ କୁହାଯାଏ ‘ସଇତାନର ଓକିଲ’ ବା ‘ଡେଭିଲସ୍ ଆଡଭୋକେଟ’। କୌଣସି ଏକ ନିଷ୍ପତ୍ତିରେ ଥିବା ବୈଚାରିକ ତ୍ରୁଟିକୁ ସୁଧାରିବାରେ ସଇତାନର ଓକିଲ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଏ।
ଆମର ବିଶ୍ବାସ ଯେ, ସର୍ବସମ୍ମତିରେ ନିଆଯାଇଥିବା ନିର୍ଣ୍ଣୟଟି ତ୍ରୁଟିଶୂନ୍ୟ, ତେଣୁ ସର୍ବମାନ୍ୟ ଓ ପ୍ରଶ୍ନାତୀତ। ମନୁଷ୍ୟ ଏକ ଗୋଷ୍ଠୀଭୁକ୍ତ ପ୍ରାଣୀ। ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ପାରିବାରିକ, ଏପରି ଅନେକ ଗୋଷ୍ଠୀର ସେ ସଦସ୍ୟ। ଗୋଷ୍ଠୀ ନେଉଥିବା ନିର୍ଣ୍ଣୟକୁ ବିନା ପ୍ରତିବାଦରେ ସେ ମାନି ନେଇଥାଏ, ଅନ୍ୟଥା ଗୋଷ୍ଠୀଚ୍ୟୁତ ହେବାର ଡର ଥାଏ। ମାଇକେଲ୍ ସେରମର୍ ତାଙ୍କର ‘ଦ ବିଲିଭିଂ ବ୍ରେନ୍’ ବହିରେ ଲେଖିଛନ୍ତି, ସଂଘବଦ୍ଧ ମନୁଷ୍ୟର ମସ୍ତିଷ୍କ ଏକ ବିଶ୍ବାସ ତିଆରି ଇଞ୍ଜିନ୍, ଯିଏ ପ୍ରଥମେ ବିଶ୍ବାସଟିଏ ସୃଷ୍ଟି କରେ ଓ ପରେ ସେ ବିଶ୍ବାସକୁ ସତ୍ୟ ଦର୍ଶାଇବାକୁ ଅନ୍ୟମାନଙ୍କ ମସ୍ତିଷ୍କକୁ ବ୍ୟବହାର କରେ। ଗୋଷ୍ଠୀଭୁକ୍ତ ସଦସ୍ୟମାନେ ଯେତେବେଳେ ସର୍ବସମ୍ମତ ନିର୍ଣ୍ଣୟ ନିଅନ୍ତି, ବିଚାର ବୁଦ୍ଧିର ବିଭିନ୍ନତା ସତ୍ତ୍ବେ ସମସ୍ତେ ବିନା କିଛି ପ୍ରତିବାଦରେ ତାହା ମାନିନିଅନ୍ତି। ଭିନ୍ନମତ ଗ୍ରହଣର ସୁଯୋଗ ନଥିବାରୁ ଅନେକ କ୍ଷେତ୍ରରେ ଦଳ ସମସ୍ୟା ଭିତରେ ପଡ଼ିଯାଏ। ଜୀବନର ପ୍ରତ୍ୟେକ ମୋଡ଼ରେ ସେଥିପାଇଁ ଜଣେ ସଇତାନର ଓକିଲ ରହିଥିବା ଜରୁରୀ। ସାମାଜିକ ଜୀବନ, ସାହିତ୍ୟ, ରାଜନୀତି ଓ ନ୍ୟାୟ, ସବୁ କ୍ଷେତ୍ରରେ ଏହାର ଆବଶ୍ୟକତା ରହିଛି। ଏମାନେ ଗୋଠଖଣ୍ଡିଆ ନୁହନ୍ତି, ଗୋଠରକ୍ଷକ।
ଏକଥା ଠିକ୍ ଯେ, କୌଣସି ଏକ ବ୍ୟବସ୍ଥାକୁ ସୁସଂଗଠିତ କୁହାଯିବ ଯେତେବେଳେ ତା’ର ସଦସ୍ୟବୃନ୍ଦ ମିଳିତ ନିଷ୍ପତ୍ତି ନିଅନ୍ତି। ମାତ୍ର ମତପାର୍ଥକ୍ୟ ବିନା ନିର୍ଣ୍ଣୟଟି ଉପରେ ସବିଶେଷ ଆଲୋଚନା ହୋଇପାରିବ କି? ସାଂଗଠନିକ ପୂର୍ବାଗ୍ରହ ଓ ଗୋଷ୍ଠୀଗତ ବାଧ୍ୟବାଧକତା ବିପରୀତ ଯୁକ୍ତି ରଖିବାରେ ଅନ୍ତରାୟ ହେବନି କି? ମାର୍କ ଟ୍ବେନ୍ କହିଥିଲେ, “ଯଦି ଆପଣ ନିଜକୁ କେବେ ସର୍ବସମ୍ମତ ନିର୍ଣ୍ଣୟର ସପକ୍ଷରେ ଥିବା ଅନୁଭବ କରନ୍ତି, ସେହିଠାରେ ଅଟକିରହି ନିଜ ମତର ପୁନଃସମୀକ୍ଷା କରନ୍ତୁ”। ଆମ ଦେଶରେ ଭିନ୍ନମତ ରଖୁଥିବା ବ୍ୟକ୍ତିକୁ ଆମେ ଶତ୍ରୁ ମନେ କରୁ। ଏବେ ଆମେ ଏପରି ଏକ ସାମାଜିକ ବ୍ୟବସ୍ଥା ମଧ୍ୟରେ ବାସ କରୁଛେ, ଯେଉଁଠାରେ ‘ଦଶମ ବ୍ୟକ୍ତି ନିୟମ’ର ଏକାନ୍ତ ଆବଶ୍ୟକତା ଅନୁଭୂତ ହେଉଛି। ଧ୍ରୁବୀକରଣର ପରିଣାମ ସ୍ବରୂପ ଆମେ ଏକ ଜଳ ବୁଦ୍‌ବୁଦ ମଧ୍ୟରେ ବାସ କରିବାକୁ ବାଧ୍ୟ ହେଉଛେ ଏବଂ ଏପରି ସବୁ ଦୃଷ୍ଟିକୋଣର ସନ୍ଧାନରେ ଲାଗିଛେ, ଯାହା ଆମର ବିଶ୍ବାସର ଅନୁରୂପ ହୋଇଥିବ ଓ ବୌଦ୍ଧିକ ସ୍ତରରେ ଆମର ବଦ୍ଧମୂଳ ଧାରଣାଗୁଡ଼ିକ ପ୍ରତି ଆହ୍ବାନ ସୃଷ୍ଟି କରୁନଥିବ। ସାମାଜିକ, ରାଜନୈତିକ ଓ ଗୋଷ୍ଠୀଗତ ଜୀବନରେ ଏପରି ଭାବନା ଏବେ ଦୃଢ଼ ହେବାରେ ଲାଗିଛି। ଦଳୀୟ ଅନୁରାଗ, ଅନ୍ଧ ଅନୁସରଣ ଓ ନିର୍ଲିପ୍ତ ସମର୍ଥନ ଆମ ବ୍ୟକ୍ତିତ୍ବକୁ କଳୁଷିତ କରୁଛି। ମତାନ୍ତରକୁ ଆମେ ମନାନ୍ତର ଭାବରେ ଧରି ନେଉଛେ। ଏପରି ଏକ ସ୍ଥିତିରେ ‘ଦଶମ ବ୍ୟକ୍ତି ନିୟମ’ଟି ଏକ ଅନିବାର୍ଯ୍ୟ ଆବଶ୍ୟକତା। ଆମେ ନେଉଥିବା ପ୍ରତିଟି ନିର୍ଣ୍ଣୟ ନିଷ୍ଠାବାନ ବିରୋଧୀ ମତର ଅମ୍ଳ-ପରୀକ୍ଷାରେ ଉତ୍ତୀର୍ଣ୍ଣ ନହେଲେ ଜୀବନଯାତ୍ରା କେଉଁ ଏକ ମୋଡ଼ରେ ଯାଇ ଅଟକି ଯାଇପାରେ। ଯେଉଁଠି ବିନା ବିଚାରରେ ସମସ୍ତେ ସହମତ ହୋଇଯାଆନ୍ତି ଜଣକୁ ସେଠାରେ ସଇତାନର ଓକିଲ ଭୂମିକା ତୁଲାଇବାକୁ ହେବ। ଭିନ୍ନମତର ବାଧ୍ୟତାମୂଳକ ଦମନ କରିବାକୁ ଯାଇ ଭିନ୍ନମତ ରଖୁଥିବା ବ୍ୟକ୍ତିର ବିନାଶ କରିଦେଲେ ନିଜ ଗୋଡ଼ରେ ନିଜେ ଅସ୍ତ୍ରାଘାତ କରିବା ପରି ହେବ। ବିପରୀତ ମତ ରଖୁଥିବା ‘ସଇତାନର ଓକିଲ’ଟି ସମାଜର ପ୍ରକୃତ ହିତକାରୀ। ଏ ଦାୟିତ୍ୱ ଆମ ଭିତରୁ ଯେ କେହି ତୁଲାଇ ପାରିବ। ତାହା ହୋଇପାରିଲେ ଅସଙ୍ଗତି, ଅନ୍ୟାୟ ଓ ଭ୍ରଷ୍ଟାଚାରର ସମୂଳ ବିନାଶ ସମ୍ଭବ ହେବ। ସଇତାନର ଓକିଲର ଦର୍ଶନ ହେଉଛି, ଯିଏ ଭିଡ଼କୁ ଅନୁସରଣ କରେ ସେ ଭିଡ଼ଠାରୁ ଆଗକୁ ଯାଇପାରେନି। ଯିଏ ଏକୁଟିଆ ଚାଲେ, ନିଜକୁ ଏପରି ଏକ ସ୍ଥାନରେ ପହଞ୍ଚାଇ ଦିଏ, ଯାହାକୁ ଭିଡ଼ ମଧ୍ୟ ଅନୁସରଣ କରେ। ସଇତାନର ଓକିଲ ହେବା ଠିକ୍ ଦୀପଟିଏ ପରି। ସ୍ଥାୟୀ ଠିକଣା ତା’ର କିଛି ନାହିଁ। ଯେଉଁଠି ରହିବ ଆଲୋକ ବାଣ୍ଟି ଚାଲିବ। କବି ଲେଖିଥିଲେ ପରା, “କିସି ଚରାଗ୍ କା ଅପନା ମକାନ୍ ନହିଁ ହୋତା/ ଯହାଁ ରହେଗା ଵହିଁ ରୋସନି ଲୁଟାଏଗା…”। ଏବେ ବିଚାର ଆପଣଙ୍କର। ସଇତାନର ଓକିଲ ହେବେ ତ?
ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର