କର୍‌ତାରପୁର କରିଡର ନିର୍ମାଣ, ୧୧ରୁ ୧୪ ପର୍ଯ୍ୟନ୍ତ କଥାବାର୍ତ୍ତା ନେଇ ଭାରତର ପ୍ରସ୍ତାବ

ନୂଆଦିଲ୍ଲୀ: କରତାରପୁର କରିଡର ନିର୍ମାଣ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ଆଉ ଏକ ପର୍ଯ୍ୟାୟ ଆଲୋଚନା ପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ ଚିଠି ଲେଖାଯାଇଛି। ଜୁଲାଇ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଆଲୋଚନା କରିବାକୁ କୁହାଯାଇଛି। ଯଦି ଏହି ତାରିଖରେ ଆଲୋଚନା ପାଇଁ ପାକିସ୍ତାନ ସହମତି ପ୍ରକାଶ କରେ ତାହେଲେ ଭାରତ ଏହାର ଅଧିକାରୀଙ୍କୁ ପାକିସ୍ତାନକୁ ପଠାଇବ। ୱାଘା-ଅଟାରି ସୀମା ନିକଟରେ ପାକିସ୍ତାନ ପଟେ ଏହି କଥାବାର୍ତା ହେବ। ଚଳିତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନୀ ପ୍ରତିପକ୍ଷ ଇମ୍ରାନ ଖାନ୍‌ଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ କରିଡରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ଭାରତ ଆଗ୍ରହୀ ଥିବା ମୋଦୀ ଉଲ୍ଲେଖ କରିଛନ୍ତି। ଏଥିପାଇଁ ଦୁଇ ଦେଶର ଅଧିକାରୀମାନଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ବୈଠକ ୱାଘା-ଅଟାରି ସୀମା ନିକଟ ଭାରତ ପାର୍ଶ୍ବରେ ହୋଇଥିଲା। ତେଣୁ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ପାକିସ୍ତାନ ପଟେ ହେବ। ୨୦୧୮ ନଭେମ୍ବର ୨୨ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଏହି କରିଡର ନିର୍ମାଣ ପାଇଁ ନିଷ୍ପତ୍ତି ନେବା ପରେ ଭାରତ ପଟେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଭାରତ ପଟେ ପ୍ରାୟ ୪୫ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା କୁହାଯାଉଛି। ଆସନ୍ତା ନଭେମ୍ବରରେ ଗୁରୁ ନାନକଙ୍କ ୫୫୦ତମ ଜନ୍ମବାଷିର୍କୀ ପଡ଼ୁଛି। ଏହି ସମୟରେ ଉକ୍ତ କରିଡ଼ରକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର