ରିଲିଜ ହେଲା ‘ସମଶେରା’ର ଟିଜର : ପ୍ରଥମ ଥର ଲାଗି ଡ଼କାୟତ ଲୁକ୍‌ରେ ନଜର ଆସିଲେ ରଣବୀର

ମୁମ୍ବାଇ : ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଥରେ ବଲିଉଡକୁ ଡକାୟତଙ୍କ କାହାଣୀ ନେଇ ଫିଲ୍ମ ନିର୍ମାଣ ହୋଇଛି । ଆଗରୁ ବିନୋଦ ଖାନ୍ନା ଏବଂ ଧର୍ମେନ୍ଦ୍ରଙ୍କୁ ଏହି ଚରିତ୍ରରେ ଦର୍ଶକ ଦେଖିବାକୁ ପାଇଥିବା ବେଳେ ଏବେ ପୁଣି ଥରେ ସେହି ଲୁକ୍‌କୁ ନେଇ ଫେରିଛନ୍ତି ବଲିଉଡ୍‌ର ଚକୋଲେଟ ବଏ ରଣବୀର କପୁର । ଫିଲ୍ମ ‘ସଞ୍ଜୁ’ର ଟ୍ରେଲର ଏବଂ ପୋଷ୍ଟର ରିଲିଜ ପରେ ଏବେ ପୁଣି ନିଜର ଆଗାମୀ ଫିଲ୍ମ ‘ସମ୍‌ଶେରା’କୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ରଣବୀର । ଏହି ଫିଲ୍ମର ପ୍ରଥମ ଟିଜର ରିଲିଜ ହୋଇଥିବା ବେଳେ ରଣବୀର ଏଥିରେ ଡ଼କାୟତ ଲୁକ୍‌ରେ ନଜର ଆସୁଛନ୍ତି । ତାଙ୍କର ଏଭଳି ଅନ୍ଦାଜ ଦର୍ଶକେ ପ୍ରଥମ ଥର ପାଇଁ ଦେଖିବାକୁ ପାଇଛନ୍ତି ।

ଏହି ଫିଲ୍ମ ବିଷୟରେ ସମସ୍ତଙ୍କୁ ଜଣାଇବା ପାଇଁ ୟଶରାଜ ଫିଲ୍ମ ପକ୍ଷରୁ ଏହାର ଏକ ଭିଡ଼ିଓ ଟ୍ଵିଟରରେ ଅପ୍‌ଲୋଡ଼ କରାଯାଇଛି । ଏହି ୪୫ସେକେଣ୍ଡର ଭିଡ଼ିଓରେ ରଣବୀରଙ୍କର ଡ଼କାୟତ ଲୁକ୍‌ ଦର୍ଶକ ଦେଖିବାକୁ ପାଇଛନ୍ତି । ଏହି କିଛି ଦିନ ମଧ୍ୟରେ ‘ସଞ୍ଜୁ’ରେ ରଣବୀରଙ୍କର ଥିବା ଲୁକ୍‌ ଦର୍ଶକ ପ୍ରଶଂସା କରିଥିବା ବେଳେ ପୁଣି ଏକ ନୂଆ ଲୁକ୍‌କୁ ନେଇ ଆସୁଛନ୍ତି ରଣବୀର । ଏହି ଫିଲ୍ମ ବିଷୟରେ ତାଙ୍କୁ ପଚରାଯିବାରୁ ସେ କହିଛନ୍ତି, ‘ସମ୍‌ଶେରା ହେଉଛି ଏପରି ଏକ ଫିଲ୍ମ ଯାହାକୁ ମୁଁ ସବୁବେଳେ କରିବା ପାଇଁ ଚାହୁଁଥିଲି । ଛୋଟ ବେଳୁ ମୁଁ ହିରୋମାନଙ୍କୁ ଯେଉଁ ଭଳି ଅବତାରରେ ଦେଖି ଆସୁଥିଲି ଏତେ ଦିନ ପରେ ମୋତେ ସେଭଳି ଚରିତ୍ର କରିବା ପାଇଁ ସୁଯୋଗ ମିଳିଛି । ଏହା ପୂର୍ବରୁ ମୁଁ ଏମିତି କିଛି ଚରିତ୍ରରେ ନଜର ଆସି ନାହିଁ । ଏହା ମୋ ପାଇଁ ସଂପୁର୍ଣ୍ଣ ନୂଆ।’ ଅନ୍ୟ ପକ୍ଷରେ ଏହି ଫିଲ୍ମର ନିର୍ଦ୍ଦେଶନା କରନ ମଲହୋତ୍ରା ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଆଦିତ୍ୟ ଚୋପ୍ରା ।

ସମ୍ବନ୍ଧିତ ଖବର