‘ପଦ୍ମାବତ୍‌’ ପରେ କୁଖ୍ୟାତ ମହିଳା ଡନ୍‌ ସାଜିବେ ଦୀପିକା

‘ପଦ୍ମାବତ୍‌’ ପାଇଁ ତ ଏବେ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ଚର୍ଚ୍ଚା ଓ ସଫଳତାର ଶୀର୍ଷରେ ରହିଛନ୍ତି, ଇତିମଧ୍ୟରେ ସେ ଆଉ ଗୋଟିଏ ଭିନ୍ନ ସ୍ୱାଦର ଫିଲ୍ମ ଗ୍ରହଣ କରିଛନ୍ତି, ଯେଉଁଥିରେ ସେ ଅଛନ୍ତି ଶୀର୍ଷକ ଭୂମିକାରେ। ଏବେ ବଲିଉଡ୍‌ରେ ସତ ଲୋକଙ୍କ କାହାଣୀକୁ ନେଇ ବା ବାୟୋପିକ୍‌ ଫିଲ୍ମର ଜମାନା ଚାଲିଛି। ଆମେ କିଛିଦିନ ତଳେ ଦେଖିଥିଲେ, ଜଣେ ମହିଳା ଅଣ୍ଡର୍‌ଓ୍ଵାର୍ଲଡ୍‌ ଡନ୍‌ ହସିନା ପାର୍କର୍‌ର ଜୀବନ କାହାଣୀକୁ ନେଇ ତିଆରି ହୋଇଥିବା ଫିଲ୍ମରେ ଶୀର୍ଷକ ଭୂମିକାରେ ଆସିଥିଲେ ଶ୍ରଦ୍ଧା କପୁର୍‌। ଦୀପିକାଙ୍କର ଏଇ ନୂଆ ଫିଲ୍ମଟି ବି ଅଣ୍ଡର୍‌ଓ୍ଵାର୍ଲଡ୍‌ର ଆଉ ଜଣେ କୁଖ୍ୟାତ ମହିଳା ଡନ୍‌ ଆସ୍‌ରଫ୍‌ ଖାଁ ଓରଫ୍‌ ସପ୍‌ନା ଦିଦିର କାହାଣୀ ଉପରେ ଆଧାରିତ। ବିଶାଳ ଭାରଦ୍ୱାଜ ଏହାର ନିର୍ଦ୍ଦେଶକ।

ସପ୍‌ନା ଦିଦିର ନାଁରେ ଏକଦା ମୁମ୍ବାଇ ଅଣ୍ଡର୍‌ଓ୍ଵାର୍ଲଡ୍‌ ଥରହର ହେଉଥିଲା। ତେବେ ସପ୍‌ନା ଦିଦି ପ୍ରଥମେ ଜଣେ ସାଧାରଣ ଘରୋଇ ମହିଳା ଥିଲା। ତା’ର ବାହାଘର ହୋଇଥିଲା ଏମିତି ଜଣେ ଲୋକ ସହିତ, ଯିଏ ଅଣ୍ଡର୍‌ଓ୍ଵାର୍ଲଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ପାଇଁ କାମ କରୁଥିଲା। ସେଥିପାଇଁ ଅଣ୍ଡର୍‌ଓ୍ଵାର୍ଲଡ୍‌ର ଅନେକ ଲୋକଙ୍କ ସହିତ ସପ୍‌ନା ଦିଦିର ପରିଚୟ ଗଢ଼ି ଉଠିଥିଲା। ଦାଉଦ୍‌ର ଚକ୍ରାନ୍ତରେ ଏକ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ସପ୍‌ନା ଦିଦିର ସ୍ୱାମୀ ମୃତ୍ୟୁବରଣ କରିବା ପରେ ସେ ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଥିଲା। ସେଥିପାଇଁ ସେ ଦାଉଦ୍‌ର ଦୀର୍ଘଦିନର ଶତ୍ରୁ ହୁସେଦ୍‌ ଉସ୍‌ତାରା ସହିତ ହାତ ମିଳାଇଥିଲା। ନିଜକୁ ପ୍ରସ୍ତୁତ କରିବାଲାଗି ସେ ବନ୍ଧୁକ ଓ ବାଇକ୍‌ ଚାଳନା ଶିଖିଲା, ପୁଲିସ୍‌କୁ ଦାଉଦ୍‌ର ଗତିବିଧି ସଂପର୍କରେ ଖବର ଦେଲା। ସେ ନିଜର ଏକ ସାମ୍ରାଜ୍ୟ ବି ତିଆରି କରିନେଲା। ସମୟକ୍ରମେ ସହଯୋଗୀମାନଙ୍କ ସାହାଯ୍ୟରେ ସାରଜାରେ ଏକ କ୍ରିକେଟ୍‌ ମ୍ୟାଚ୍‌ ଦେଖୁଥିବା ସମୟରେ ଦାଉଦ୍‌କୁ ହତ୍ୟା କରିବାଲାଗି ସେ ଯୋଜନା କରିଥିଲା। କିନ୍ତୁ ସେ ଯୋଜନା ସଫଳ ତ ହେଲାନାହିଁ, ସେଇଥିରେ ସପ୍‌ନା ଦିଦିର ଜୀବନ ବି ଚାଲିଗଲା। ତା’କୁ ସେଠାରେ ଅତି ନୃଶଂସ ଭାବେ ହତ୍ୟା ଯାଇଥିଲା।

ଏ ଫିଲ୍ମଟିକୁ ନେଇ ଦୀପିକା ବେଶ୍‌ ଉତ୍ସାହିତ ଅଛନ୍ତି। ଏଥିରେ ଇର୍ଫାନ୍‌ ଖାଁ ମଧ୍ୟ ଅଭିନୟ କରିବେ। ‘ପିକୁ’ ପରେ ଇଏ ଇର୍ଫାନ୍‌ଙ୍କ ସହିତ ଦୀପିକାଙ୍କର ଦ୍ୱିତୀୟ ଫିଲ୍ମ ହେବ।

ସମ୍ବନ୍ଧିତ ଖବର