ଭାରତ-ଚୀନ୍ ୧୪ଶ ପର୍ଯ୍ୟାୟ କଥାବାର୍ତ୍ତା ୧୩ ଘଣ୍ଟା ଚାଲିଲା

The 14th India-China round of talks lasted 13 hours

ନୂଆଦିଲ୍ଲୀ: ଚୀନ୍ ପଟରେ ଥିବା ଚୁଷୁଲ-ମୋଲଡୋ ମିଟିଂ ପଏଣ୍ଟରେ ଭାରତ ଓ ଚୀନ୍ ମଧ୍ୟରେ ବୁଧବାର ୧୩ ଘଣ୍ଟା ବ୍ୟାପୀ କର୍ପସ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ସମ୍ପନ୍ନ ହୋଇଛି। ରାତ୍ରି ସାଢ଼େ ୧୦ଟାରେ ୧୪ଶ ବୈଠକ ଶେଷ ହୋଇଥିଲା। ଭାରତ ପକ୍ଷରୁ ନୂଆ ୧୪ କର୍ପସ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତ ଯୋଗ ଦେଇଥିଲେ। ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଉପରେ ଆଲୋଚନା କରାଯାଇଥିଲା ଯାହାଦ୍ବାରା ପୂର୍ବ ଲଦାଖ ଅଞ୍ଚଳରେ ଅଚଳାବସ୍ଥା ଦୂର ହୋଇପାରିବ। ଭାରତ ପକ୍ଷରୁ ହଟ୍ ସ୍ପ୍ରିଙ୍ଗସ୍ ସଂଘର୍ଷ କ୍ଷେତ୍ର ବିବାଦର ସମାଧାନ ଉପରେ ଗୁରୁତ୍ବ ଦିଆଯାଇଥିଲା, ଗତବର୍ଷ ଚୀନ୍ ସୀମାନ୍ତ ବାହିନୀର ଆକ୍ରମଣ ପରେ ଯାହାର ସୃଷ୍ଟି ହୋଇଛି। ଉକ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ କାମ କଲାବେଳେ ଭାରତ ଶତ୍ରୁପକ୍ଷର ଯେକୌଣସି ପ୍ରକାର ଦୁଃସାହସିକତାର ପ୍ରତିରୋଧ କରିବା ପାଇଁ ମଧ୍ୟ ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି। ସୈନିକମାନଙ୍କ ଯାତାୟାତ ପାଇଁ ରାସ୍ତା ଏବଂ ରହିବା ପାଇଁ ଘର ଆଦିର ବ୍ୟାପକ ନିର୍ମାଣ କରାଯାଇଛି। ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ବୁଧବାର କହିଛନ୍ତି, ପିଏଲ୍‌ଏକୁ ଦୃଢ଼ହସ୍ତରେ ମୁକାବିଲା କରିବା ପାଇଁ ଭାରତ ପ୍ରସ୍ତୁତିରେ କିଛି ଅଭାବ ରଖିନାହିଁ ଏବଂ ତା’ ସହିତ ଶାନ୍ତିପୂର୍ଣ୍ଣ ଭାବରେ ସୀମା ବିବାଦର ସମାଧାନ ପାଇଁ ମଧ୍ୟ ଉଦ୍ୟମ କରୁଛି।

ସମ୍ବନ୍ଧିତ ଖବର