ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ଯନ୍ତର ମନ୍ତରରେ ବିକ୍ଷୋଭ
ପ୍ରାର୍ଥନା ସଭାରେ ଯୋଗଦେଲେ ପ୍ରିୟଙ୍କା, ଦୁଷ୍କର୍ମ ମାମଲାକୁ ନେଇ ରାଜନୀତି ହେବା ଉଚିତ ନୁହେଁ: କେଜ୍ରିୱାଲ
ନୂଆଦିଲ୍ଲୀ : ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମାର ସଦ୍ଗତି କାମନା କରି ଆଜି ଦିଲ୍ଲୀସ୍ଥିତ ବାଲ୍ମିକୀ ମନ୍ଦିରରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରାର୍ଥନା ସଭାରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଯୋଗ ଦେଇ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ତାଙ୍କ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି। ଆମ ଭଉଣୀକୁ ନ୍ୟାୟ ନ ମିଳିବା ଯାଏ ଆମେ ସ୍ଥିର ହୋଇ ବସିବୁ ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। ଉତ୍ତର ପ୍ରଦେଶ ସରକାର ପୀଡ଼ିତାଙ୍କୁ ନ୍ୟାୟ ଦେଇ ପାରିବ ନାହିଁ। ପୀଡ଼ିତାଙ୍କ ପରିବାରକୁ ଏବେ ସରକାର ଗୃହବନ୍ଦୀ କରି ରଖିଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି। ଏହି ମାମଲାରେ ପ୍ରତି ମହିଳା ସରକାରଙ୍କୁ ପ୍ରଶ୍ନ କରିବାର ଅଧିକାର ରଖିବା ଉଚିତ୍ ବୋଲି ପ୍ରିୟଙ୍କା କହିଛନ୍ତି। ସୂଚନାଯୋଗ୍ୟ, ବାଲ୍ମିକୀ ସମ୍ପ୍ରଦାୟର ଲୋକଙ୍କ ପକ୍ଷରୁ ଏହି ପ୍ରାର୍ଥନାସଭା ଆୟୋଜିତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସେହିଭଳି ହାଥରସ୍ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଦିଲ୍ଲୀ ଯନ୍ତର ମନ୍ତରଠାରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସିପିଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏବଂ ସିପିଆଇ ନେତା ଡି. ରାଜା ପ୍ରମୁଖ ବାମପନ୍ଥୀ ନେତାମାନେ ଯୋଗ ଦେଇଥିଲେ। ଏଭଳି ଅମାନବୀୟ ଘଟଣା ଘଟିବା ପରେ ଉତ୍ତର ପ୍ରଦେଶ ସରକାରଙ୍କ କ୍ଷମତାରେ ରହିବାର କୌଣସି ଅଧିକାର ନାହିଁ ବୋଲି ୟେଚୁରୀ କହିଛନ୍ତି। ଯୋଗୀ ଆଦିତ୍ୟନାଥ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବୋଲି ସେ ଦାବି କରିଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ଯାଏ ଲଢ଼େଇ ଜାରି ରହିବ ବୋଲି ସିପିଆଇ ନେତା ଡି. ରାଜା କହିଛନ୍ତି। ଏହି ବିକ୍ଷୋଭ ସମାବେଶରେ ବିଭିନ୍ନ ନାଗରିକ ସମାଜ, ଛାତ୍ରଛାତ୍ରୀ, ମହିଳା ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଏହି ବିକ୍ଷୋଭ ସମାବେଶରେ ଯୋଗଦେଇ କହିଛନ୍ତି, ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବା ଯାଏ ଆନ୍ଦୋଳନ ଜାରି ରହିବ। ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦେଶର ବିଭିନ୍ନ ଅଂଚଳରେ ଏଭଳି ଘଟଣା କାହିଁକି ଘଟୁଛି। ଏହାକୁ ନେଇ ରାଜନୀତି ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି।