ବଞ୍ଚିବା ପାଇଁ ପ୍ରତି ୮ଘଣ୍ଟାରେ ଷ୍ଟେରଏଡ୍‌ ନେବା ଆରମ୍ଭ କରିଥିଲେ ସୁସ୍ମିତା ସେନ୍‌

ମୁମ୍ବାଇ : ୨୦୧୪ରେ ବଲିଉଡ୍‌ ଅଭିନେତ୍ରୀ ତଥା ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା କେତେ ବିଗିଡ଼ି ଯାଇଥିଲା, ତାହା ଏକ ସାକ୍ଷାତକାରରେ ଜଣାଇଛନ୍ତି ଅଭିନେତ୍ରୀ । କିଭଳି ଭାବେ ତାଙ୍କୁ ନିଜକୁ ବଞ୍ଚାଇ ରଖିବା ପାଇଁ ଷ୍ଟେରଏଡ୍‌ର ଆବଶ୍ୟକତା ହେଉଥିଲା ସେ ବିଷୟରେ ସୁସ୍ମିତା ଜଣାଇଛନ୍ତି ।

ତାଙ୍କ କହିବା ଅନୁଯାୟୀ, ୨୦୧୪ରେ ମୁଁ ବେଙ୍ଗଲି ଫିଲ୍ମ ‘ନିର୍ବାକ’ର ସୁଟିଂ ଶେଷ କରିବା ପରେ ମୋତେ ହଠାତ୍‌ ଭୀଷଣ ଜ୍ୱର ହୋଇ ଯାଇଥିଲା । ପ୍ରଥମେ ମୋତେ କ’ଣ ହୋଇଛି ତାହା କେହି କହି ପାରି ନଥିଲେ । ଏହା ପରେ ମୁଁ ଦିନେ ହଠାତ୍‌ ଅଚେତ ହୋଇଯିବା ସହ ମୋତେ ଡ଼ାକ୍ତରଖାନା ନିଆଯାଇଥିଲା । ସେଠାରେ ବିଭିନ୍ନ ପ୍ରକାରର ପରୀକ୍ଷା କରାଯିବା ପରେ ମୋର ଆର୍ଡେନାଲ ଗ୍ଲାଣ୍ଡ କାର୍ଟିସୋଲ ତିଆରି କରିବା ବନ୍ଦ କରି ଦେଇଥିଲା ବୋଲି ଜଣା ପଡ଼ିଥିଲା ।

India Today

ଏହା ପରେ ମୋତେ ଷ୍ଟେରୋଏଡ୍‌ ସାହାଯ୍ୟରେ ବାକି ଜୀବନ ବିତାଇବାକୁ ହେବ ବୋଲି କହିଥିଲେ ଡ଼ାକ୍ତର । ପ୍ରତି ୮ଘଣ୍ଟାରେ ମୋତେ ହାଇଡ୍ରୋକୋର୍ଟିସୋନ ନାମକ ଷ୍ଟେରୋଏଡ୍‌ ନେବାକୁ କୁହାଯାଇଥିଲା । କାରଣ ମୋ ଶରୀର ଏହାକୁ ତିଆରି କରିବାରେ ଅକ୍ଷମ ହୋଇ ଯାଇଥିଲା।  ଏହାର ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ମୁଁ ଅବସାଦଗ୍ରସ୍ତ ହୋଇ ଯାଇଥିଲି । ମୋ କେଶ ଝଡ଼ିବା ସହ ମୋର ଶରୀରରେ ଅନେକ ପରିବର୍ତ୍ତନ ଆସିଥିଲା । କିନ୍ତୁ ଏତେ ସବୁ ମଧ୍ୟରେ ମୁଁ ନିଜକୁ ଅଧିକ ଦୃଢ଼ କରିବା ସହ ଲଢ଼ିବାର ନିଷ୍ପତ୍ତି ନେଇଥିଲି । ଶେଷରେ ଅନେକ ଚିକିତ୍ସା ପରେ ଅକ୍ଟୋବର ୨୦୧୬ରେ ମୁଁ ଷ୍ଟେରଏଡ୍‌ ନେବା ବନ୍ଦ କରିଥିଲି ବୋଲି କହିଛନ୍ତି ସୁସ୍ମିତା ।

ସମ୍ବନ୍ଧିତ ଖବର