କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ଠାରୁ ୨ କୋଟିର ପେଣ୍ଟିଙ୍ଗ କିଣିବାକୁ ନେଇ ପଚରାଉଚୁରା ଜାରି

ନୂଆଦିଲ୍ଲୀ: ୟେସ ବ୍ୟାଙ୍କରେ ଆର୍ଥିକ ସଙ୍କଟ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଏହାର ସହ ପ୍ରତିଷ୍ଠାତା ରାଣା କପୁରଙ୍କୁ ପଚରାଉଚୁରା ଜାରି ରହିଛି | ଏହାରି ମଧ୍ୟରେ ଏକ ପେଣ୍ଟିଙ୍ଗ ରାଜନୈତିକ ଚର୍ଚ୍ଚାକୁ ଇନ୍ଧନ ଯୋଗାଇଛି | ମିଳିଥିବା ସୂଚନା ମୁତାବକ ଏହି ପେଣ୍ଟିଙ୍ଗ ରାଣା କପୁର କଂଗ୍ରେସ ନେତ୍ରୀ ତଥା ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପାଖରୁ ୨ କୋଟି ଟଙ୍କାରେ କିଣିଥିଲେ | ଏହି ଦାମୀ ପେଣ୍ଟିଙ୍ଗକୁ ନେଇ ଏବେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ କରୁଛି | ଚର୍ଚ୍ଚା ହେଉଛି ଯେ କଂଗ୍ରେସ ନେତା ମିଳିନ୍ଦ ଦେଵଦା ରାଣା କପୁରଙ୍କୁ ପେଣ୍ଟିଙ୍ଗ କିଣିବା ପାଇଁ ମନାଇଥିଲେ | ଯାହାକୁ ନେଇ ଇଡି ଏହି ଅର୍ଥ କାରବାରକୁ ନେଇ ତଦନ୍ତ ଆରମ୍ଭ କରିଛି |

Image Source: Livemint

ପେଣ୍ଟିଙ୍ଗକୁ ନେଇ କଂଗ୍ରେସ ନେତ୍ରୀ ଅମ୍ବିକା ସୋନି କହିଛନ୍ତି ଯେ ପ୍ରସଙ୍ଗ ହଟାଇବାକୁ ଏଭଳି କଥା କୁହାଯାଉଛି | ଯଦି ତଦନ୍ତକାରୀ ଏଜେନ୍ସି ଏବାବଦରେ ଜାଣିଥିଲା ତେବେ ପୂର୍ବରୁ କଣ କରୁଥିଲା | ୟେସ୍‌ ବ୍ୟାଙ୍କ୍‌ର ପ୍ରତିଷ୍ଠାତା ରାଣା କପୁର ଏବଂ ଅନ୍ୟମାନଙ୍କ ବିରୋଧରେ ଦିଆଯାଇଥିବା ଏଫ୍‌ଆଇଆର୍‌ ଆଧାରରେ ସୋମବାର ଦିନ ସିବିଆଇ ୭ଟି ସ୍ଥାନରେ ଚଢ଼ାଉ କରିଛି । ମୁମ୍ବାଇ ଠାରେ ରାଣା କପୁର, ଡିଏଚ୍‌ଏଫ୍‌ଏଲ୍‌, ଆର୍‌କେଡବ୍ଲୁ ଡେଭ୍‌ଲପର୍ସ ଏବଂ ଡୁଇଟ୍‌ ଅର୍ବାନ୍‌ ଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ଙ୍କ ସମ୍ପୃକ୍ତି ଥିବା ପ୍ରତିଷ୍ଠାନ ଓ ବାସଭବନରେ ଚଢ଼ାଉ ହୋଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ଡିଏଚ୍‌ଏଫ୍‌ଏଲ୍‌ର ମୁମ୍ବାଇସ୍ଥିତ ବାନ୍ଦ୍ରା ଅଫିସ୍‌ରେ ମଧ୍ୟ ଚଢ଼ାଉ କରିଛନ୍ତି। ସୂଚନାଯୋଗ୍ୟ ଯେ, ଆର୍ଥିକ ସଙ୍କଟରେ ଫସିଥିବା ୟେସ୍‌ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଗତ ଗୁରୁବାର ଦିନ କଟକଣା ଜାରି କରିଥିଲା। ଏଥିସହିତ ବ୍ୟାଙ୍କରୁ ୩୦ ଦିନ ପର୍ଯ୍ୟନ୍ତ ୫୦ ହଜାର ଟଙ୍କାରୁ ଅଧିକ ଗ୍ରାହକମାନେ ଉଠାଇ ପାରିବେ ନାହିଁ ବୋଲି କଟକଣା ଜାରି କରିଥିଲା । ଏହା ପରେ ଇଡି ପକ୍ଷରୁ ରାଣା ଏବଂ ଅନ୍ୟମାନଙ୍କ ନାମରେ ଏକ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଥିଲା।

ସମ୍ବନ୍ଧିତ ଖବର