ଆନ୍ଦୋଳନକୁ କଠୋର ହସ୍ତରେ ଦମନ କରୁଛି ଇରାନ, ମୃତ୍ୟୁସଂଖ୍ୟା ୩୦୦ ଟପିଲା

ତେହେରାନ : ମାସା ଅମିନିଙ୍କ ମୃତ୍ୟୁର ୨ ମାସ ବିତିଯାଇଥିଲେ ବି ଇରାନରେ ଆନ୍ଦୋଳନ ଜାରି ରହିଛି । ପୁଲିସ ଓ ସେନା ଏହି ଆନ୍ଦୋଳନକୁ କଠୋର ହସ୍ତରେ ଦମନ କରୁଥିଲେ ବି ଆନ୍ଦୋଳନ ଦମନ ହେଉନାହିଁ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଆନ୍ଦୋଳନ ଯୋଗୁଁ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି । ଇତି ମଧ୍ୟରେ ଇରାନର ପ୍ରାୟ ସବୁ ସହରକୁ ଏହି ଆନ୍ଦୋଳନ ବ୍ୟାପି ସାରିଲାଣି ।

ରବିବାରଦିନ କୁର୍ଦିସ୍ତାନ ରାଜ୍ୟର ମାରିଭାନ ସହରରେ ଆନ୍ଦୋଳନକାରୀଙ୍କ ଉପରକୁ ପୁଲିସ ଗୁଳି ଚଳାଇବାରୁ ୩୫ ଜଣ ଆହତ ହୋଇଥିଲେ । ଶନିବାରଦିନ ଏହି ଅଂଚଳର ଜଣେ ଯୁବତୀ ନାସରିନ ଘାଦରି ତେହେରାନଠାରେ ଚାଲିଥିବା ଆନ୍ଦୋଳନରେ ଭାଗନେଉଥିବାବେଳେ ପୁଲିସ ମାଡ଼ରେ ପ୍ରାଣ ହରାଇଥିଲେ । ଏହି ଘଟଣା କୁର୍ଦ୍ଦିସ ଅଂଚଳରେ ଲୋକଙ୍କ କ୍ରୋଧକୁ ବଢାଇଦେଇଛି ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ମାସ ୨ୟ ସପ୍ତାହରେ ଇରାନର ରାଜଧାନୀ ତେହେରାନ ବୁଲିବାକୁ ଆସିଥିବା ମାସା ଅମିନି ନାମକ ଜଣେ ୨୨ ବର୍ଷୀୟା ଯୁବତୀ ଠିକଭାବେ ହିଜାବ ପିନ୍ଧିନଥିବାରୁ ମୋରାଲ ପୁଲିସ ( ଧାର୍ମିକ ବ୍ୟାପାର ସଂପର୍କିତ ପୁଲିସ) ଗିରଫ କରିଥିଲା । ହାଜତରେ ତାଙ୍କୁ ପ୍ରବଳ ମାଡ଼ ମରାଯିବା ପରେ ସେପ୍ଟେମ୍ବର ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁପାଇଁ ଅମିନିଙ୍କ ପରିବାର ପୁଲିସକୁ ଦାୟୀ କରୁଛନ୍ତି । ଏହା ପରେ ସମଗ୍ର ଇରାନରେ ଆନ୍ଦୋଳନର ବହ୍ନି ତେଜିବାରେ ଲାଗିଛି । ଅନ୍ୟପକ୍ଷରେ ଇରାନ ସରକାର ଏହି ଆନ୍ଦୋଳନ ପଛରେ ବିଦେଶୀ ଶକ୍ତିଙ୍କ ହାତ ଥିବା କହୁଛନ୍ତି ।

ସମ୍ବନ୍ଧିତ ଖବର