ଦକ୍ଷିଣୀ ସିନେମା ପରେ ଏବେ ବଲିଉଡରେ କରାମତି ଦେଖାଉଛନ୍ତି କୃତି

ନାୟକ ହୁଅନ୍ତୁ ବା ନାୟିକା, ପ୍ରତ୍ୟେକ କଳାକାରର ରୁପେଲି ପରଦାରେ ମୁହଁ ଦେଖାଇବାର ଏକ ଗୋପନ ଅଭିଳାଷ ଥାଏ। କିଛି କଳାକାର ହିନ୍ଦୀ ସିନେମାରେ ଆଶାନୁରୂପ ଦର୍ଶକୀୟ ସ୍ବୀକୃତି ନପାଇ ଶେଷରେ ନିଜର ଅପରିହାର୍ଯ୍ୟ ପେସାକୁ ବଜାୟ ରଖିବା ଲାଗି ଆଞ୍ଚଳିକ ଭାଷା ଆଡ଼କୁ ମୁହାଁଇଥା’ନ୍ତି। ଅପରପକ୍ଷେ, କିଛି କଳାକାର ନିଜକୁ ଆଞ୍ଚଳିକ ଭାଷାରେ ପ୍ରତିଷ୍ଠିତ କରି ସାରିଲା ପରେ ନିଜର ଲୋକପ୍ରିୟତାର ପରିସରକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ ହିନ୍ଦୀ ସିନେମାରେ ନିଜକୁ ପରଖିଥା’ନ୍ତି। ଅଭିନେତ୍ରୀ କୃତି ଖରବନ୍ଦା ହେଉଛନ୍ତି ସେଭଳି ଜଣେ କଳାକାର ଯିଏ କନ୍ନଡ଼, ତାମିଲ ଓ ତେଲୁଗୁ ଭାଷାର ଚଳଚ୍ଚିତ୍ରରେ ଆଶାତୀତ ସଫଳତା ହାସଲ ପରେ ଏବେ ହିନ୍ଦୀ ଭାଷାରେ ନିଜର ଯାଦୁ ପରଶି ଚାଲିଛନ୍ତି।

ନୂଆଦିଲ୍ଲୀ ଠାରେ ୧୯୯୦ ଅକ୍ଟୋବର ୨୯ ତାରିଖରେ ଜନ୍ମିତା କୃତି ପିଲାବେଳୁ ସପରିବାର ବେଙ୍ଗାଲୁରୁକୁ ପଳାଇ ଯାଇଥିଲେ ଏବଂ ତାଙ୍କର ଶିକ୍ଷାଦୀକ୍ଷା ସେଠାରେ ସଂପନ୍ନ ହୋଇଥିଲା। ତେବେ ଗହଣା ଡିଜାଇନିଂରେ ଡିପ୍ଲୋମା ହାସଲ କରିଥିବା ଏହି ପଞ୍ଜାବୀ ଲଳନାଙ୍କ ମନ ସର୍ବଦା କିଛି ଦୁଃସାହସିକ ପଦକ୍ଷେପ ନେବା ପାଇଁ ଆଗଭର ଥିଲା। ତେଣୁ ସେ ସ୍ନାତକ ଡିଗ୍ରି ପଢୁଥିଲା ବେଳେ କିଛି ବିଜ୍ଞାପନରେ ଭାଗ ନେଇ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷ କରି ପ୍ରବାସୀ ଭାରତୀୟ ପ୍ରଯୋଜକ ରାଜ ପିପ୍ପଲ ତାଙ୍କୁ ୨୦୦୯ରେ ଆବିଷ୍କାର କରି ତେଲୁଗୁ ଫିଲ୍ମ ‘ବୋନି’ରେ ନାୟିକା ହେବାର ସୁଯୋଗ ଦେଇଥିଲେ।

ଯଦିଓ ଉକ୍ତ ସିନେମାଟି ସେଭଳି ବ୍ୟାବସାୟିକ ସଫଳତା ହାସଲ କରିପାରିନଥିଲା, ତେବେ ତାହା କୃତିଙ୍କ ପାଇଁ ସକାରାତ୍ମକ ପରିବେଶ ସୃଷ୍ଟି କରିଥିଲା। ଫଳସ୍ବରୂପ, ତାଙ୍କୁ କନ୍ନଡ଼ ସିନେମା ‘ଚିରୁ’ରେ ମଧ୍ୟ ଏକ ପ୍ରମୁଖ ଭୂମିକା ମିଳିଥିଲା। ଏହିପରି ଭାବେ ସେ କନ୍ନଡ଼ ଓ ତେଲୁଗୁ ଭାଷାର ଦଶରୁ ଅଧିକ ଫିଲ୍ମରେ ନିଜର ଦକ୍ଷତାର ପ୍ରମାଣ ଦେଇ ଚାଲିଥିଲେ। ସେହିପରି ୨୦୧୬ରେ ତାମିଲ ସିନେମା ‘ବ୍ରୁସ୍‌ ଲି’ରେ ପ୍ରଥମ ପ୍ରବେଶ କରି ଅନୁରୂପ ଲୋକପ୍ରିୟତା ସାଉଁଟିଥିଲେ। ଦକ୍ଷିଣ ଭାରତୀୟ ସିନେମାରେ ନିଜକୁ ପ୍ରତିଷ୍ଠିତ କରିବା ପରେ ସେ ହିନ୍ଦୀ ଫିଲ୍ମ ‘ରାଜ: ରିବୁଟ୍‌’ରେ ଦେଖାଦେଇଥିଲେ। ହିନ୍ଦୀ ଜଗତ୍‌ରେ ତାଙ୍କର ଏହି ପଦାର୍ପଣକୁ ଜାତୀୟ ସ୍ତରର ଦର୍ଶକ ଖୁବ୍‌ ଗ୍ରହଣ କରିଥିଲେ। ଏହାପରେ ‘ସାଦି ମେଁ ଜରୁର୍‌ ଆନା’, ‘ବୀରେ କି ୱେଡିଂ’, ‘ପାଗଲପନ୍ତି’ ଓ ‘ତୈସ’ ପରି ଦଶରୁ ଅଧିକ ହିନ୍ଦୀ ସିନେମାରେ ସେ ନିଜକୁ ଯୋଗ୍ୟତମ ବୋଲି ପ୍ରମାଣିତ କରିସାରିଛନ୍ତି। ଗତବର୍ଷ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ହାସ୍ୟରସାତ୍ମକ ହିନ୍ଦୀ ସିନେମା ‘୧୪ ଫେରେ’ରେ ତାଙ୍କ ଭୂମିକାକୁ ଦର୍ଶକ ମନଭରି ଉପଭୋଗ କରିଛନ୍ତି। ଏବେ ନିୟମିତ ହିନ୍ଦୀ ସିନେମାରେ ସେ ଅଭିନୟ କରିବା ସହ ଚଳିତ ବର୍ଷ ତାଙ୍କର ପ୍ରଥମ ମାଲାୟଲୀ ଫିଲ୍ମ ‘ଏଲୋନ୍‌’ ମୁକ୍ତିଲାଭ ଅପେକ୍ଷାରେ ଅଛି। ‘ବୀରେ କି ୱେଡିଂ’ ଓ ‘ପାଗଲପନ୍ତି’ର ସହଅଭିନେତା ପୁଲକିତ ସମ୍ରାଟଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର