ନ୍ୟୁୟର୍କରେ ୨ଜଣ ଶିଖ୍‌ଙ୍କୁ ଆକ୍ରମଣ; ଜଣେ ସନ୍ଦିଗ୍ଧ ଆକ୍ରମଣକାରୀ ଗିରଫ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ଅନ୍ତର୍ଗତ ରିଚ୍‌ମଣ୍ଡ୍‌ ହିଲ୍‌ସ୍‌ ଅଞ୍ଚଳରେ ବର୍ଣ୍ଣବୈଷମ୍ୟ ଅପରାଧ ବୋଲି କୁହାଯାଉଥିବା ଘଟଣାରେ ୨ଜଣ ଶିଖ୍ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରାଯାଇଛି।

ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେମାନେ ବଡ଼ି ଭୋର୍‌ରୁ ସକାଳ ବୁଲି ଯାଉଥିଲେ। ଦୁଇଜଣ ସନ୍ଦିଗ୍ଧ ଗୋଟାଏ ଖୁଣ୍ଟିରେ ସେମାନଙ୍କୁ ପିଟିବା ସହିତ ସେମାନଙ୍କ ପଗଡ଼ି ଖୋଲି ପକାଇଥିଲେ।

ଲଜ୍ଜାଜନକ କହି ନ୍ୟୁୟର୍କସ୍ଥିତ ଭାରତର ‘କନ୍‌ସୁଲେଟ୍‌ ଜେନେରାଲ୍‌’ ଆକ୍ରମଣକୁ ନିନ୍ଦା କରିଛନ୍ତି। ଘଟଣାର ତଦନ୍ତ କରୁଥିବା ପୁଲିସ ସହ ଯୋଗସୂତ୍ର ରଖିଥିବା କଥା କନ୍‌ସୁଲେଟ୍‌ର ଅଧିକାରୀମାନେ କହିଛନ୍ତି।

Image Courtesy of Firstpost

ନ୍ୟୁୟର୍କର ଅଟର୍ଣ୍ଣି ଜେନେରାଲ୍‌ ଲେଟିସିଆ ଜେମ୍ସ୍‌ ଏହି ଆକ୍ରମଣକୁ ନିନ୍ଦା କରି ଟୁଇଟ୍‌ କରିଛନ୍ତି, ରିଚ୍‌ମଣ୍ଡ୍‌ରେ ଥିବା ଆମ ଶିଖ୍‌ ସମ୍ପ୍ରଦାୟଙ୍କ ଉପରେ ପୁଣି ଥରେ ଘୃଣ୍ୟ ଆକ୍ରମଣ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ଦୁଇ ଆକ୍ରମଣକାରୀଙ୍କର ବିଚାର କରାଯିବା ଆବଶ୍ୟକ। ଏ ସଂକ୍ରାନ୍ତରେ ଯଦି କାହା ପାଖରେ କୌଣସି ସୂଚନା ଥାଏ ତରୁନ୍ତ @NYPDnews ସହ ଯୋଗାଯୋଗ କରିବା ଉଚିତ।

ନ୍ୟୁୟର୍କ ରାଜ୍ୟ ବିଧାନସଭାର ପ୍ରଥମ ପଞ୍ଜାବୀ ଆମେରିକୀୟ ମହିଳା ଜେନିଫର୍‌ ରାଜକୁମାର କହିଛନ୍ତି, ବିଗତ ବର୍ଷମାନଙ୍କରେ ଶିଖ୍‌ ସମ୍ପ୍ରଦାୟଙ୍କ ବିରୋଧରେ ଘୃଣ୍ୟ ଅପରାଧ ୨୦୦% ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ପ୍ରାୟ ୧୦ ଦିନ ପୂର୍ବେ ଉପରୋକ୍ତ ଅଞ୍ଚଳରେ ଜଣେ ବୟୋବୃଦ୍ଧ ଶିଖ୍‌ ବ୍ୟକ୍ତିଙ୍କୁ ଆକ୍ରମଣ କରାଯାଇଥିଲା।

ସମ୍ବନ୍ଧିତ ଖବର