ପରଦାକୁ ଆସିଲା ‘ବାଗି-ଥ୍ରୀ’ର ଟ୍ରେଲର, ଆକ୍ସନ ସାଙ୍ଗକୁ ରୋମାନ୍ସର ତଡକା ଲଗାଇବେ ଟାଇଗର-ଶ୍ରଦ୍ଧା

ମୁମ୍ବାଇ: ଆଗାମୀ ଆକ୍ସନ-ଡ୍ରାମା ଫିଲ୍ମ ‘ବାଗି-ଥ୍ରୀ’ର ପ୍ରଥମ ଟ୍ରେଲର ମୁକ୍ତିଲାଭ କରିଛି । ଏହି ଫିଲ୍ମରେ ପୁଣିଥରେ ଅଭିନେତା ଟାଇଗର ଶ୍ରଫଙ୍କ ଜବରଦସ୍ତ ଆକ୍ସନ ପରଦାରେ ଦେଖିବାକୁ ମିଳିବ । ସିନେମାରେ ପୁଣିଥରେ ନାୟିକା ଶ୍ରଦ୍ଧା କପୁରଙ୍କ ସହ ଟାଇଗର ରୋମାନ୍ସ କରିବେ । ଫିଲ୍ମରେ ଟାଇଗରଙ୍କ ଚରିତ୍ରର ନାମ ରହିଛି ରୋନି । ରୋନି ଓ ତାଙ୍କ ଭାଇର ଭଲପାଇବାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ସିରିଆ ବୁଲିବାକୁ ଯାଇଥିବା ରୋନିର ଭାଇଙ୍କୁ କିଛି ତାଲିବାନି ଆତଙ୍କବାଦୀ ଅପହରଣ କରି ନେଇ ଯାଆନ୍ତି । ଆଉ ନିଜ ଭାଇଙ୍କୁ ଖୋଜିବାକୁ ସିରିଆରେ ଯାଇ ରୋନି ପହଞ୍ଚନ୍ତି ।

Photo-Youtube

ସିନେମାରେ ଟାଇଗରଙ୍କ ଭାଇ ଭୂମିକାରେ ଅଭିନେତା ରିତେଶ ଦେଶମୁଖଙ୍କୁ ଦେଖିବାକୁ ମିଳିବ । ସେହିପରି ରିତେଶଙ୍କ ନାୟିକା ଭାବେ ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେଙ୍କୁ ଦେଖିବାକୁ ମିଳିବ । ଏହି ସିନେମାରେ ଟାଇଗରଙ୍କ ଜବରଦସ୍ତ ଆକ୍ସନ ଆଉ ସିକ୍ସପ୍ୟାକ୍ ବଡି ଦେଖିବାକୁ ମିଳିବ । ବାଗି ଓ ବାଗି – ଟୁର ସଫଳତା ପରେ ନିର୍ମାତା ବାଗିର ତୃତୀୟ ସଂସ୍କରଣ ଭେଟି ଦେବାକୁ ଯାଉଛନ୍ତି ।

ସାଜିଦ ନାଡିଆଡବାଲାଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଏହମ୍ମଦ ଖାନ । ଫିଲ୍ମରେ ଦ୍ୱିତୀୟ ଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି ଟାଇଗର ଓ ଶ୍ରଦ୍ଧା । ତେବେ ଏହି ସିନେମାର ଆକର୍ଷଣ ସାଜିବ ଟାଇଗରଙ୍କ ଆକ୍ସନ । ଯାହାକୁ ଦେଖିବାକୁ ପାଇଁ ସିନେ ପ୍ରେମୀ ଚାହିଁ ରହିଛନ୍ତି । ଚଳଚ୍ଚିତ୍ର ବାଗି-ଥ୍ରୀ ମାର୍ଚ୍ଚ ୬ରେ ପରଦାକୁ ଆସିବ ।

ସମ୍ବନ୍ଧିତ ଖବର