ଚତୁର୍ଥ ମହଲାରୁ ଫିଙ୍ଗିଦେଲେ ଦୁଇ ଶିଶୁଙ୍କୁ ଜଣେ ମୃତ, ଅନ୍ୟଜଣେ ଗୁରୁତର

କୋଲକାତା: ପଡ଼ୋଶୀ ଘରର ଦୁଇ ଜଣ ଶିଶୁ ପାଟି କରି ଖେଳୁଥିଲେ। ଚିଡ଼ି ଉଠି ବ୍ୟକ୍ତି ଜଣକ ଦୁଇ ଶିଶୁଙ୍କୁ ଚତୁର୍ଥ ମହଲା ବାଲ୍‌କୋନିରୁ ତଳକୁ ଫିଙ୍ଗି‌ଦେଲେ। ଜଣେ ଶିଶୁର ଘଟଣାସ୍‌ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାଟି ଘଟିଛି ବଡ଼ବଜାର ଅଞ୍ଚଳରେ।

ପୁଲିସ ସୂତ୍ରରୁ ଜଣାପଡ଼ିଛି, ଏନ୍‌ଏସ୍‌ ରୋଡର ନନ୍ଦରାମ ମାର୍କେଟ ନିକଟରେ ଏକ ୧୦୦ ବର୍ଷ ପୁରୁଣା କୋଠା ଅଛି। ସେହି କୋଠାର ଚତୁର୍ଥ ମହଲାରେ ଶିବ କୁମାର ଗୁପ୍ତା ଏବଂ ବୁଧାନା ଶାହ ଭଡ଼ାରେ ରହନ୍ତି। ଦୁହେଁ ପଡ଼ୋଶୀ। ବୁଧାନାଙ୍କର ଦୁଇ ପୁଅ ଶିବମ୍‌ (ଦେଢ଼ ବର୍ଷ) ଏବଂ ବିଶାଳ (୭ ବର୍ଷ)। ପିଲା ଦୁଇଜଣ ଖେଳିବାକୁ ନେଇ ଅନେକ ଥର ଶିବ କୁମାର ଏବଂ ବୁଧାନାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଛି। ରବିବାର ସନ୍ଧ୍ୟାରେ ପିଲା ଦୁହେଁ ବାଲ୍‌କନିରେ ଖେଳୁଥିଲେ। ସେମାନଙ୍କ ବଲ୍‌ ଶିବ କୁମାରଙ୍କ କବାଟରେ ବାଜିଲା। ଏଥିରେ ରାଗିଯାଇ ଶିବକୁମାର ଦୁଇ ପିଲାଙ୍କୁ ବାଲ୍‌କନିରୁ ତଳକୁ ଫିଙ୍ଗିଦେଲେ। ତଳେ ପଡ଼ି ଶିବମ୍‌ର ମୃତ୍ୟୁ ହୋଇଥିବାବେଳେ ବିଶାଳ ଷ୍ଟୋରର ଟିଣ ସେଡ୍‌ ଉପରେ ପଡ଼ି ଯାଇଥିଲା। ତା ବେକରେ ତାର ଗୁଡ଼େଇ ହୋଇଥିଲା। ମୁଣ୍ଡ ଫାଟି ଭୀଷଣ ରକ୍ତସ୍ରାବ ହୋଇଥିବାରୁ ସେ ସଂଜ୍ଞାହୀନ ହୋଇ ଯାଇଥିଲା। ପଡ଼ୋଶୀମାନେ ଦୁଇ ଶିଶୁଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନା ନେଇ ଯାଇଥିଲେ। ଡାକ୍ତର ଶିବମ୍‌କୁ ମୃତ ଘୋଷଣା କରିଥିବାବେଳେ ବିଶାଳ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛି। ଖବର ପାଇ ପୁଲିସ ଶିବ କୁମାରକୁ ଗିରଫ କରିଛି। ଶିବମ୍‌ର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର