ବିଫଳତାରେ ବୀତସ୍ପୃହ: ଦୀକ୍ଷା ସେଠ

କଥାରେ କହନ୍ତି, ବିଫଳତା ହେଉଛି ସଫଳତା ସ୍ତମ୍ଭର ମୂଳଦୁଆ। ମାତ୍ର ଅନେକ ବ୍ୟକ୍ତି ବିଫଳତାକୁ ଅଶୁଭ ଲକ୍ଷଣ ଭାବି ତାହାକୁ ସାମନା କରିବାର ସତ୍‌ସାହସ ହରାଇ ବସିଥା’ନ୍ତି ଏବଂ ସେମାନେ ସଂପୂର୍ଣ୍ଣ ଚଲାପଥର ଦିଗ ବଦଳେଇ ଦେଇ ଥାଆନ୍ତି। ଦକ୍ଷିଣୀ ଅଭିନେତ୍ରୀ ଦୀକ୍ଷା ସେଠ ହେଉଛନ୍ତି ସେଭଳି ଜଣେ କଳାକାର ଯିଏ ଅଭିନୟ ଜୀବନରେ ଆଶାନୁରୂପ ଲୋକପ୍ରିୟତା ହାସଲ କରିନପାରିବାରୁ ଆଉ ଆଗକୁ ନ ବଢ଼ି ସେଥିରେ ଡୋରି ବାନ୍ଧି ଦେଇଛନ୍ତି। ଛଅ ବର୍ଷର ଅଭିନୟ ଜୀବନରେ ତାମିଲ, ତେଲୁଗୁ ଓ କନ୍ନଡ଼ ସମେତ ହିନ୍ଦୀ ଭାଷାରେ ୧୧ଟି ଫିଲ୍ମ କରି ସୁଦ୍ଧା ସେ ତାଙ୍କର ଈପ୍‌ସିତ ଲକ୍ଷ୍ୟରେ ପହଞ୍ଚି ନ ପାରିବାର ଦୁଃଖ ତାଙ୍କୁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି। ଫଳସ୍ବରୂପ, ଦୀର୍ଘ ୬ ବର୍ଷ ହେଲା ତାଙ୍କୁ ଆଉ ରୁପେଲି ପରଦାରେ ଦେଖିବାକୁ ମିଳୁନାହିଁ। ନୂଆଦିଲ୍ଲୀରେ ୧୯୯୦ ଫେବ୍ରୁଆରି ୧୪ ତାରିଖରେ ଜନ୍ମିତ ଦୀକ୍ଷାଙ୍କର ବାଲ୍ୟଜୀବନ ଭାରତର ବିଭିନ୍ନ ସ୍ଥାନରେ କଟିଥିଲା। ୨୦୦୯ ମସିହାରେ କଲେଜରେ ତାଙ୍କର ପ୍ରଥମ ବର୍ଷ ବେଳର କଥା। ଦୀକ୍ଷାଙ୍କର ମନଲୋଭା ଚେହେରାରେ ଆକୃଷ୍ଟ ହୋଇ ‘ଫେମିନା ଭାରତ ସୁନ୍ଦରୀ’ ପ୍ରତିଯୋଗିତାର ଜଣେ ସଂଯୋଜକ ତାଙ୍କୁ ଏଥିରେ ଭାଗ ନେବା ପାଇଁ ପ୍ରବର୍ତ୍ତାଇଥିଲେ। ତେବେ କୌଣସି ମଡେଲିଂ ଅଭିଜ୍ଞତା ନଥାଇ ମଧ୍ୟ ଦୀକ୍ଷା ଏହାର ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ରହିପାରିଥିଲେ। ଏହାପରେ ସେ ବ୍ୟାବସାୟିକ ବିଜ୍ଞାପନରେ ଭାଗ ନେବା ଆରମ୍ଭ କରିଥିଲେ। ଏହି ଅବସରରେ ହାଇଦ୍ରାବାଦ ଠାରେ ଏକ ବିଜ୍ଞାପନର ପ୍ରଚାର ବେଳେ ତେଲୁଗୁ ଫିଲ୍ମ ‘ବେଦମ୍‌’ର କାଷ୍ଟିଂ ନିର୍ଦ୍ଦେଶକଙ୍କର ଦୃଷ୍ଟି ଦୀକ୍ଷାଙ୍କ ଉପରେ ପଡ଼ିଥିଲା।

ଏହା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ଏହି ଫିଲ୍ମ ପାଇଁ ଆଲ୍ଲୁ ଅର୍ଜୁନଙ୍କ ବିପକ୍ଷରେ ୭୦ ଜଣ ନାୟିକା ଖାରଜ ହେଲା ପରେ ଦୀକ୍ଷା ମନୋନୀତ ହୋଇଥିଲେ। ଏହି ପ୍ରଥମ ପଦାର୍ପଣ ତାଙ୍କ ପାଇଁ ସକାରାତ୍ମକ ରହିବା ସହ ଆଉ ଦୁଇଟି ତେଲୁଗୁ ସିନେମାରେ ନାୟିକା ହେବାର ସୁଯୋଗ ମିଳିଥିଲା। ସେହିପରି ୨୦୧୧ରେ ତାମିଲ ଫିଲ୍ମରେ ପ୍ରଥମ ପଦାର୍ପଣ ଭାବେ ‘ରାଜପଟ୍ଟି’ ପାଇଁ ସେ ସ୍ବାକ୍ଷର କରିଥିଲେ ଏବଂ ପରେ ପରେ ଅନ୍ୟତମ ତାମିଲ ଫିଲ୍ମ ‘ବେଟ୍ଟାଇ ମନ୍ନାନ’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଏଥି ସହିତ ‘ରିବେଲ’, ନିପ୍ପୁ’ ଓ ‘ଊ କୋଦାଥର? ଉଲ୍ଲିକି ପଦାଥର’ ପରି ଆଉ ତିନିଟି ତେଲୁଗୁ ଫିଲ୍ମ ମଧ୍ୟ କରିଥିଲେ। ମାତ୍ର କୌଣସିଟି ଫିଲ୍ମକୁ ବ୍ୟାବସାୟିକ ସଫଳତା ମିଳିନଥିଲା। ତେଣୁ ସେ ଦକ୍ଷିଣ ଭାରତୀୟ ଭାଷାରୁ ମୁହଁ ଫେରାଇ ଆଣି ୨୦୧୪ରେ ହିନ୍ଦୀ ଫିଲ୍ମ ‘ଲେକର ହମ୍‌ ଦିଵାନା ଦିଲ’ରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ଏଥି ସହିତ ଅନ୍ୟତମ ହିନ୍ଦୀ ସିନେମା ‘ଦି ହାଉସ ଅଫ୍‌ ଦି ଡେଡ୍‌ ଟୁ’ରେ ମଧ୍ୟ ନିଜର ଦକ୍ଷତା ପରଖିଥିଲେ। ସେହିପରି ୨୦୧୬ରେ କନ୍ନଡ଼ ଫିଲ୍ମ ‘ଜଗୁ ଦାଦା’ ଓ ହିନ୍ଦୀ ଫିଲ୍ମ ‘ସାତ କଦମ’ରେ ମଧ୍ୟ ତାଙ୍କୁ ସୁଯୋଗ ମିଳିଥିଲା। ମାତ୍ର ବିଫଳତା ଦୀକ୍ଷାଙ୍କୁ ଆଉ ଆଗକୁ ଯିବାକୁ ପ୍ରୋତ୍ସାହିତ କଲା ନାହିଁ। ଏଥିରେ ସେ ବୀତସ୍ପୃହ ହୋଇ ଦୀର୍ଘ ଛଅ ବର୍ଷ ହେଲା ସିନେ ଦୁନିଆଠାରୁ ଦୂରେଇ ରହିଛନ୍ତି। ତଥାପି ଦୀକ୍ଷାଙ୍କର କିଛି ପ୍ରଶଂସକ ତାଙ୍କର ଆକସ୍ମିକ ପ୍ରତ୍ୟାବର୍ତ୍ତନକୁ ଚାହିଁ ରହିଛନ୍ତି।

ସମ୍ବନ୍ଧିତ ଖବର