ପାକିସ୍ତାନସ୍ଥିତ କର୍ତ୍ତାରପୁର ଗୁରୁଦ୍ୱାରାକୁ ଦର୍ଶନ ଲାଗି ଯିବା ପାଇଁ ନିର୍ମାଣ ହେବ କରିଡର: ପ୍ରସ୍ତାବକୁ ମଞ୍ଜୁରୀ ଦେଲା କେନ୍ଦ୍ର କ୍ୟାବିନେଟ୍
ନୂଆଦିଲ୍ଲୀ: ଶିଖ୍ ଧର୍ମାବଲମ୍ବୀଙ୍କ ଲାଗି ଖୁସୀ ଖବର। ବର୍ତ୍ତମାନ ପାକିସ୍ତାନସ୍ଥିତ ରବି ନଦୀ କୂଳରେ ଅବସ୍ଥିତ ଗୁରୁଦ୍ୱାର ଦରବାର ସାହିବ କର୍ତ୍ତାରପୁରକୁ ଦର୍ଶନ ଲାଗି ଯିବା ପାଇଁ ଭାରତ ସରକାର ଗୁରୁଦାସପୁରଠାରୁ ଅନ୍ତର୍ଜାତୀୟ ସୀମା ପର୍ଯ୍ୟନ୍ତ ଏକ କରିଡର ନିର୍ମାଣ କରିବେ। ଏହି ପ୍ରସ୍ତାବ ଉପରେ ମୋହର ଲଗାଇଛି କେନ୍ଦ୍ର କ୍ୟାବିନେଟ। ବର୍ତ୍ତମାନ୍ ପାକିସ୍ତାନରେ ଥିବା ଶିଖମାନଙ୍କର ଏହି ପବିତ୍ର ପୀଠରେ ଗୁରୁ ନାନକ ୧୮ ବର୍ଷ ଅତିବାହିତ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଗୁରୁବାର କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ପଞ୍ଜାବର ଗୁରୁଦାସପୁର ଜିଲ୍ଲାରେ ଡେରା ବାବା ନାନକଠାରୁ ଅନ୍ତର୍ଜାତୀୟ ସୀମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନକୁ ନିଜ ଅଞ୍ଚଳରେ ସେପରି ଏକ ରାସ୍ତା ନିର୍ମାଣ କରିବାକୁ ଅନୁରୋଧ କରାଯାଇଛି। ଯାହା ଫଳରେ ଶିଖ୍ ଧର୍ମାବଲମ୍ବୀମାନେ ଅନ୍ତର୍ଜାତୀୟ ସୀମା ପାର ହୋଇ କର୍ତ୍ତାରପୁରସ୍ଥିତ ଗୁରୁଦ୍ୱାର ଦରବାର ସାହିବକୁ ଯାଇପାରିବେ।
ଏଥିସହ ଭାରତୀୟ ରେଳ ଗୁରୁନାନକଙ୍କ ସହ ଜଡ଼ିତ ପବିତ୍ର ପୀଠଗୁଡ଼ିକୁ ଯାତ୍ରା କରିବା ଲାଗି ଏକ ସ୍ୱତନ୍ତ୍ର ଟ୍ରେନ ଚଳାଇବ ବୋଲି ସେ କହିଛନ୍ତି। ୨୦୧୯ ମସିହାରେ ଗୁରୁ ନାନକ ଦେବଙ୍କ ୫୫୦ ତମ ଜନବାର୍ଷିକୀ ଅବସରରେ ଏସବୁ ପଦକ୍ଷେପ କେନ୍ଦ୍ର ସରକାର ନେବା ଲାଗି ସ୍ଥିର କରିଛନ୍ତି ସେ ଘୋଷଣା କରିଛନ୍ତି।