ବିଜୟା ଦଶମୀରେ ଭାରତକୁ ମିଳିଲା ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବହନକାରୀ ରାଫେଲ୍‌ ଯୁଦ୍ଧ ବିମାନ : ପ୍ୟାରିସ୍‌ର ବାୟୁସେନା ଘାଟିରେ ପ୍ରଥମ ରାଫେଲ୍‌ ଯୁଦ୍ଧ ବିମାନ ଗ୍ରହଣ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ : ଅନେକ ଦିନର ଅପେକ୍ଷା ପରେ ଆଜି ଭାରତକୁ ରାଫେଲ ଯୁଦ୍ଧ ବିମାନ ମିଳିଛି । ଏହାକୁ ଆଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ୟାରିସ୍‌ ଯାଇଥିବା ବେଳେ ଭାରତକୁ ଆର୍‌ବି-୦୦୧ରାଫେଲ ବିମାନ ହସ୍ତାନ୍ତର କରିଛି ଫ୍ରାନ୍ସ । ତେବେ ଯୁଦ୍ଧ ବିମାନକୁ ଗ୍ରହଣ କରିବା ପୂର୍ବରୁ ରାଜାଥ ସିଂହ ପ୍ରଥମେ ଶସ୍ତ୍ର ପୂଜା କରିଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପ୍ୟାରିସ୍‌ର ବାୟୁସେନା ଘାଟିରେ ରାଜନାଥ ପ୍ରଥମ ରାଫେଲ୍‌ ଯୁଦ୍ଧ ବିମାନ ଗ୍ରହଣ କରିଛନ୍ତି । ସେ ଟୁଇଟ୍ କରି ଏହା ଜଣାଇଛନ୍ତି। ରାଜନାଥ ଏହି ଯୁଦ୍ଧ ବିମାନ ଭାରତୀୟ ବାୟୁସେନାର କ୍ଷମତା ବଢ଼ାଇବ ବୋଲି ଟୁଇଟରେ କହିଛନ୍ତି। ଭାରତ ଓ ଫ୍ରାନ୍ସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗିତା ବଢ଼ିବ ବୋଲି ରାଜନାଥ ଆଶା ପ୍ରକାଶ କରିଛନ୍ତି।

ANI

ଏହି ବିମାନର ଟେଲ ନମ୍ବର ରହିଛି ଆରବି-୦୦୧ । ଭାରତୀୟ ବାୟୁସେନା ମୁଖ୍ୟ ଆରକେ ଭଦୁରିଆଙ୍କ ନାଁରେ ଏହି କୋଡ ନମ୍ବର ଦିଆଯାଇଛି। କାରଣ ଆରକେ ଭଦୁରିଆ ହିଁ ରାଫେଲ ଚୁକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା । ଆସନ୍ତା ୨ ବର୍ଷ ମଧ୍ୟରେ ଅବଶିଷ୍ଟ ୩୫ଟି ରାଫେଲ ବିମାନ ଭାରତରେ ପହଞ୍ଚିବ ।

ଚୁକ୍ତିନାମା ସ୍ବାକ୍ଷର ହେବାର ତିନି ବର୍ଷ ପରେ ଭାରତ ଏହାର ପ୍ରଥମ ରାଫେଲ୍‌ ଯୁଦ୍ଧ ବିମାନ ହାସଲ କରିଛି। ଫ୍ରାନ୍ସର ଯୁଦ୍ଧ ବିମାନ ନିର୍ମାଣକାରୀ ସଂସ୍ଥା ଡାସଲ୍‌ଟ ଆଭିଏସନ୍‌ ଦ୍ବାରା ପ୍ରସ୍ତୁତ ରାଫେଲ୍‌ ଜେଟ୍‌ ଭାରତୀୟ ବାୟୁସେନାର ଶକ୍ତିକୁ ଯଥେଷ୍ଟ ବଢ଼ାଇବ ବୋଲି ବାୟୁସେନା ମୁଖ୍ୟ ରାକେଶ କୁମାର ସିଂ ଭାଦୋରିଆ କହିଛନ୍ତି।

ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବହନ କରି ପା‌ରୁଥିବା ରାଫେଲ୍‌ ଭାରତକୁ ଅପ୍ରତିଦ୍ବନ୍ଦ୍ବୀ କରିବା ସହ ଶତୃ ଶିବିରରେ କମ୍ପନ ସୃଷ୍ଟି କରିବ। ରାଫେଲ୍‌ ବିମାନ ମେଟଏର ଓ ସ୍କାପ୍‌ କ୍ଷେପଣାସ୍ତ୍ର ବହନ କରିବାର କ୍ଷମତା ରଖିଥିବାରୁ ଏହା ଭାରତର ଶତ୍ରୁ ଶିବିରରେ ଆତଙ୍କ ସୃଷ୍ଟି କରିବ ବୋଲି ନିର୍ମାଣକାରୀ ସଂସ୍ଥା କହିଛି।

ଆକାଶରୁ ଆକାଶକୁ ମାରକ କ୍ଷମତା ଥିବା ମେଟଏର୍‌ ମିଜାଇଲ୍‌ ଏବଂ ସ୍କାପ୍‌ କ୍ରୁଜ୍‌ ମିଜାଇଲ୍‌ ପ୍ୟାକେଜ୍‌ ଥିବା ୩୬ଟି ରାଫେଲ୍‌ ଜେଟ୍‌କୁ ଭାରତ ପାଇଁ ସ୍ବତନ୍ତ୍ର ଭାବେ ତିଆରି କରାଯାଇଛି। ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବହନ କରି ପାରୁଥିବା ରାଫେଲ୍‌ ଭାରତର ଶକ୍ତି ବୃଦ୍ଧି କରିବା ସହ ଚୀନ୍‌ ଏବଂ ପାକିସ୍ତାନ ସୀମାରେ ଏବେ ଭାରତର ସ୍ଥିତି ଅତ୍ୟନ୍ତ ସୁଦୃଢ଼ ହେବ।

ସମ୍ବନ୍ଧିତ ଖବର