ଭାରତ-ଚୀନ ସୀମାରେ ମୁତୟନ ହେଲେଣି ୨ ଲକ୍ଷ ୨୫ ହଜାର ଯବାନ

ନୂଆଦିଲ୍ଲୀ: ଧୋକାବାଜ ଚୀନକୁ ଶିକ୍ଷା ଦେବା ପାଇଁ ସବୁ ସ୍ତରରେ ସକ୍ଷମ ଭାରତ | ସୀମାରେ ଚାଲ ଖେଳୁଥିବା ଚୀନର ଯୋଜନା ପଣ୍ଡ କରିବାକୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ସ୍ଥଳସେନା, ବାୟୁସେନା ଓ ନୌସେନାକୁ ହାଇ ଆଲର୍ଟରେ ରଖାଯାଇଛି । ସୀମାରେ ଯୁଦ୍ଧ ଭଳି ପ୍ରସ୍ତୁତି କରିଛି ଭାରତ । ଜୁନ୍ ୧୫/୧୬ ରାତିରେ ସୀମାରେ ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବାପରେ, ବେସକ୍ୟାମ୍ପରୁ ସୀମା ଆଡକୁ ଅଗ୍ରସର ହୋଇଛନ୍ତି ହଜାର ହଜାର ସୈନିକ । ଜାମ୍ମୁ-କାଶ୍ମୀର ଓ ଲଦାଖରୁ ଆରମ୍ଭ କରି ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍, ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲାଣ୍ଡ ଓ ପଶ୍ଚିମବଙ୍ଗ ସୀମାରେ ପ୍ରାୟ ୨ଲକ୍ଷ ୨୫ ହଜାର ସୈନ୍ୟ ମୁତୟନ ହୋଇଛନ୍ତି ।

କେବଳ ଲଦାଖରେ ତିନି ଇନଫାଂଟ୍ରି ଡିଭିଜନ୍ ମୁତୟନ ହୋଇଛନ୍ତି । ଏହାବାଦ ଉଚ୍ଚ ପାହାଡରେ ଯୁଦ୍ଧାଭ୍ୟାସ କରିବାକୁ ସମର୍ଥ ଦୁଇଟି ଅଲଗା ଅଲଗା ବ୍ରିଗେଡଙ୍କୁ ପ୍ରସ୍ତୁତ ରଖାଯାଇଛି । ଜାମ୍ମୁ-କାଶ୍ମୀର, ଲଦାଖ ଓ ହିମାଚଳ ପ୍ରଦେଶର ଉତ୍ତର ଆର୍ମି କମାଣ୍ଡରେ ୩୪ ହଜାର ସୈନ୍ୟ ମୁତୟନ ହୋଇଥିବାବେଳେ ଉତ୍ତରାଖଣ୍ଡର କେନ୍ଦ୍ରୀୟ ଆର୍ମି କମାଣ୍ଡରେ ୧୫ ହଜାର ୫୦୦ ସୈନିକ ପ୍ରସ୍ତୁତ ଅଛନ୍ତି | ସେହିପରି ସିକିମ, ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲାଣ୍ଡ ଓ ପଶ୍ଚିମବଙ୍ଗର ପୂର୍ବ ଆର୍ମି କମାଣ୍ଡରେ ୧ ଲକ୍ଷ ୭୫ ହଜାର ୫୦୦ ସୈନିକ ପ୍ରସ୍ତୁତ ରହିଛନ୍ତି |

Outlook India

ଚୀନକୁ ଲାଗି ରହିଥିବା ଭାରତର ସମଗ୍ର ୩ ହଜାର ୪୮୮ କିଲୋମିଟର ସୀମାରେ ୨ ଲକ୍ଷ ୨୫ ହଜାର ସୈନ୍ୟ ସଜାଗ ହୋଇଯାଇଥିବାବେଳେ ସୀମାରେ ଭାରତର ଏହି ଜୋରଦାର ପ୍ରସ୍ତୁତି ପରେ କିଭଳି ବିଚଳିତ ହୋଇପଡିଛି ଚୀନ, ତାର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଚୀନର ଜଣେ ପ୍ରତିରକ୍ଷା ବିଶେଷଜ୍ଞ ହୁଆଙ୍ଗ ଗୁଓଝି କହିଛନ୍ତି ପାହାଡି ଇଲାକାରେ ଯୁଦ୍ଧ କରିବାରେ ସବୁଠାରୁ ଅନୁଭବୀ ସେନା ସାରା ବିଶ୍ୱରେ କେବଳ ଭାରତ ପାଖରେ ରହିଛି । ମୋଟ୍ ୧୨ଟି ଡିଭିଜନରେ ୨ ଲକ୍ଷରୁ ଅଧିକ ସୈନ୍ୟବଳ ସହ ଭାରତୀୟ ସେନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମାଉଂଟେନ ଫାଇଟିଂ ଫୋର୍ସ । ଏଠାରେ ସୂଚନା ଥାଉ କି ୧୯୭୯ରେ ଭିଏତନାମ ବିରୋଧରେ ଶେଷଥର ପାଇଁ ଯୁଦ୍ଧ ଲଢିଥିଲା ଚୀନ । ସେବେଠାରୁ ଆଉ କୌଣସି ଦେଶ ବିରୋଧରେ ଅସ୍ତ୍ର ଉଠାଇ ନାହାନ୍ତି ଚୀନ ସେନା । ହେଲେ ଭାରତ ପାଖରେ ଶତ୍ରୁ ସହ ମୁକାବିଲାର ଦୀର୍ଘ ଅନୁଭୂତି ରହିଛି । ୧୯୯୯ କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ଧୁଳି ଚଟାଇଥିଲା ଭାରତୀୟ ସେନା ।

ସମ୍ବନ୍ଧିତ ଖବର