ଇସ୍ଲାମିକ୍‌ ସଂଗଠନ ସମ୍ମିଳନୀରେ ଭାରତ, ୟୁଏଇର ନିମନ୍ତ୍ରଣକୁ ସ୍ବାଗତ

ନୂଆଦିଲ୍ଲୀ: ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଅବୁଧାବିରେ ମାର୍ଚ୍ଚ ୧ ଏବଂ ୨ରେ ହେବାକୁ ଥିବା ଇସ୍‌ଲାମିକ ସଂଗଠନ ସମ୍ମିଳନୀ (ଓଆଇସି) ବୈଠକରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ବୈଠକକୁ ସମ୍ବୋଧନ କରିବେ। ଓଆଇସିର ବିଦେଶ ମନ୍ତ୍ରୀ ପରିଷଦର ୪୬ତମ ଅଧିବେଶନର ଉଦ୍‌ଘାଟନ ସମାରୋହରେ ସୁଷମାଙ୍କ ଯୋଗଦାନ ନେଇ ଆଜି ସରକାରୀ ଭାବେ ସୂଚନା ଦିଆଯାଇଛି। ୟୁଏଇର ବିଦେଶ ମନ୍ତ୍ରୀ ଶେଖ ଅବୁଦଲ୍ଲା ବିନ୍‌ ଜାୟଦ ସୁଷମାଙ୍କୁ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରଣ କରିଛନ୍ତି। ଭାରତ ଏଥି ପାଇଁ ୟୁଏଇ ନେତୃତ୍ବକୁ ଧନ୍ୟବାଦ ଜଣାଇଛି। ଅନ୍ତର୍ଜାତୀୟ ସ୍ତରରେ ବହୁମୁଖୀ ଭାଗୀଦାରିତା ଏବଂ ପାରସ୍ପରିକ ସହଯୋଗ କ୍ଷେତ୍ରରେ ଓଆଇସିର ଏହି ସମ୍ମିଳନୀ ଅତ୍ୟନ୍ତ ମହତ୍ବପୂର୍ଣ୍ଣ। ସୂଚନା ଥାଉ କି, ୧୯୬୯ରେ ସ୍ଥାପିତ ଏହି ଇସ୍‌ଲାମିକ୍‌ ସଂଗଠନ ସମ୍ମିଳନୀରେ ଅଦ୍ୟାବଧି ୫୭ଟି ରାଷ୍ଟ୍ର ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪୦ଟି ମୁସ୍‌ଲିମ୍‌ ରାଷ୍ଟ୍ର ରହିଛନ୍ତି। ସୁଷମାଙ୍କ ଏହି ଗସ୍ତ ଉପରେ ସମଗ୍ର ବିଶ୍ବର ନଜର ରହିଛି। ୟୁଏଇ ଭାରତର ଏକ ଘନିଷ୍ଠ ସାମରିକ ସହଯୋଗୀ ହୋଇଥିବା ବେଳେ ଏହି ପଦକ୍ଷେପ ଦୁଇ ଦେଶର ସଂପର୍କକୁ ଆହୁରି ମଜବୁତ କରିବ। ଅନ୍ୟପକ୍ଷରେ, କଶ୍ମୀରରେ ପୁଲୱାମା ଆକ୍ରମଣକୁ ନେଇ ଭାରତ ବିଶ୍ବ ଦରବାରରେ ପାକିସ୍ତାନକୁ ଏକଘରିଆ କରିବାକୁ ଯେଉଁ କୂଟନୈତିକ ଯୁଦ୍ଧ ଚଳାଇଛି ସେ କ୍ଷେତ୍ରରେ ମଧ୍ୟ ଭାରତର ଦାବି ଆହୁରି ଶାଣିତ ହେବ। ଇସ୍‌ଲାମିକ ରାଷ୍ଟ୍ରଗୁଡ଼ିକ ସହ ଭାରତର ଦ୍ବିପାକ୍ଷିକ ସଂପର୍କକୁ ସୁଦୃଢ଼ କରିବା ପାଇଁ ପୂର୍ବରୁ ମଧ୍ୟ ସୁଷମା ଅନେକ ପ୍ରୟାସ କରିଛନ୍ତି।

ସମ୍ବନ୍ଧିତ ଖବର