ଡ. ପ୍ରତିଭା ରାୟଙ୍କ ‘ନଦୀ ନିସ୍ତରଙ୍ଗ’ ଉପନ୍ୟାସ ଆଧାରିତ ‘ଅପରିଚିତା’

ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍‌ର ଅଷ୍ଟାଦଶ ସ୍ମୃତିଛାୟା

ଅଶି ମସିହାରେ ମୁକ୍ତିିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଅପରିଚିତା’ର ବିଜ୍ଞାପନରେ ଏହି ଶୀର୍ଷକ ଲେଖାଯାଇଥିଲା। ଡ. ପ୍ରତିଭା ରାୟଙ୍କ ‘ନଦୀ ନିସ୍ତରଙ୍ଗ’ ଉପନ୍ୟାସ ଆଧାରିତ ‘ଅପରିଚିତା’ର ସଂଳାପ ଲେଖିଥିଲେ ନିଜେ ଲେଖିକା। ସାଧୁ ମେହରଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରର ପ୍ରମୁଖ ଭୂମିକାରେ ଥିଲେ ମହାଶ୍ବେତା, ଉତ୍ତମ ମହାନ୍ତି, ଅନୀତା ଦାସ, ବୀରେନ୍ଦ୍ର ପ୍ରସାଦ ମହାନ୍ତି, କୃପାସିନ୍ଧୁ ମହାନ୍ତି, ରୁକ୍ମିଣୀ ଦେବୀ, ଗ୍ଲୋରିଆ ମହାନ୍ତି, ତାପସ ଘୋଷ, ଗଣେଶ ଦାସ ଓ ଗଡ଼ି, ଅତିଥି ଭୂମିକାରେ ଥିଲେ ମାଳବିକା ରାୟ। ସଙ୍ଗୀତ ନିର୍ଦେଶନା ଦେଇଥିଲେ ମୁସୀର୍। ‘ଅପରିଚିତା’ ସାମାଜିକ ସଂସ୍କାର ଭିତ୍ତିକ କାହାଣୀକୁ ନେଇ ଗଢ଼ିଉଠିଥିଲା। ଓଡ଼ିଆ ଝିଅଟିଏ ବିବାହ ପାଇଁ ବାଡୁଅପାଣିରେ ଗାଧୋଇବା ପରେ ତା’ର ବାହାଘର ଭାଙ୍ଗିଯାଇଛି ଏବଂ ତତ୍କାଳୀନ ସାମାଜିକ ପ୍ରଥା ବିରୁଦ୍ଧରେ ଝିଅଟି ଏକାକୀ ସଂଗ୍ରାମ କରିଛି। ଚଳଚ୍ଚିତ୍ରର ନାୟିକା ମଲ୍ଲିକା। ତା’କୁ ବିବାହ କରିବାକୁ ଥିବା ଅଭିମନ୍ୟୁ ବେନାମୀ ଚିଠିଟିଏ ପାଇ ମଲ୍ଲିକାର ଅତୀତକୁ ନେଇ ସନ୍ଦେହ କରନ୍ତି। ବାହାଘର ଭାଙ୍ଗିଯାଏ।

ମଲ୍ଲିକା ନିଜ ଘର ଛାଡ଼ି ଦୂରରେ ରହୁଥିବା ବାନ୍ଧବୀଙ୍କ ଘରେ ଆଶ୍ରୟ ନିଏ। ସ୍ବାବଲମ୍ବୀ ହେବାକୁ ସଂଗ୍ରାମ କରେ। ଘଟଣାଚକ୍ରରେ ବିପତ୍ନୀକ ସବ୍ୟସାଚିଙ୍କ ସହ ତା’ର ଦେଖାହୁଏ ଏବଂ ତାଙ୍କ ସନ୍ତାନର ଦାୟିତ୍ବ ନିଏ। ‘ମଲ୍ଲିକା’ରୁ ସେ ହୁଏ ‘ଶୁଭ୍ରା’। ମଲ୍ଲିକାକୁ ଅଭିମନ୍ୟୁ କେବେ ବି ଦେଖି ନ ଥିଲେ। ନିଜ ସଂପର୍କୀୟା ଅପା ଅର୍ଥାତ୍‌ ମଲ୍ଲିକାର ଭାଉଜଙ୍କଠାରୁ ତା’ ବିଷୟରେ ଜାଣିଥିଲେ। ସେମାନଙ୍କ ବାହାଘର ହେବାର ଥିଲା। କିନ୍ତୁ ବେନାମୀ ଚିଠିଟିଏ ପାଇ ବାହାଘର ଭାଙ୍ଗିଥିଲେ ଅଭିମନ୍ୟୁ। ଦିନେ ସେଇ ଅଭିମନ୍ୟୁ ନିଜ ବନ୍ଧୁ ସବ୍ୟସାଚିଙ୍କ ସୂତ୍ରରୁ ଶୁଭ୍ରାକୁ ଜାଣିଲେ ଏବଂ ଶୁଭ୍ରାର ପ୍ରଣୟପ୍ରାର୍ଥୀ ହେଲେ। ଏଣେ ସବ୍ୟସାଚି ଦିବଙ୍ଗତା ପତ୍ନୀ ସ୍ବପ୍ନାଙ୍କ ରୂପ ସେ ଦେଖୁଛନ୍ତି ଶୁଭ୍ରାଠାରେ! ଶୁଭ୍ରା ଆଗରେ ସବ୍ୟସାଚି ଆଉ ଅଭିମନ୍ୟୁ? ସେ କ’ଣ କରିବ? ରୁପେଲି ପରଦାରେ ଏ ସମଗ୍ର ଦ୍ବନ୍ଦ୍ବର ସମାଧାନ ହୋଇଛି। ‘ଶୁଭ୍ରା’ ପୁଣି ‘ମଲ୍ଲିକା’ ହୋଇ ବାହାହୋଇଛି ଅଭିମନ୍ୟୁଙ୍କୁ। ‘ଅପରିଚିତା’ ଦୀର୍ଘ ବର୍ଷ ଧରି ବୃହତ୍ତର ଦର୍ଶକଙ୍କ ପାଖରେ ‘ଅପରିଚିତା’ ହୋଇ ରହିଯାଇଥିଲା। ଏହାର ପ୍ରିଣ୍ଟ ମିଳୁ ନ ଥିଲା କି ଚଳଚ୍ଚିତ୍ରର ଡିଜିଟାଇଜେସନ୍ ହୋଇ ନ ଥିଲା। ଦୀର୍ଘ ଦଶ ବର୍ଷର ସନ୍ଧାନ ପରେ ଫିଲ୍ମ ଜର୍ଣ୍ଣାଲିଷ୍ଟ୍‌ ଫୋରମ୍ ପକ୍ଷରୁ ଏହାର ଡିଜିଟାଇଜେସନ୍ କରାଯାଇଛି। ଏପ୍ରିଲ ୨୪ ତାରିଖ ଅର୍ଥାତ ଆଜି ସନ୍ଧ୍ୟାରେ ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ସ୍ମୃତିଛାୟା ପର୍ଯ୍ୟାୟରେ ‘ଅପରିଚିତା’ର ସ୍କ୍ରିନିଂ ଯୋଜନା ରହିଛି।

ସମ୍ବନ୍ଧିତ ଖବର