ଉତ୍ତର କୋରିଆରେ ପାଦ ରଖିଲେ ଟ୍ରମ୍ପ୍‌, ପରମାଣୁ କଥାବାର୍ତ୍ତା ପୁନଃ ଆରମ୍ଭ ପାଇଁ ରାଜି ହେଲେ

‌ପୋଙ୍ଗୟାଙ୍ଗ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ମଧ୍ୟରେ ପୁଣିଥରେ ପରମାଣୁ କଥାବାର୍ତ୍ତା ଆରମ୍ଭ ହେବ। ଏଥିପାଇଁ ରାଜି ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌। ପ୍ରଥମ ଥର ପାଇଁ ଟ୍ରମ୍ପ୍‌ ଉତ୍ତର‌ କୋରିଆରେ ପାଦ ରଖିଛନ୍ତି। ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ସେ ଏଭଳି କାର୍ଯ୍ୟ କରି ଏକ ଇତିହାସ ରଚିଛନ୍ତି। କୋରିଆ ଉପଦ୍ବୀପକୁ ବିଭାଜନ କରୁଥିବା ଡିମିଲିଟାରାଇଜ୍‌ଡ ଜୋନ୍‌ (ଡିଏମଜେଡ୍‌) ତଥା ବେସାମରିକ କ୍ଷେତ୍ରରେ ଟ୍ରମ୍ପ୍‌ ଆଜି କିମ୍‌ଙ୍କୁ ସାକ୍ଷାତ କରିଛନ୍ତି। ଦୁଇ ନେତା ପରସ୍ପର ସହ ହାତ ମିଳାଇଛନ୍ତି ଏବଂ ଶାନ୍ତି ପାଇଁ ପୁଣିଥରେ ପରମାଣୁ କଥାବାର୍ତ୍ତା ଲାଗି ରାଜି ହୋଇଛନ୍ତି। ଉଭୟ ଟ୍ରମ୍ପ୍‌ ଏବଂ କିମ୍‌ଙ୍କ ମଧ୍ୟରେ ଏହା ତୃତୀୟ ସାକ୍ଷାତ। ପ୍ରଥମ ସାକ୍ଷାତ ସିଙ୍ଗାପୁର୍‌ରେ ଗତ ଜୁନ୍‌ରେ ହୋଇଥିଲା ଏବଂ ଏହାପରେ ଭିଏତନାମର ହାନୋଇରେ ଦ୍ବିତୀୟ ସମ୍ମିଳନୀ ହୋଇଥିଲା। ଆଜି କିମ୍‌ଙ୍କୁ ସାକ୍ଷାତ ପରେ ଉଭୟ ଟ୍ରମ୍ପ୍‌ ଏବଂ କିମ୍‌ ଦକ୍ଷିଣ କୋରିଆ ପାର୍ଶ୍ବକୁ ଯାଇ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ ଇନ୍‌ଙ୍କ ସହ କଥା ହୋଇଛନ୍ତି। ଉଭୟ ଟ୍ରମ୍ପ୍‌ ଏବଂ କିମ୍‌ ପ୍ରାୟ ୧ ଘଣ୍ଟା ଧରି ରୁଦ୍ଧ ଦ୍ବାର ବୈଠକ କରିଛନ୍ତି। ବୈଠକ ଖୁବ୍‌ ଭଲ ଥିଲା ବୋଲି ଟ୍ରମ୍ପ୍‌ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଟ୍ରମ୍ପ୍‌ ଓସାକାରେ ଜି-୨୦ ସମ୍ମିଳନୀ ସ‌ାରି ମୁନ୍‌ ଜାଏ ଇନ୍‌ଙ୍କ ସହ ସାକ୍ଷାତ ପାଇଁ ଗତକାଲି ଦକ୍ଷିଣ କୋରିଆରେ ପହଞ୍ଚିଥିଲେ। ୨ ଦିନିଆ ଦକ୍ଷିଣ କୋରିଆ ଗସ୍ତ ଅବସରରେ ଟ୍ରମ୍ପ୍‌ ହଠାତ୍‌ କିମ୍‌ଙ୍କୁ ସାକ୍ଷାତ କରିବାପାଇଁ ମନସ୍ଥ କରିଥିଲେ। ତେବେ ଜଣାଯାଇଛି ଯେ ଟ୍ରମ୍ପ୍‌ କିମ୍‌ଙ୍କୁ ୱାସିଂଟନ୍‌ ଆସିବାପାଇଁ ଆମନ୍ତ୍ରଣ କରିଛନ୍ତି। କିନ୍ତୁ କିମ୍‌ ଟ୍ରମ୍ପ୍‌ଙ୍କ ଆମନ୍ତ୍ରଣ ଗ୍ରହଣ କରିଛନ୍ତି କି ନା’ ତାହା ଜଣାପଡ଼ିନି। ଯଦି କିମ୍‌ ଟ୍ରମ୍ପ୍‌ଙ୍କ ଆମନ୍ତ୍ରଣ ଗ୍ରହଣ କରିବେ ତେବେ ପ୍ରଥମ ଥର ପାଇଁ ଜଣେ ଉତ୍ତର କୋରିଆ ନେତା ଆମେରିକାକୁ ଗସ୍ତ କରି ଇତିହାସ ସୃଷ୍ଟି କରିବେ।

ସମ୍ବନ୍ଧିତ ଖବର