ସ୍ବରାଜ- ଶିବାନୀଙ୍କ ଅଭିନୀତ ଏହି ସିନେମାର ଅଟକିଥିବା କାମ ଆରମ୍ଭ, ଡବିଂ କରୁଛନ୍ତି ଫିଲ୍ମର କଳାକାର

ଭୁବନେଶ୍ବର: ଲକଡାଉନ୍ କାରଣରୁ ଏବଂ କରୋନା କଟକଣାକୁ ଆଖି ଆଗରେ ରଖି ପ୍ରାୟ ଅଢେଇ ମାସ ହେବ କୌଣସି ଓଡ଼ିଆ ସିନେମାର କାମ ଆରମ୍ଭ ହୋଇ ପାରୁ ନଥିଲା। ଏପରିକି ସୁଟିଂ ସରିଥିବା ସିନେମାର ପୋଷ୍ଟ ପ୍ରଡକ୍ସନ୍ କାମ ବି ଆରମ୍ଭ ହୋଇ ପାରୁ ନଥିଲା। ତେବେ ଖୁସିର କଥା ଯେ ଓଡ଼ିଆ ସିନେମା ‘ଦିଲ୍ ମୋର ମାନେନା’ର ପୋଷ୍ଟ ପ୍ରଡକ୍ସନ୍ କାମ ଆରମ୍ଭ ହୋଇଥିବା ଜଣାଯାଇଛି। ଏନେଇ ସିନେମାର ଅନ୍ୟତମ ପ୍ରଯୋଜକ ଶ୍ରୀଧର ମାର୍ଥା ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଶିବାନୀ ଓ ମିହିର ଦାସ ପ୍ରମୁଖ ଡବିଂ ସାରିଲେଣି।
ଏହା ପୂର୍ବରୁ ଫିଲ୍ମ ସମସ୍ତ ସୁଟିଂ ଶେଷ ହୋଇଥିଲା। କିନ୍ତୁ କରୋନା ସଂକ୍ରମଣକୁ ମୁକାବିଲା କରିବା ଲାଗି ଦେଶରେ ତାଲାବନ୍ଦ ଘୋଷଣା କରାଯିବା ହେତୁ ‘ଦିଲ୍ ମୋର ମାନେନା’ର ପୋଷ୍ଟ ପ୍ରଡକସନ୍ କାମ ଆରମ୍ଭ ହୋଇ ପାରି ନଥିଲା ।
‘ଦିଲ୍ ମୋର ମାନେନା’ ଏକ ଟିନ୍ ଏଜ୍ ଲଭ ଷ୍ଟୋରି ବୋଲି କୁହାଯାଉଛି। ଏଥିରେ ପ୍ରଥମ ଥରପାଇଁ ଓଲିଉଡର ଦୁଇ ୟଙ୍ଗ ଷ୍ଟାର୍ ସ୍ୱରାଜ ଓ ଶିବାନୀ ପ୍ରଥମ ଥରଲାଗି ଏକାଠି ଆସୁଛନ୍ତି। ସ୍ୱରାଜ ଓ ଶିବାନୀଙ୍କ ବ୍ୟତୀତ ମିହିର ଦାସ, ସଲିଳ ମିତ୍ର, ଗୁଡୁ, ସରୋଜ ଦାସ ଏବଂ ଅମର ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

image source-times of india.

ଏହି ସିନେମାର ନିର୍ଦେଶକ ହେଲେ ହିମାଂଶୁ ପରିଜା(ଚଣ୍ଡୀ)। ଶିଶୁ କଳାକାରଭାବେ ସ୍ୱରାଜ ଓ ଶିବାନୀ ଆଗରୁ ନିର୍ଦ୍ଦେଶକ ହିମାଂଶୁ ପରିଜା(ଚଣ୍ଡୀ)ଙ୍କ ସହ କାମ କରିଥିଲେ ବି ନାୟକ-ନାୟିକାଭାବେ ପ୍ରଥମ ଥରଲାଗି ଏହି ସିନେମାରେ ତାଙ୍କ ନିର୍ଦ୍ଦେଶନାରେ କାମ କରିବାର ସୁଯୋଗ ପାଇଛନ୍ତି। ଛବିତା ମାର୍ଥା ଓ ବାପୁନ କୁମାର ଏହି ସିନେମାର ପ୍ରଯୋଜନା କରୁଛନ୍ତି। ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦେଶକ ।

ସମ୍ବନ୍ଧିତ ଖବର