ଶ୍ରୀଦେବୀ-ମାଧୁରୀ ଦୀକ୍ଷିତଙ୍କ ଏହି ସଂଯୋଗ ସଂପର୍କରେ ଜାଣନ୍ତି କି !
ମୁମ୍ବାଇ: ଆଜି ହେଉଛି ବଲିଉଡର ଦିବଙ୍ଗତ ସୁପରଷ୍ଟାର୍ ଶ୍ରୀଦେବୀଙ୍କ ଜନ୍ମଦିନ। ଆପଣ କ’ଣ ଜାଣନ୍ତି ଯେ ବଲିଉଡର ଦୁଇ ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ ଏବଂ ମାଧୁରୀ ଦୀକ୍ଷିତ କେବେ ବି ଏକାଠି ପରଦାକୁ ଆସିନାହାନ୍ତି। ଥରେ ଉଭୟଙ୍କୁ ଏହି ସୁଯୋଗ ଏକ ସିନେମା ଜରିଆରେ ମିଳିଥିଲା ,ମାତ୍ର ତାହା ରିଲିଜ ହୋଇ ନଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୧୯୮୮ ମସିହାରେ ନିର୍ଦ୍ଦେଶକ ରମେଶ ସିପ୍ପୀ ‘ଜମୀନ୍’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରିବେ ବୋଲି ଘୋଷଣା କରିଥିଲେ । ଏଥିରେ ବିନୋଦ ଖାନ୍ନା, ଶ୍ରୀଦେବୀ ଓ ମାଧୁରୀ ଦୀକ୍ଷିତ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଚୁକ୍ତିବଦ୍ଧ ମଧ୍ୟ ହୋଇଥିଲେ । ଖାଲି ସେତିକି ନୁହେଁ ଏହାର ବେଶ୍ କେତେକ ଭାଗ ସୁଟିଂ ମଧ୍ୟ ଶେଷ ହୋଇଥିଲା , ହେଲେ ଅବଶିଷ୍ଟ ସୁଟିଂ ଶେଷ ହୋଇ ନ ପାରିବାରୁ ତାହା ଅଧାରେ ଅଟକି ରହିଥିଲା। ଏହା ଏଯାବତ୍ ରିଲିଜ୍ ହୋଇପାରି ନାହିଁ । କିନ୍ତୁ ଏମିତି ବି ଘଟିଛି ଯେ ଶ୍ରୀଦେବୀ କରିବାକୁ ଥିବା ଭୂମିକାରେ ଥରେ ଅଭିନୟ କରିଛନ୍ତି ମାଧୁରୀ।
ଚଳିତ ବର୍ଷ ରିଲିଜ୍ ହୋଇଥିବା ‘ଟୋଟାଲ ଧମାଲ୍’ ସିନେମାରେ ମାଧୁରୀ ଦୀକ୍ଷିତ ଯେଉଁ ଭୂମିକା ନିଭାଇଥିଲେ,ପ୍ରଥମେ ସେହି ଚରିତ୍ରରେ ଅଭିନୟ କରିବାର ଥିଲା ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କର। କିନ୍ତୁ ଶ୍ରୀଦେବୀଙ୍କ ଆକସ୍ମିକ ଦେହାନ୍ତ ହେବାପରେ ନିର୍ଦ୍ଦେଶକ ଇନ୍ଦ୍ର କୁମାର ସେହି ଭୂମିକା ଲାଗି ମାଧୁରୀ ଦୀକ୍ଷିତଙ୍କୁ ଅଫର୍ ଦେଇଥିଲେ।
ଏସଂପର୍କରେ ମାଧୁରୀ ଦୀକ୍ଷିତ କହିଛନ୍ତି ଯେ ସେଭଳି ନିଷ୍ପତ୍ତି ନେବା ତାଙ୍କ ପକ୍ଷେ କଷ୍ଟକର ଥିଲା। ଜଣେ ମନୁଷ୍ୟ ଭାବେ ମୋ’ ପାଇଁ ନିଶ୍ଚିତ ଦ୍ୱିଧା ଭାବ ସୃଷ୍ଟି କରିଥିଲା, ମାତ୍ର କଳାକାରଭାବେ ମୋ ହାତରେ ଥିଲା ସ୍କ୍ରିପ୍ଟ। ସ୍କ୍ରିପ୍ଟ୍ ପଢିବା ପରେ ସେ ବାଧ୍ୟ ହୋଇ ରାଜି ହୋଇଥିଲେ ବୋଲି କହିଛନ୍ତି ମାଧୁରୀ ଦୀକ୍ଷିତ। ଶ୍ରୀଦେବୀ ଓ ତାଙ୍କ ମଧ୍ୟରେ କୌଣସି ତୁଳନା ନାହିଁ ବୋଲି ମଧ୍ୟ କହିଥିଲେ ମାଧୁରୀ ଦୀକ୍ଷିତ।