ଚଳିତ ବର୍ଷର ଦ୍ବିତୀୟ ବଡ଼ ବଲିଉଡ ଫିଲ୍ମ ପାଲଟିଲା ‘ଦି କେରଳ ଷ୍ଟୋରୀ’, ବକ୍ସ ଅଫିସ ଆୟ ୨୦୦କୋଟି ପାର୍

ମୁମ୍ବାଇ: ମେ’ ୫ରେ ରିଲିଜ୍ ହୋଇଥିଲା ବହୁଚର୍ଚ୍ଚିତ ଫିଲ୍ମ ‘ଦି କେରଳ ଷ୍ଟୋରୀ’। ଫିଲ୍ମର ବଜେଟ ମାତ୍ର ୧୫-୨୦କୋଟି ଥିବା ବେଳେ ଏବେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ଦେଖାଯାଇଛି। ରିଲିଜର ୧୮ଦିନରେ ଫିଲ୍ମଟି ୨୦୦କୋଟି କ୍ଲବରେ ସାମିଲ ହୋଇଛି। ଫିଲ୍ମଟି ୯ମ ଦିନର ଆୟ ‘କେଜିଏଫ୍-୨’ର ରେକର୍ଡ ଭାଙ୍ଗିଥିବା ବେଳେ ଏବେ ୧୦ମ ଦିନର ଆୟ ଶାହରୁଖଙ୍କ ସୁପରହିଟ ଫିଲ୍ମ ‘ପଠାନ’ର ରେକର୍ଡ ଭାଙ୍ଗିଥିଲା। ଏବେ ଚଳିତ ବର୍ଷର ଦ୍ବିତୀୟ ବଡ଼ ବଲିଉଡ ଫିଲ୍ମ ପାଲଟିଛି ‘ଦି କେରଳ ଷ୍ଟୋରୀ’। ଏତେ କମ ବଜେଟରେ ନିର୍ମାଣ ହୋଇଥିବା ଫିଲ୍ମଟି ଏତେ ସଫଳ ହେବ ‌ବୋଲି କେହି ଆଶା ରଖିନଥିବା ବେଳେ ଫିଲ୍ମଟି କମାଲ କରିଛି।

ସବୁଠୁ ବଡ଼ କଥା ହେଲା, ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଫିଲ୍ମର ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲାଗିବା ପରେ ବି ଫିଲ୍ମଟି ଭଲ ବ୍ୟବସାୟ କରିଥିଲା। ଏ‌ବେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ପ୍ରତିବନ୍ଧକ ହଟିବାରୁ ଫିଲ୍ମର ଆୟ ଆହୁରି ବଢ଼ିଛି। ସୋମବାରର ବକ୍ସ ଅଫିସ ଆୟ ମିଶିବା ପରେ ଫିଲ୍ମଟି ୨୦୦କୋଟି ଅତିକ୍ରମ କରିଛି।

ଫିଲ୍ମକୁ ରିଲିଜ୍ ପୂର୍ବରୁ ବିରୋଧ କରାଯାଉଥିଲେ ବି ଏବେ ଏହାକୁ ପସନ୍ଦ କରୁଛନ୍ତି ଦର୍ଶକ। ଦିନକୁ ଦିନ ଫିଲ୍ମର ଆୟ ବଢ଼ୁଥିବା ବେଳେ ଆଗକୁ ଫିଲ୍ମଟି ଅନେକ ବଡ଼ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର