ଅଜୟ ଦେବଗନ୍ ଓ ଦୀପିକାଙ୍କ ମଧ୍ୟରେ କଡା ଟକ୍କର, ରିଲିଜ ହେଲା ‘ତାଣାଜୀ’ ଓ ‘ଛପାକ୍’

ମୁମ୍ବାଇ:ଆଜି ମୁକ୍ତିଲାଭ କରିଥିବା ଦୁଇଟି ହିନ୍ଦୀ  ଫିଲ୍ମ ମଧ୍ୟରେ ଚାଲିଛି  ଜୋରଦାର ଟକ୍କର । ଦୁଇଟି ଭିନ୍ନସ୍ୱାଦର ସିନେମା ଏକା ଦିନରେ  ପରଦାକୁ ଓହ୍ଲାଇଛି । ଗୋଟେ ପଟେ ସତ୍ୟକାହାଣୀ ଉପରେ ନିର୍ମିତ ‘ଛପାକ’ ରହିଥିବା ବେଳେ ଅନ୍ୟପଟେ ରହିଛି ଐତିହାସିକ କାହାଣୀ ଆଧାରିତ ସିନେମା ‘ତାଣାଜୀ’ । ପରଦାକୁ ଆସିଛି ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ଛପାକ୍ । ସତ୍ୟ ଘଟଣାକୁ ନେଇ ଛପାକର ନିର୍ମାଣ କରିଛନ୍ତି ନିର୍ଦ୍ଦେଶିକା ମେଘନା ଗୁଲଜାର । ଦିଲ୍ଲୀର ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ସଂର୍ଘଷର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଛପାକ୍ । ଲକ୍ଷ୍ମୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଦୀପିକା ପାଦୁକୋନ୍ । ଏଥିରେ ତାଙ୍କ ସହଯୋଗୀ କଳାକାର ଭାବେ ଜଣାଶୁଣା ଅଭିନେତା ବିକ୍ରାନ୍ତ ମାସେ ଅଭିନୟ କରିଛନ୍ତି । ପୂର୍ବରୁ ଫିଲ୍ମର ଟ୍ରେଲର ଓ ଗୀତକୁ ଦର୍ଶକ ବେଶ ପସନ୍ଦ କରିବା ସହ ଦୀପିକାଙ୍କ ଦକ୍ଷ ଅଭିନୟ ଚର୍ଚ୍ଚା ସାଉଁଟିଥିଲା । ଏବେ ଫାଷ୍ଟ ଡେ ଫାଷ୍ଟ ସୋ’କୁ ମଧ୍ୟ ଦର୍ଶକଙ୍କ ସେତିକି ଭଲ ପାଇବା ମିଳିଛି । କେବଳ ୪୦କୋଟିି ବଜେଟରେ ନିର୍ମିତ ଛପାକର ସୁଟିଂ ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳରେ କରାଯାଇଛି । ସିନେ ସମୀକ୍ଷକଙ୍କ ମତରେ ପ୍ରଥମ ଦିନରେ ସିନେମା ୮କୋଟିର ବ୍ୟବସାୟ କରିବ ଓ ସପ୍ତାହକ ମଧ୍ୟରେ ୮୦କୋଟି ଛୁଇଁପାରେ ।

Zee News

ଅନ୍ୟପଟେ ବକ୍ସ ଅଫିସରେ ଛପାକକୁ ଟକ୍କର ଦେଇ ରିଲିଜ ହୋଇଛି ଐତିହାସିକ ବିଷୟବସ୍ତୁରେ ନିର୍ମିତ ଫିଲ୍ମ ତାଣାଜୀ । ମରାଠା ଓ ମୋଗଲ ଶାସକଙ୍କ ମଧ୍ୟରେ ଯୁଦ୍ଧକୁ ନେଇ ନିର୍ମିତ ହୋଇଛି ତାଣାଜୀ । ଏହି ବ୍ୟୟବହୁଳ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ ଓ କାଜୋଲଙ୍କ ଅଭିନୟ ରହିଛି । ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଓମ ରାଉତ । ଯୋଦ୍ଧା ଭୂମିକାରେ ଅଜୟ ଦେବଗନ, ମୋଗଲ ଶାସକ ଚରିତ୍ରରେ ବଲିଉଡ ନବାବ ସୈଫ ଅଲ୍ଲୀ ଖାନ ଓ ରାଣୀ ରୋଲରେ କାଜୋଲଙ୍କ ଅଭିନୟ ରହିଛି । ଐତିହାସିକ କାହାଣୀ ଆଧାରିତ ସିନେମା ତାଣାଜୀରେ ଏହି ତିନି କଳାକାରଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସୁଛି ।

ଅଜୟ ଦେବଗନ ଓ କାଜୋଲ ୫ ବର୍ଷର ବ୍ୟବଧାନ ପରେ ଏକାଠି ଅଭିନୟ କରିଛନ୍ତି ତାଣାଜୀରେ । ଏହା ଅଜୟ ଦେବଗନଙ୍କର  ୧୦୦ତମ ସିନେମା ହୋଇଥିବାରୁ ଫିଲ୍ମଟି ସଫଳତା ପାଇବ ବୋଲି ଆଶା ରଖିଛି ପୂରା ଟିମ୍ । ଚଳିତ ସପ୍ତାହରେ ଦୁଇଟି ଭିନ୍ନସ୍ୱାଦର ସିନେମା ପରଦାରେ ପହଞ୍ଚିଛି । କେଉଁ ସିନେମା ସବୁଠୁ ଅଧିକ ଦର୍ଶକଙ୍କୁ ବାନ୍ଧି ରଖି ପାରୁଛି ଏହା ଆଗାମୀ ଦିନରେ ଜଣାପଡ଼ିବ ।

ସମ୍ବନ୍ଧିତ ଖବର