ମହାନାୟକ ଅମିତାଭ : ବଲିଉଡ୍‌ର ଆଙ୍ଗ୍ରି ୟଙ୍ଗମ୍ୟାନ୍‌ରୁ ଅଭିନୟର ବାଦଶାହ

ଅର୍ଦ୍ଧଶତାବ୍ଦୀର ଅଭିନୟ ଜୀବନ। ଦେଶ ବିଦେଶରେ କୋଟି କୋଟି ପ୍ରଶଂସକ। ୧୯୦ ଚଳଚ୍ଚିତ୍ର, ୧୧ ଫିଲ୍ମଫେୟାର ପୁରସ୍କାର, ୪ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ପଦ୍ମଶ୍ରୀ, ପଦ୍ମବିଭୂଷଣ ଓ ପଦ୍ମଭୂଷଣ ଭଳି ରାଷ୍ଟ୍ରୀୟ ସମ୍ମାନରେ ବିଭୂଷିତ ଅନନ୍ୟ ଅଭିନେତା ଅମିତାଭ ବଚ୍ଚନ। ବଲିଉଡ୍‌ର ଜୀବନ୍ତ କିମ୍ବଦନ୍ତୀ ପାଲଟି ଯାଇଥିବା ଏହି କୋଟି ହୃଦୟର ମହାନାୟକଙ୍କୁ ଚଳିତ ବର୍ଷ ଚଳଚ୍ଚିତ୍ର କ୍ଷେତ୍ରରେ ଦେଶର ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ପାଲ୍‌କେ ପୁରସ୍କାର’ ପାଇଁ ମନୋନୀତ କରାଯାଇଛି। ଆଜି ମହାନାୟକ ଅମିତାଭ ବଚ୍ଚନ ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ  ତାଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ବ ଓ ବୈଚିତ୍ରମୟ ଜୀବନକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

ଅମିତାଭଙ୍କ ବାପା ହରିବଂଶ ରାୟବଚ୍ଚନ ଜଣେ କାୟସ୍ଥ୍ୟ ହିନ୍ଦୁ ଓ ପ୍ରଖ୍ୟାତ କବି। ମାତା ତେଜି ପଞ୍ଜାବୀ-ଶିଖ୍‌ ଥିଲେ ଓ ଜଣେ ସମାଜସେବିକା ଭାବେ କାର୍ଯ୍ୟ କରୁଥିଲେ। ସ୍ବାଧୀନତା ସଂଗ୍ରାମରେ ଅନୁପ୍ରାଣିତ ତଥା ‘ଇନ୍‌କିଲାବ୍‌ ଜିନ୍ଦାବାଦ୍‌’ ଧ୍ବନିରେ ପ୍ରଭାବିତ ହୋଇ ହରିବଂଶ ରାୟବଚ୍ଚନ ଅମିତାଭଙ୍କ ନାମ ଇନ୍‌କିଲାବ୍‌ ରଖିଥିଲେ। ତେବେ ପରେ କବୟିତ୍ରୀ ସୁମିତ୍ରାନନ୍ଦନ ପ୍ୟାଣ୍ଟ୍‌ଙ୍କ ପରାମର୍ଶ ଅନୁଯାୟୀ ଇନ୍‌କିଲାବ୍‌ରୁ ବଦଳାଯାଇ ତାଙ୍କ ନାମ ଅମିତାଭ ରଖାଯାଇଥିଲା। ‘ଅମିତାଭ’ର ଅର୍ଥ ଥିଲା ‘ଏମିତି ଏକ ଆଲୋକ ଯାହାର ଅନ୍ତ ନାହିଁ’। ଅମିତାଭଙ୍କ ଜୀବନ ଯାତ୍ରା ଦେଖିଲେ ଏହି ନାମକୁ ସେ ସାର୍ଥକ କରିପାରିଥିବା ପ୍ରମାଣିତ ହୁଏ। ପୂର୍ବରୁ ଅମିତାଭଙ୍କ ପୂର୍ବପୁରୁଷଙ୍କ ସାଙ୍ଗିଆ ‘ଶ୍ରୀବାସ୍ତବ’ ଥିବା ବେଳେ ହରିବଂଶ ରାୟବଚ୍ଚନ ‘ବଚ୍ଚନ’ ବୋଲି ଏକ ଲେଖନୀ ନାମ ନିଜ ସହ ଯୋଡ଼ିଥିଲେ। ଏହାପରେ ପରିବାରର ସମସ୍ତଙ୍କ ସାଙ୍ଗିଆ ଶ୍ରୀବାସ୍ତବରୁ ପରିବର୍ତ୍ତିତ ହୋଇ ବଚ୍ଚନ ହୋଇଯାଇଥିଲା। ନୈନିତାଲର ଶେର୍‌ଉଡ୍‌ କଲେଜରେ ଓ ପରେ କିରୋଡିମଲ୍‌ କଲେଜରୁ ନିଜ ସ୍ନାତକ ପାଠ ଶେଷ କରିଥିଲେ ଏହି ପ୍ରଖ୍ୟାତ ଅଭିନେତା। ମା’ ତେଜି ବଚ୍ଚନଙ୍କ ନାଟକରେ ଅଭିନୟର ଆଗ୍ରହ ଥିଲା। ମା’ଙ୍କ ପ୍ରଭାବରେ ଅମିତାଭ ଅଭିନୟକୁ ବାଛିଥିବା ବିଶ୍ବାସ କରାଯାଏ। ସେ ବରିଷ୍ଠ ଅଭିନେତ୍ରୀ ଜୟା ଭାଦୁରିଙ୍କୁ ବିବାହ କରିଥିବା ବେଳେ ‌ଅଭିନେତ୍ରୀ ରେଖାଙ୍କ ସହ ପ୍ରେମ ସମ୍ପର୍କ ପାଇଁ ଚର୍ଚ୍ଚାରେ ଥିଲେ।

ବଲିଉଡ୍‌ର ଆଙ୍ଗ୍ରି ୟଙ୍ଗମ୍ୟାନ୍‌
ବଲିଉଡ଼୍‌ର ସେହନ୍‌ଶାହା ଅମିତାଭ ବଚ୍ଚନଙ୍କ ପିତା ଥିଲେ ପ୍ରଖ୍ୟାତ କବି ହରିବଂଶ ରାୟ ବଚ୍ଚନ। ୧୯୪୨ ମସିହା ଅକ୍ଟୋବର ୧୧ ତାରିଖରେ ଅମିତାଭ ଜନ୍ମଗ୍ରହଣ କରିଥିଲେ। ୭୭ ବ‌‌‌ର୍ଷରେ ଉପନୀତ ଅମିତାଭ ପ୍ରାୟ ୧୯୦ଟି ଚଳଚ୍ଚିତ୍ରରେ ଅଭିନୟ କରି ନିଜ ଜୀବଦ୍ଦଶାରେ ଜଣେ କିମ୍ବଦନ୍ତୀ ଅଭିନେତା ପାଲଟି ଯାଇଛନ୍ତି । ୧୯୬୯ରେ ‘ସାତ୍‌ ହିନ୍ଦୁସ୍ତାନୀ’ ଫିଲ୍ମ ଜରିଆରେ ସେ ବଲିଉଡ଼୍‌ରେ ପ୍ରବେଶ କରିଥି‌ଲେ। ମାତ୍ର ‘ଜଞ୍ଜିର’ ରିଲିଜ୍‌ ହେବା ପରେ ସେ ପାଲଟିଗଲେ ବଲିଉଡ୍‌ର ‘ଆଙ୍ଗ୍ରି ୟଙ୍ଗମ୍ୟାନ୍’। ବିଗତ ୫୦ ବର୍ଷର ଅଭିନୟ ଜୀବନରେ ତାଙ୍କର ଅଭିନୟ ପାଇଁ ବଲିଉଡ୍‌ର ଏଇ ବିଗ୍‌ ‘ବି’ଙ୍କୁ ମିଳିଛି ଅଜସ୍ର ପୁରସ୍କାର ଓ ଅଭିନନ୍ଦନ। ଟେଲିଭିଜନରେ ପ୍ରସାରିତ ହେଉଥିବା ‘କୌନ୍‌ ବନେଗା କରୋଡ଼ପତି’ ‌ଟେଲି କାର୍ଯ୍ୟକ୍ରମ ଜରିଆରେ ସେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛନ୍ତି। ପ୍ରଥମ ଏସୀୟ ଭାବେ ଲଣ୍ଡନସ୍ଥିତ ମାଡାମ ତୁଷାଦ ମ୍ୟୁଜିୟମରେ ତାଙ୍କର ମହମ ମୂର୍ତ୍ତି ସ୍ଥାପନ ହୋଇଛି। ଭାରତ ସରକାର ତାଙ୍କୁ ୧୯୮୪ ମସିହାରେ ପଦ୍ମଶ୍ରୀ, ୨୦୦୧ରେ ପଦ୍ମଭୂଷଣ ଏବଂ ୨୦୧୫ରେ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରିଛନ୍ତି। ସେ ଚାରି ଚାରି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି। ଫ୍ରାନ୍‌ସ ସରକାର ୨୦୦୭ ମସିହାରେ ତାଙ୍କୁ ସର୍ବାଧିକ ନାଗରିକ ସମ୍ମାନ ‘ନାଇଟ୍‌ ଅଫ୍‌ ଦି ଲେଜିଅନ ଅଫ୍‌ ଅନର’ ପ୍ରଦାନ କରିଥିଲେ। କେବଳ ଭାରତ ମଧ୍ୟରେ ତାଙ୍କର ଲୋକପ୍ରିୟତା ସୀମିତ ନାହିଁ। ଭାରତ ସମେତ ଆଫ୍ରିକୀୟ ଦେଶ, ବ୍ରିଟେନ୍‌, ମଧ୍ୟପ୍ରାଚ୍ୟ ଦେଶ, ଋଷିଆ, ଆମେରିକାରେ ସେ ବି ଲୋକପ୍ରିୟ।

Facebook

‘କୁଲି’ ଦୁର୍ଘଟଣା ମୃତ୍ୟୁ ମୁହଁରୁ ଫେରିଥିଲେ

୧୯୮୨ ମସିହା ଜୁଲାଇ ୨୬ ତାରିଖ। ବାଙ୍ଗାଲୋର ୟୁନିଭର୍ସିଟି କ୍ୟାମ୍ପସରେ ‘କୁଲି’ ଫିଲ୍ମର ସୁଟିଂ ଚାଲିଥାଏ। ଏଥିରେ ମୁଖ୍ୟ ଭୂମିକାରେ ଅଭିୟନ କରୁଥାନ୍ତି ଅମିତାଭ। ଗୋଟିଏ ସିନ୍‌ରେ ତାଙ୍କର ସହକଳାକାର ପୁନିତ୍‌ ଇସାରଙ୍କ ସହ ଏକ ଫାଇଟ୍‌ ଦୃଶ୍ୟ ଥାଏ। ଅମିତାଭ ଟେବୁଲ୍‌ ଉପରକୁ ଡେଇଁ ତଳକୁ ଖସିପଡ଼ିବାର ଗୋଟିଏ ଦୃଶ୍ୟ ସୁଟିଂ ହେବାର ଥିଲା। ସେ ଟେବୁଲ୍‌ ଆଡକୁ ଡେଇଁପଡ଼ିଲା ବେଳେ ତାଙ୍କ ତଳି ପେଟରେ ଟେବୁଲ୍‌ର ଗୋଟିଏ କୋଣ ପଶିଯାଇଥିଲା ଓ ସେ ଗୁରୁତର ହୋଇ ପଡ଼ିଥିଲେ। ଘଟଣାସ୍ଥଳରେ ଏତେ ମାତ୍ରାରେ ରକ୍ତସ୍ରାବ ହୋଇଥିଲା ଯେ ତାଙ୍କ ଜୀବନ ସଙ୍କଟାପନ୍ନ ‌େହାଇ ପଡ଼ିଲା। ଏହି ଦୁର୍ଘଟଣାର ଖବର ସମଗ୍ର ଦେଶକୁ ବିବ୍ରତ ଓ ବିଚଳିତ କରିଦେଲା। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଗଲା। ତାଙ୍କର ଅବସ୍ଥା ଏଭଳି ସଂକଟାପନ୍ନ ଥିଲା ଯେ ସେ ବଞ୍ଚିବେ ବୋଲି କେହି ବିଶ୍ବାସ କରୁ ନଥିଲେ। ଲକ୍ଷାଧିକ ଦର୍ଶକ ଓ ଫ୍ୟାନ୍ ତାଙ୍କ ଜୀବନ ପାଇଁ ମନ୍ଦିରରେ ଦୀପ ଜାଳି ଉପବାସ ରହିଥିଲେ। ଦୀର୍ଘ ଛଅ ମାସ କାଳ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଗଲେ। ଦର୍ଶକ ଓ ଫ୍ୟାନ୍‌ଙ୍କ ପ୍ରାର୍ଥନା ଓ ଭଲ ପାଇବା ବଳରେ ସେ ପୁନର୍ଜୀବନ ଲାଭ କଲେ ଏବଂ ଦୁର୍ଘଟଣାର ବର୍ଷକ ପରେ ୧୯୮୩ରେ ‘କୁଲି’ ଚଳଚ୍ଚିତ୍ରଟି ରିଲିଜ୍‌ ହେଲା। ବଚ୍ଚନଙ୍କ ଦୁର୍ଘଟଣା ଯୋ‌ଗୁଁ ଚର୍ଚ୍ଚାର ଶୀର୍ଷରେ ଥିବା ‘କୁଲି’ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସୁପରହିଟ୍‌ ବି ହେଲା। ଏ ଫିଲ୍ମଟି ବଚ୍ଚନଙ୍କ ଭାଗ୍ୟରେ ଏକ ବିରାଟ ପରିବର୍ତ୍ତନ ଆଣିଥିଲା।

ଭଏସ୍‌ ନ୍ୟାରେଟରରୁ ଫିଲ୍ମ ପରଦା
୧୯୬୯ ମସିହାରେ ମ୍ରିନାଲ୍‌ ସେନଙ୍କ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଭୁବନ ସୋମ୍‌’ ଚଳଚ୍ଚିତ୍ରରେ ଭଏସ୍‌ ନ୍ୟାରେଟର ଭାବେ ବଲିଉଡ୍‌ରେ ପ୍ରବେଶ କରିଥିଲେ ଅମିତାଭ ବଚ୍ଚନ। ଏହାପରେ ଖ୍ବାଜା ଅହମ୍ମଦ ଆଜାଦଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସାତ୍‌ ହିନ୍ଦୁସ୍ତାନୀ’ରେ ପ୍ରଥମ ଥର ପାଇଁ ଅଭିନେତା ଭାବେ ବଲିଉଡ୍‌ରେ ପ୍ରବେଶ କଲେ। ପରେ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ବିପକ୍ଷରେ ଅଭିନୀତ ‘ଆନନ୍ଦ’ ଚଳଚ୍ଚିତ୍ର ପାଇଁ ସେ ‘ଶ୍ରେଷ୍ଠ ପାର୍ଶ୍ବ କଳାକାର ଫିଲ୍ମ ଫେୟାର ପୁରସ୍କାର’ ପାଇଥିଲେ। ଏହା ପରେ ୧୯୭୧ର ‘ପର୍‌ୱାନା’, ‘ରେସ୍ମା ଔର ଶେରା’, ‘ଗୁଡ୍ଡି’ ଚଳଚ୍ଚିତ୍ରରେ ଅତିଥି କଳାକାର, ‘ବାୱର୍ଚି’ ଓ ‘ବମ୍ବେ ଟୁ ଗୋଆ’ ଆଦି ଚଳଚ୍ଚିତ୍ରରେ ଅତିନୟ କରି କିଛିରେ ସଫଳ ହୋଇଥିଲେ ତ’ ଅନେକରେ ବିଫଳ ହୋଇଥିଲେ। ଅନେକ ବିଫଳତା ମଧ୍ୟରେ ସଂଘର୍ଷ କରିଚାଲିଥିବା ଅମିତାଭଙ୍କୁ ଶେଷରେ ସଫଳତା ଓ ସୁପରଷ୍ଟାରଡମ୍‌ ପାଛୋଟିବା ପାଇଁ ଅନେଇ ବସିଥିଲା।

ରାଜନୀତିରେ ପ୍ରବେଶ ଓ ସନ୍ନ୍ୟାସ
୧୯୮୪ରେ ଅମିତାଭ ବଚ୍ଚନ ରାଜନୀତିରେ ପ୍ରବେଶ କରିଥିଲେ। ପାରିବାରିକ ବନ୍ଧୁ ରାଜୀବ ଗାନ୍ଧୀଙ୍କ ଅନୁରୋଧକ୍ରମେ ସେ ରାଜନୀତି ମୈଦାନକୁ ଓହ୍ଲାଇଥିଲେ। ସେ ଉତ୍ତରପ୍ରଦେଶର ଆହ୍ଲାବାଦ ଲୋକସଭା ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଏନ୍‌. ବହୁଗୁଣାଙ୍କ ବିରୋଧରେ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ସର୍ବାଧିକ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇ ସଂସଦକୁ ଯାଇଥିଲେ। ରାଜନୀତିର ଜଟିଳ ଗଣିତ ତାଙ୍କୁ ଅଣନିଶ୍ବା‌ସୀ କରିପକାଇଲା। ମାତ୍ର ତିନି ବର୍ଷ ପାଇଁ ରାଜନୀତିରେ ସକ୍ରିୟ ରହିବା ପରେ ସେ ୧୯୮୭ରେ ରାଜନୀତିରୁ ସନ୍ନ୍ୟାସ ନେଲେ। ସାଂସଦ ଥିଲାବେଳେ ସେ ବୋଫର୍ସ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡ଼ିଲେ। ଏହା ପରେ ସେ ଅତି ଖରାପ ସମୟ ଦେଇ ଗତି କରୁଥିଲେ ଓ ଋଣ ଭାରରେ ବୁଡ଼ି ଯାଇଥିଲେ। ତାଙ୍କ କମ୍ପାନି ‘ଏବିସିଏଲ୍‌’ ବ୍ୟାପକ କ୍ଷତି ସହିବାରୁ ଆର୍ଥିକ ସ୍ତରରେ ସେ ଦେବାଳିଆ ହୋଇଯାଇଥିଲେ। ଏହି ସମୟରେ ବଚ୍ଚନ ନିଜ ବନ୍ଧୁ ଅମର ସିଂହଙ୍କ ସମାଜବାଦୀ ପାର୍ଟିରେ ଯୋଗ ନ ଦେଇ ମଧ୍ୟ ପରୋକ୍ଷରେ ପାର୍ଟି ପାଇଁ ପ୍ରଚାର କରୁଥିଲେ। ତାଙ୍କ ପତ୍ନୀ ଜୟା ବଚ୍ଚନ୍ ସମାଜବାଦୀ ପାର୍ଟିରେ ଯୋଗ ଦେଲେ ଏବଂ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେଲେ।

ସମ୍ବନ୍ଧିତ ଖବର