ସୁଶାନ୍ତଙ୍କ ମୃତ୍ୟୁ ପଛରେ ଡି-ଗ୍ୟାଙ୍ଗ୍‌ର ହାତ!

ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଦିନକୁ ଦିନ ଅଧିକରୁ ଅଧିକ ରହସ୍ୟମୟ ହେବାରେ ଲାଗିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି। କିନ୍ତୁ ପୂର୍ବତନ ଗୁଇନ୍ଦା ଅଧିକାରୀ ଏନ୍‌ ଏକେ ସୁଦ୍ ଏହାକୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି କହିବା ପରେ ପୁଣି ଆଜି ବଲିଉଡ୍‌ରେ ଝଡ଼ ଉଠିଛି। ଯୋଜନାବଦ୍ଧ ଭାବରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି। ଏଥିରେ ଡି-ଗ୍ୟାଙ୍ଗ୍‌ର ସଂପୃକ୍ତି ଥିବା ସେ କହିଛନ୍ତି। ପୂର୍ବତନ ‘ର’ ଅଧିକାରୀଙ୍କ ଏହି ମନ୍ତବ୍ୟ ୟୁ-ଟ୍ୟୁବରେ ଅପଲୋଡ୍‌ ହୋଇଛି। ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ରେ ତାଙ୍କ ମୁମ୍ୱାଇ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ। ସ୍ବଜନ ତୋଷଣର ଶିକାର ହୋଇ ଅବସାଦ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ବଲିଉଡର ଅନେକ ନାମୀଦାମୀ ଚେହେରା ଏବେ ପୁଲିସର ସନ୍ଦେହ ଘେରରେ ରହିଛନ୍ତି।

ଏହାରି ଭିତରେ ପୂର୍ବତନ ‘ର’ ଅଧିକାରୀ କହିଛନ୍ତି, ଯଦିଓ ଦାଉଦ ମୁମ୍ୱାଇରେ ରହୁ ନାହିଁ ତଥାପି ମୁମ୍ୱାଇକୁ ସେ ନିଜ ନିୟନ୍ତ୍ରଣରେ ରଖିଛି। ଲୋକବଳ, ଆର୍ଥିକ ବଳ ଇତ୍ୟାଦି ବ୍ୟବହାର କରି ଦେଶର ଆର୍ଥିକ ରାଜଧାନୀକୁ ସେ ନିଜ ଅଧୀନରେ ରଖିଛି। ସୁଶାନ୍ତ ସିଂହ ମୃତ୍ୟୁ ପୂର୍ବରୁ ୫୦ଟି ସିମ୍ କାର୍ଡ ବଦଳ କରିଥିଲେ। ନିକଟରେ ଏହି ଖବର ଆସିଥିଲା। ସୁଶାନ୍ତ ସିଂହ ଏଭଳି କରିବା ପଛର କାରଣ ଦାଉଦର ବାରମ୍ୱାର ଧମକ ବୋଲି ଏନ୍‌ ଏକେ ସୁଦ୍ କହିଛନ୍ତି। ଏହି ହତ୍ୟା ଜଣେ ପେସାଦାର ହତ୍ୟାକାରୀଙ୍କ ଦ୍ୱାରା ହୋଇଛି ବୋଲି ଏହି ପୂର୍ବତନ ‘ର’ ଅଧିକାରୀ କହିଛନ୍ତି। ଆତ୍ମହତ୍ୟା ପୂର୍ବ ଦିନ ସୁଶାନ୍ତଙ୍କ ଘରର ସିସିଟିଭି ବନ୍ଦ ହେବା, ଘରର ଡୁପ୍ଲିକେଟ ଚାବି ନିଖୋଜ ହେବା ହତ୍ୟା ବୋଲି ଦର୍ଶାଉଥିବା ସେ କହିଛନ୍ତି।

ମୁମ୍ୱାଇ ପୁଲିସ ଯଦିଓ ଏହି ମାମଲାର ତଦନ୍ତ କରୁଛି, ହେଲେ ମୁଖ୍ୟ ଅଭିଯୁକ୍ତ କେବେ ଧରାପଡ଼ିବ ନାହିଁ। ବଲିଉଡ୍‌ ଏବଂ ଦାଉଦର ସମ୍ପର୍କ ପୁରୁଣା ବୋଲି ସେ କହିଛନ୍ତି। ସେ ସୁଶାନ୍ତଙ୍କ ହତ୍ୟାରେ ତାଙ୍କ ଚାକର ଓ ସାଙ୍ଗ ସନ୍ଦୀପ ଏସ୍‌ ସିଂହଙ୍କ ସଂପୃକ୍ତି ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ତେବେ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ବାବଦରେ ସେ କହିଛନ୍ତି, ରିୟାଙ୍କ ମୃତ୍ୟୁ ମାମଲାରେ ସିଧାସଳଖ ସଂପୃକ୍ତି ନାହିଁ। ହେଲେ ଯାହା ଘଟୁଥିଲା ସେ ଜାଣିଥାଇପାରନ୍ତି। ସେଥିପାଇଁ ସୁଶାନ୍ତ ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ସେ ତାଙ୍କୁ ଏକୁଟିଆ ଛାଡ଼ି ଚାଲିଯାଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର