୧୦ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ: କେନ୍ଦ୍ରକୁ ସୁପ୍ରିମ୍‌ କୋର୍ଟଙ୍କ ନୋଟିସ୍, ୪ ସପ୍ତାହରେ ଜବାବ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ସାଧାରଣ ବର୍ଗର ଲୋକଙ୍କ ପାଇଁ ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ସରକାରଙ୍କ ନୂତନ ଆଇନ ଉପରେ ରହିତା ଦେଶ ଜାରି ପାଇଁ ସୁପ୍ରିମ୍‌ କୋର୍ଟରେ ଦାଏର ହୋଇଥିବା ଜନସ୍ବାର୍ଥ ମାମଲାର ଆଜି ଶୁଣାଣି ହୋଇଛି। କୋର୍ଟ ଏ ବାବଦରେ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ତୁରନ୍ତ ରହିତାଦେଶ ଜାରି ପାଇଁ କୋର୍ଟ ମନା କରିଦେଇଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ନୂତନ ଆଇନ ଉପରେ ତତ୍କାଳ ରହିତାଦେଶ ଲଗାଇବାକୁ ମନା କରି କହିଛନ୍ତି ଯେ ଏହି ମାମଲାରେ କୋର୍ଟ ଆବଶ୍ୟକ ନିରୀକ୍ଷଣ ଏବଂ ତର୍ଜମା କରିବେ। ସମ୍ବିଧାନ ସଂଶୋଧନ ମାଧ୍ୟମରେ ସରକାର ଆର୍ଥିକ ଦୃଷ୍ଟିରୁ ପଛୁଆ ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଦ୍ବାରା ଏହା ସମ୍ବିଧାନର ମୂଳ ଢାଞ୍ଚାକୁ କୌଣସି କ୍ଷତି ପହଞ୍ଚାଉଛି କି ନାହିଁ ତାହା ଅନୁଧ୍ୟାନ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଆବେଦନକାରୀ ତହସିନ ପୁନାୱାଲା ଦର୍ଶାଇଛନ୍ତି ଯେ ସରକାରଙ୍କ ଏହି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ସଂରକ୍ଷଣ ପାଇଁ ରହିଥିବା ୫୦ ପ୍ରତିଶତ ସୀମା ଅତିକ୍ରମ ହୋଇଛି ଏବଂ ଏହା ସମ୍ବିଧାନର ଉଲ୍ଲଂଘନ।

ସମ୍ବନ୍ଧିତ ଖବର