କରୋନା ମହାମାରୀ : ଇଟାଲୀରେ ୧୦୦ ରୁ ଅଧିକ ଡାକ୍ତର, ୩୦ ନର୍ସ ମୃତ

ରୋମ : କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଚାଲିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁସଂଖ୍ୟା ବଢିଚାଲିଛି । ବିଶ୍ୱର ସବୁଠାରୁ ଅଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ରହିଛନ୍ତି ଆମେରିକା, ସ୍ପେନ ଓ ଇଟାଲୀ ।

ଇଟାଲୀରେ ସ୍ଥିତି ଏତେ ସଂଗୀନ ହୋଇପଡ଼ିଛି ଯେ ପ୍ରତି ଘରେ ଶବ ପଡ଼ିଛି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ କରୋନା ଭାଇରସ କବଳରୁ ମୁକ୍ତି ପାଇପାରୁନାହାନ୍ତି । ଇଟାଲୀରେ କରୋନା ସଂକ୍ରମିତଙ୍କ ସମେତ ଡାକ୍ତରମାନଙ୍କ ମୃତ୍ୟୁସଂଖ୍ୟା ମଧ୍ୟ ବଢିଚାଲିଛି । ଇଟାଲୀର ଡାକ୍ତର ମହାସଂଘ ପକ୍ଷରୁ କୁହାଯାଇଛି ଯେ ଏପର୍ଯ୍ୟନ୍ତ ୧ ଶହରୁ ଅଧିକ ଡାକ୍ତର ମୃତ୍ୟୁବରଣ କରିସାରିଲେଣି । ଆଉ କେତେକ ଡାକ୍ତର ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଇଟାଲୀରେ କରୋନା ସଂକ୍ରମଣ ବଢିବା ପରେ ସରକାର କିଛି ଅବସରପ୍ରାପ୍ତ ଡାକ୍ତରଙ୍କୁ ଡକାଇଥିଲେ । ମୃତକଙ୍କ ମଧ୍ୟରେ କେତେକ ବରିଷ୍ଠ ଡାକ୍ତର ଥିବା ଜଣାଯାଇଛି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଉପଯୁକ୍ତ ସୁରକ୍ଷା ଉପକରଣ ଦିଆଯାଉନଥବାରୁ ଏପରି ହେଉଥିବା ସଂଘ ଅଭିଯୋଗ କରିଛି । କେବଳ ଏତିକି ନୁହେଁ, ଇଟାଲୀ ଗଣମାଧ୍ୟମରୁ ଜଣାପଡ଼ିଛି ଯେ ପ୍ରାୟ ୩୦ ଜଣ ନର୍ସ ମଧ୍ୟ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇସାରିଲେଣି । ଆଉ କେତେକ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର