ବିଧାୟିକାଙ୍କ ହତ୍ୟା ଅଭିଯୁକ୍ତ ସ୍ୱାମୀଙ୍କ ସଂପର୍କରେ ସୂଚନା ପାଇଁ ୩୦ହଜାର ଟଙ୍କା ପୁରସ୍କାର ଘୋଷଣା କଲା ମଧ୍ୟପ୍ରଦେଶ ପୁଲିସ 

ଦାମୋହ: ୨୦୧୯ରେ ସଂଘଟିତ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥାଇ ଫେରାର ଥିବା ରାଜ୍ୟ ବହୁଜନ ସମାଜ ପାର୍ଟି (ବିଏସପି) ବିଧାୟିକା ରାମ ବାଇ ସିଂହଙ୍କ ସ୍ୱାମୀଙ୍କ ସଂପର୍କରେ ସୂଚନା ପାଇଁ ମଧ୍ୟପ୍ରଦେଶ ପୁଲିସ ୩୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛି।

କଂଗ୍ରେସ ନେତା ଦେବେନ୍ଦ୍ର ଚୌରାସିଆଙ୍କ ହତ୍ୟା ମାମଲାରେ ବାହୁଜନ ସମାଜ ପାର୍ଟି (ବିଏସପି) ବିଧାୟକ ରାମ ବାଇ ସିଂଙ୍କ ସ୍ୱାମୀ ଗୋବିନ୍ଦ ସିଂ ଅଭିଯୁକ୍ତ ଥାଇ ନିଜ ଗିରଫଦାରୀକୁ ଏଡ଼ାଇବା ପାଇଁ ଫେରାର ଅଛନ୍ତି। ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶ ଦାମୋହ ଜିଲ୍ଲାର ପାଥାରିଆର ବିଧାୟକ ହେଉଛନ୍ତି ରାମ ବାଇ ସିଂ।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୫, ୨୦୧୯ରେ ଘଟିଥିବା ଏହି ହତ୍ୟା ଘଟଣାର ତଦନ୍ତରେ ପୁଲିସ୍‌ ନିଷ୍କ୍ରିୟତା ପ୍ରଦର୍ଶନ ସହ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରି ସୁପ୍ରିମ୍‌କୋର୍ଟରେ ଏକ ମାମଲା ଆଗତ ହୋଇଥିଲା। ଗତ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି କହିଥିଲେ ଯେ ଏହି ଯେ ଏହି ହତ୍ୟା ଘଟଣାର ତଦନ୍ତକୁ ଚାପିଦେବା ଓ ହତ୍ୟା ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ କର୍ତ୍ତୃପକ୍ଷ ଉଦ୍ୟମ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଥିସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ୍‌କୋର୍ଟ।

ସୁପ୍ରମକୋର୍ଟଙ୍କ ଏହି ମନ୍ତବ୍ୟ ଓ ନିର୍ଦ୍ଦେଶ ପରେ ଅଭିଯୁକ୍ତ ଗୋବିନ୍ଦ ସିଂଙ୍କୁ ଗିରଫ କରିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଏଥିସହ କଂଗ୍ରେସ ନେତାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ବିଧାୟିକାଙ୍କ ସ୍ୱାମୀ ଗୋବିନ୍ଦ ସିଂଙ୍କ ସଂପର୍କରେ ସୂଚନା ପାଇଁ ୩୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ବୋଲି ସାଗର ରେଞ୍ଜର ଆଇଜି ଅନିଲ ଶର୍ମା କହିଛନ୍ତି। ଏହା ବ୍ୟତୀତ ସ୍ପେଶାଲ ଟାସ୍କ ଫୋର୍ସର (ଏସଟିଏଫ) ଅତିରିକ୍ତ ନିର୍ଦ୍ଦେଶକ ଜେନେରାଲ ଭିପିନ ମହେଶ୍ୱରୀ ମଧ୍ୟ ଗୋବିନ୍ଦ ସିଂଙ୍କୁ ଧରିବା ପାଇଁ ଗତ ଦୁଇ ଦିନରୁ ଦାମୋହରେ କ୍ୟାମ୍ପ କରୁଛନ୍ତି ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର