୭୪% ନୂଆ କୋଭିଡ୍-୧୯ ସଂକ୍ରମଣ ଓ ୮୩% ମୃତ୍ୟୁ ରିପୋର୍ଟ କରିଛନ୍ତି ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ୨୪ ଘଣ୍ଟା ମଧ୍ୟରେ ୭୪% ନୂଆ କୋଭିଡ୍-୧୯ ସଂକ୍ରମଣ ଏବଂ ୮୩% ମୃତ୍ୟୁ ହୋଇଥିବା କଥା କେନ୍ଦ୍ରଶାସିତ ଅଞ୍ଚଳ ସମେତ ଅନ୍ୟୂନ ୧୦ଟି ରାଜ୍ୟ ରିପୋର୍ଟ କରିଛନ୍ତି ବ‌ୋଲି ବୁଧବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

ଏକ ବିବୃତିରେ ମନ୍ତ୍ରାଳୟ କହିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୩, ୩୪୭ଟି ନୂଆ ସକ୍ରିୟ ସଂକ୍ରମଣ ରିପୋର୍ଟ ହୋଇଛି। ଏଥିରୁ ପ୍ରାୟ ୭୪% ନୂଆ ସଂକ୍ରମଣ ମାମାଲା ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର।

ମନ୍ତ୍ରାଳୟ କହିବା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଏକା ମହାରାଷ୍ଟ୍ରରେ ୧୮, ୩୯୦ ନୂତନ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ଅନ୍ୟୂନ ୭, ୫୫୩ଟି ମାମଲା ରିପୋର୍ଟ ହୋଇଛି। ସେହିଭଳି କର୍ଣ୍ଣାଟକରେ ୬, ୯୭୪, ଉତ୍ତର ପ୍ରଦେଶରେ ୫, ୬୫୦, ତାମିଲନାଡୁରେ ୫, ୩୩୭, ଓଡ଼ିଶାରେ ୪, ୧୮୯, ‌କେରଳରେ ୪, ୧୨୫, ଦିଲ୍ଲୀରେ ୩, ୮୧୬, ପଶ୍ଚିମବଙ୍ଗରେ ୩, ୧୮୨ ଓ ଛତିଶଗଡ଼ରେ ୨, ୭୩୬ ଟି ନୂତନ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି।

ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, କୋଭିଡ୍-୧୯ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧, ୦୮୫ ମୃତ୍ୟୁ ରେଜିଷ୍ଟ୍ରି କରାଯାଇଛି, ହିସାବରେ ତାହା ୮୩% ହେଉଛି। ମହାରାଷ୍ଟ୍ରରେ ୩୯୨, କର୍ଣ୍ଣାଟକରେ ୮୩, ଉତ୍ତର ପ୍ରଦେଶରେ ୭୭, ପଶ୍ଚିମବଙ୍ଗରେ ୬୨, ତାମିଲନାଡୁରେ ୭୬, ଆନ୍ଧ୍ରପ୍ରଦେଶରେ ୫୧, ପଞ୍ଜାବରେ ୬୬, ଦିଲ୍ଲୀରେ ୩୭, ହରିୟାଣାରେ ୨୯, ଛତିଶଗଡ଼ରେ ୨୮ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି।

Image Courtesy of The Financial Express

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆହୁରି ମଧ୍ୟ ସୂଚନା ଦେଇଛି ଯେ, ଅନ୍ୟୂନ ୧୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଧିକ ‘ଟେଷ୍ଟ୍‌ ପର୍‌ ମିଲିୟନ୍’ ଏବଂ ଜାତୀୟ ହାରରେ ଅପେକ୍ଷାକୃତ କମ୍‌ ସଂକ୍ରମଣ ହାର ପ୍ରଦର୍ଶନ କରିଛନ୍ତି।

ସରକାରୀ ତଥ୍ୟ ଅନୁସାରେ, ବୁଧବାର ଦିନ ଭାରତର ସମୁଦାୟ ପଜିଟିଭ୍ ହାର ହେଉଛି ୮. ୫୨% ଏବଂ ‘ଟେଷ୍ଟ୍‌ ପର୍‌ ମିଲିୟନ୍’ ୪୮, ୦୨୮। ଏହା ବ୍ୟତିରେକେ, ଦୈନିକ ଭାରତର ପରୀକ୍ଷା ୧୨ ଲକ୍ଷ ଟପି ଯାଇଛି। ସମଗ୍ର ଦେଶରେ ଏ ପର୍ଯ୍ୟନ୍ତ ସମୁଦାୟ ୬. ୬ କୋଟି ପରୀକ୍ଷା କରାଯାଇ ସାରିଲାଣି।

ଅଧିକ ପରୀକ୍ଷା କରାଉଥିବା ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ମଧ୍ୟରେ ଅଛନ୍ତି, ମିଜୋରାମ, ମଣିପୁର, ଦାମନ ଓ ଦିଉ ଓ ଦାଦର ଓ ନଗର ହାୱେଲି, ଅରୁଣାଚଳ ପ୍ରଦେଶ, ଗୁଜରାଟ, ସିକିମ, ତ୍ରିପୁରା, ଜମ୍ମୁ ଓ କଶ୍ମୀର, ଓଡ଼ିଶା, ଆସାମ, ପଞ୍ଜାବ, ଉତ୍ତରାଖଣ୍ଡ, ହରିୟାଣା ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ।

ସମ୍ବନ୍ଧିତ ଖବର