ହଥରସ ଘଟଣାକୁ ନେଇ ଅନୁପ ଜଲୋଟାଙ୍କ ପ୍ରତିକ୍ରିୟା: ଦୁଷ୍କର୍ମକାରୀଙ୍କୁ ଗୁଳି ମାରିଦିଅ

ନୂଆଦିଲ୍ଲୀ: ହଥରସ ଘଟଣାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିବାବେଳେ ଏହି ଘଟଣାକୁ ନେଇ ଗଜଲ ସମ୍ରାଟ ଅନୁପ ଜଲୋଟା ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି | ସେ କହିଛନ୍ତି ଯେ ଏହିପରି ଲୋକଙ୍କୁ ତୁରନ୍ତ ଗୁଳି ମାରିଦେବା ଉଚିତ୍। ଅନୁପ ଜଲୋଟା କହିଛନ୍ତି, “ଏଭଳି ଲୋକଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ସେମାନଙ୍କୁ ଧରିବା ମାତ୍ରେ ଗୁଳି ମାରିଦେବା ଉଚିତ ନଚେତ ଫାଶୀ ଦିଆଯିବା ଉଚିତ୍। ଏହିପରି ଲୋକମାନଙ୍କର ସମାଜରେ ସ୍ଥାନ ନାହିଁ କିମ୍ବା ଜେଲରେ ଆଶ୍ରୟ ପାଇବା ଉଚିତ୍ ନୁହେଁ।

ଏହି ଘଟଣା ବିଷୟରେ ଜାଣିବା ପରେ ମୁଁ ଚକିତ ହୋଇପଡିଛି। ଯେଉଁମାନେ ଏପରି ଲଜ୍ଜାଜନକ କାର୍ଯ୍ୟ କରନ୍ତି ସେମାନେ କୌଣସି ପ୍ରକାରେ ବଞ୍ଚିବା ପାଇଁ ଯୋଗ୍ୟ ନୁହଁନ୍ତି। ଦିଲ୍ଲୀର ନିର୍ଭୟା ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଇଥିଲା, କିନ୍ତୁ ଅନେକ ସମୟ ଲାଗିଯାଇଥିଲା |ଏଭଳି ଅପରାଧ କରୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ମୃତ୍ୟୁ ଦଣ୍ଡ ଦେବା ଆବଶ୍ୟକ |

ସୂଚନା ଥାଉ କି ଦୁଇ ସପ୍ତାହ ତଳେ ଦିଲ୍ଲୀ ଠାରୁ ୨୦୦ କିମି ଦୂର ଉତ୍ତରପ୍ରଦେଶର ହଥରସ ଗାଁରେ ୪ ଜଣ ଉଚ୍ଚ ଜାତିର ପୁରୁଷଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅନୁସୂଚିତ ବର୍ଗ ଯୁବତୀଙ୍କର ଦିଲ୍ଲୀରେ ମୃତ୍ୟୁ ଘଟିଥିଲା। ପୀଡ଼ିତାଙ୍କ ଶେଷ ଦର୍ଶନ ପାଇଁ ପରିବାର ଲୋକେ ମୃତଦେହକୁ ଘରକୁ ଆଣିବା ପାଇଁ ଚାହୁଁଥିବା ବେଳେ ଉତ୍ତରପ୍ରଦେଶ ପୁଲିସ ବୁଧବାର ରାତି ୨ଟା ୪୫ମିନିଟରେ ପୀଡ଼ିତାଙ୍କ ଶବସତ୍କାର କରି ଦେଇଥିବା ସାମ୍ନାକୁ ଆସିଛି। ଆଉ ପୁଲିସର କାର୍ଯ୍ୟକଳାପକୁ ନେଇ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି |

ସମ୍ବନ୍ଧିତ ଖବର