ମୁମ୍ବାଇ: ବିବାହ ପରେ ରଣବୀର କପୁର ଓ ଆଲିଆ ଭଟ୍ଟ କେଉଁଠାକୁ ହନିମୁନ୍ ଯିବେ ତାହା ଜାଣିବା ଲାଗି ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ନିଶ୍ଚୟ ରହିଥିବ। ପୂର୍ବରୁ ସେମାନେ ଦକ୍ଷିଣ ଆଫ୍ରିକା ଯିବାର ଯୋଜନା କରିଥିଲେ। ମାତ୍ର ଏବେ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସେମାନେ ସେମାନଙ୍କ ହନିମୁନ୍ ଟ୍ରିପ୍କୁ କିଛି ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି। କାରଣ ରଣବୀର ତାଙ୍କର ଅପ୍କମିଂ ଚଳଚ୍ଚିତ୍ର ‘ଅନ୍ମୋଲ୍’ର ସୁଟିଂକୁ ନେଇ ବ୍ୟସ୍ତ ଥିବା ବେଳେ ଆଲିଆ ତାଙ୍କର ‘ରକି ଔର୍ ରାନୀକି ପ୍ରେମ୍ କହାନୀ’ର ସୁଟିଂରେ ବ୍ୟସ୍ତ ରହିବେ। ଏହି କାରଣରୁ ଏହି ସୁପର୍ଷ୍ଟାର୍ ଦମ୍ପତି ନିଜର ହନିମୁନ୍ ଟ୍ରିପ୍କୁ ଏବେ ପାଇଁ ସ୍ଥଗିତ ରଖିଛନ୍ତି। ତେବେ, ପୁଣି ଏହି ଯୋଡ଼ି କେତେ ଦିନ ପରେ ହନିମୁନ୍ ପ୍ଲାନ୍ କରିବେ ତାହାର କୌଣସି ସୂଚନା ମିଳିନାହିଁ। ରଣବୀର ଏପ୍ରିଲ୍ ୨୧ ତାରିଖରୁ ତାଙ୍କ ଚଳଚ୍ଚିତ୍ର ‘ଅନ୍ମୋଲ୍’ର ସୁଟିଂ ପାଇଁ ମନାଲିରେ ରହିବେ।
ଉଲ୍ଲେଖଯୋଗ୍ୟ, ଏପ୍ରିଲ୍ ୧୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରଣବୀର କପୁର ଓ ଆଲିଆ ଭଟ୍ଟ। କିଛି ବର୍ଷ ହେଲା ପ୍ରେମ ସଂପର୍କରେ ଥିବା ରଣବୀର ଓ ଆଲିଆ ଶେଷରେ ବିବାହ କରିଛନ୍ତି। ଆଲିଆଙ୍କ ମଥାରେ ସିନ୍ଦୂର ଭରି ନୂତନ ଜୀବନର ଯାତ୍ରା ଆରମ୍ଭ କରିଛନ୍ତି ରଣବୀର। ଦୀର୍ଘ ୫ ବର୍ଷ ଧରି ଚର୍ଚ୍ଚାରେ ଥିବା ଏହି ପ୍ରେମୀଯୁଗଳ ଶେଷରେ ପତି-ପତ୍ନୀ ଭାବରେ ନିଜର ଯାତ୍ରା ଆରମ୍ଭ କରିଛନ୍ତି। ମୁମ୍ବାଇର ବାନ୍ଦ୍ରାରେ ଥିବା ରଣବୀରଙ୍କ ଘର ବାସ୍ତୁରେ ଦୁହିଁଙ୍କ ବିବାହ ଶେଷ ହୋଇଛି।