ପ୍ରଯୋଜକଙ୍କ ମହାନତା

ୟଶରାଜ ଫିଲ୍ମସ୍‌ ପ୍ରଡକ୍ସନ୍ ହାଉସ୍ ଏକ ମହାନ୍ ପଦ‌େକ୍ଷପ ନେବାକୁଯାଉଛି। ସିନେମା ଇଣ୍ଡଷ୍ଟ୍ରିରେ ନାମ ପଞ୍ଜୀକରଣ କରି କାମ କରୁଥିବା କଳାକାର ଓ ଟେକନିସିଆନ୍‌ମାନଙ୍କୁ ମା‌ଗଣାରେ ଭ୍ୟାକସିନ୍ ଦିଆଯିବ ବୋଲି ପ୍ରଡକ୍ସନ ହାଉସ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହେଇଯାଇଛି। କୋଭିଡ୍-୧୯ ସଂକ୍ରମଣର ଦ୍ବିତୀୟ ଲହର ଏତେ ଭୟାନକ ରୂପ ନେଇଛି ଯେ ଏହାକୁ ପ୍ରଥମ ଲହର ପରି ମୁକାବିଲା କରିବା ଅସମ୍ଭବ ହୋଇପଡ଼ିଛି। ପ୍ରଥମ ପାଳିର ଲକଡାଉନ୍‌ ଉଠିବା ପରେ ସିନେମା ଓ ଧାରାବାହିକ ଜଗତ ଟିକେ ସକ୍ରିୟ ହୋଇଉଠିଥିଲା। ହେଲେ କୋଭିଡ୍‌ ପୁଣି କ୍ଷୀପ୍ର ଗତିରେ ଆସି ଅନେକଙ୍କୁ ଆକ୍ରାନ୍ତ କରିଛି। ସେଥିପାଇଁ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ଏବେ ପୁଣି ତାଲା ଝୁଲିଛି।

ୱାଇଆ୍‌ଏଫ୍‌ର ସିନିୟର ଭାଇସ୍‌ପ୍ରେସିଡେଣ୍ଟ ଅକ୍ଷୟ ୱାଧାନୀ ଏକ ପତ୍ର ମାଧ୍ୟମରେ ଲେଖିଛନ୍ତି ଯେ ଏବେ ସିନେମା ଇଣ୍ଡଷ୍ଟ୍ରି ପୁଣିଥରେ ଏକ ସଂକଟାପନ୍ନ ଅବସ୍ଥାକୁ ଯାଉଛି। ଇଣ୍ଡଷ୍ଟ୍ରିରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ହଜାର ହଜାର କର୍ମଚାରୀଙ୍କ ଜୀବନଜୀବିକା ପୁଣିଥରେ ପ୍ରଭାବିତ ହେବାକୁ ଯାଉଛି। ଏତିକିବେଳେ ‘ୟଶରାଜ୍ ଫାଉଣ୍ଡେସନ୍’ ତରଫରୁ ଇଣ୍ଡଷ୍ଟ୍ରିର ପଞ୍ଜୀକୃତ କଳାକାର ଓ ଟେକନିସିଆନମାନଙ୍କ ଜୀବନ କୋଭିଡ୍ କବଳରୁ ବଞ୍ଚାଇବାକୁ ପ୍ରୟାସ କରିଛି। ଅକ୍ଷୟ କହିଛନ୍ତି, କୋଭିଡ୍ ନିରୋଧକ ଭ୍ୟାକସିନ୍ କିଣିବାକୁ ଫାଉଣ୍ଡେସନ୍ ପକ୍ଷରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଅନ୍ୟୂନ ୩୦ ହଜାର କର୍ମଚାରୀଙ୍କୁ ଆମେ ଭ୍ୟାକସିନ୍ ଦେବାର ଯୋଜନା କରିଛୁ। ଯେତେଶୀଘ୍ର ସରକାର ଆମକୁ ଭ୍ୟାକସିନ୍ ଯୋଗାଇଦେବେ, ଆମେ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିବୁ।’ ଯାହାହେଉ ବଲିଉଡ୍‌ର ପ୍ରଖ୍ୟାତ ପ୍ରଡକ୍ସନ୍ ହାଉସ୍ ଏପରି ପଦକ୍ଷେପ ନେବ ନାହିଁ ତ ଆଉ କିଏ ନେବ! ୱାଇଆର୍‌ଏଫ୍‌କୁ ଏଥିପାଇଁ କଳାକାର ଓ ଟେକନିସିଆନ୍‌ମାନେ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର