‘କରୋନା’ ପାଇଁ ଭାରତ ସତର୍କ: ଭାରତରେ ୪୩ ବିମାନ, ୯୦୦୦ରୁ ଅଧିକ ଯାତ୍ରୀଙ୍କୁ ଯାଞ୍ଚ

ଚୀନ୍‌ରେ ମୃତ୍ୟୁସଂଖ୍ୟା ୧୭ ଛୁଇଁଲା, ୪୪୦ ଆକ୍ରାନ୍ତ, ଡବ୍ଳ୍ୟୁଏଚ୍‌ଓ ବୈଠକ

ନୂଆଦିଲ୍ଲୀ: ଚୀନ୍‌ରେ କରୋନା ଭାଇରସ୍‌ ଯୋଗୁଁ ମୃତ୍ୟୁସଂଖ୍ୟା‌ ୧୭ ଛୁଇଁଥିବା ବେଳେ ଆହୁରି ୪୪୦ ଜଣ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଭାଇରସ୍‌ ଏବେ ବିଶ୍ବବ୍ୟାପୀ ବିଭିନ୍ନ ଦେଶରେ ଆତଙ୍କ ଖେଳାଇ ଦେଇଛି। ଏହି ଭାଇରସ ଆମେରିକାରେ ମଧ୍ୟ ପହଞ୍ଚି ସାରିଛି ବୋଲି ଆଜି ଆମେରିକା ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ସହ ନାଗରିକମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶାବଳୀ ଜାରି କରିଛି। ବିଶ୍ବବ୍ୟାପୀ ବିଭିନ୍ନ ବିମାନବନ୍ଦର ଗୁଡ଼ିକରେ ଚୀନ୍‌ର ଯାତ୍ରୀମାନଙ୍କୁ ଭଲଭାବେ ଯାଞ୍ଚ କରାଯାଉଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତରେ ମଧ୍ୟ ଦିଲ୍ଲୀ, ମୁମ୍ବା‌ଇ, ଚେନ୍ନାଇ, କୋଲକାତା ବିମାନବନ୍ଦରରେ ସମୁଦାୟ ୪୩ ବିମାନ ଏବଂ ୯,୧୫୬ ଯାତ୍ରୀଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଇଛି। ଭାରତରେ ଆଜି ସନ୍ଧ୍ୟା ସୁଦ୍ଧା ଏହି ଭୂତାଣୁ ଚିହ୍ନଟ ହୋଇନଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଚୀନ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଏନେଇ ବିସ୍ତୃତ ରିପୋର୍ଟ ଦିଆଯାଉଛି। ଭାରତ ସରକାର ଏ ଦିଗରେ କେତେକ ବିଶେଷ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ବିମାନ ଯାତ୍ରା ସମୟରେ ସଂକ୍ରମଣ ବ୍ୟାପିବା ଆଶଙ୍କା ରହୁଥିବାରୁ ଯାତ୍ରୀମାନଙ୍କୁ ଏ ଦିଗରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି। ଦୁଇ ସପ୍ତାହ ମଧ୍ୟରେ ଚୀନ୍‌ରୁ ଆସିଥିବା ଯାତ୍ରୀମାନେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ସରକାର କହିଛନ୍ତି।

ଚୀନ୍‌ର ଉହାନ ସହର କରୋନା ଭାଇରସ୍‌ର ଉତ୍ପତ୍ତି ହୋଇଥିବା ବେଳେ ସେଠାରେ ହାଇ ଆଲର୍ଟ ଜାରି ହୋଇଛି। ଉହାନ୍‌ରେ ପଢ଼ୁଥିବା ବିଦେଶୀ ଛାତ୍ରମାନେ ଏବେ ଭୟରେ ଅଛନ୍ତି। ୫୦୦ରୁ ଅଧିକ ଭାରତୀୟ ଛାତ୍ର ଉହାନ୍‌ରେ ଅଧ୍ୟୟନ କରୁଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଚଳିତ ମାସ ଦ୍ବିତୀୟ ସପ୍ତାହରେ ଘରକୁ ଫେରି ଆସିଥିବା ଜଣାପଡ଼ିଛି। ଉହାନରୁ ସମସ୍ତ ବିଦେଶୀ ଛାତ୍ର ପର୍ଯ୍ୟାୟକ୍ରମେ ସ୍ବଦେଶ ଫେରୁଛନ୍ତି। ବିଗତ ସପ୍ତାହକ ମଧ୍ୟରେ ଏହି ଭୂତାଣୁ ଜାପା‌ନ , ତାଇୱାନ୍‌, ଅଷ୍ଟ୍ରେଲିଆ , ଦକ୍ଷିଣ କୋରିଆ, ଥାଇଲାଣ୍ଡ ଏବଂ ହଂକଂରେ ପହଞ୍ଚି ସାରିଥିବା ବେଳେ ଏହା ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପି ଚାଲିଛି। ଭୂତାଣୁ ବ୍ୟାପୁଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ପକ୍ଷରୁ ଆଜି ସ୍ବିଜରଲାଣ୍ଡ୍‌ର ଜେନେଭାରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି।

ସମ୍ବନ୍ଧିତ ଖବର