‘ଟିଆର୍‌ପି’ ଜାଲିଆତି କରି ଦୁଇ ଟିଭି ଚାନେଲ୍‌ ମାଲିକ ଗିରଫ, ରିପବ୍ଲିକ୍‌ ଟିଭି ଉପରେ ନଜର: ପୁଲିସ

ମୁମ୍ବାଇ: ଟେଲିଭିଜନ୍‌ ରେଟିଙ୍ଗ୍ ପଏଣ୍ଟ୍‌ସ୍‌ ବା ‘ଟିଆର୍‌ପି’ ଜାଲିଆତି କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ଦୁଇଟି ଟେଲିଭିଜନ୍‌ ଚାନେଲ୍‌ର ମାଲିକମାନଙ୍କୁ ଗିରଫ କରିଛି। ଏଥିସହ ରିପବ୍ଲିକ୍ ଟିଭିର ନିର୍ଦେଶକ ଏବଂ ଅର୍ଥଯୋଗାଣକାରୀଙ୍କ ଉପରେ ତଦନ୍ତ କରାଯିବ ବୋଲି ପୁଲିସ କହିଛି।

ମୁମ୍ବାଇ ପୁଲିସ କମିସନର୍ ପରମବୀର ସିଂହ କହିଛନ୍ତି, ଗିରଫ ଅଭିଯୁକ୍ତମାନେ ହେଲେ ‘ଫକ୍ତ ମରାଠୀ’ ଏବଂ ‘ବକ୍ସ୍‌ ସିନେମା’ ଚାନେଲର୍‌ ମାଲିକ। ଏହାପରେ ରିପବ୍ଲିକ୍ ଟିଭିର ନିର୍ଦେଶକ ଏବଂ ଅର୍ଥଯୋଗାଣକାରୀଙ୍କୁ ପଚରାଉଚୁରା କରାଯିବ। ତଦନ୍ତ ନିମନ୍ତେ ଆମେ ରିପବ୍ଲିକ୍ ଟିଭି ଚାନେଲ୍‌ର କିଛି କର୍ମଚାରୀଙ୍କୁ ଡକାଇବୁ।

ସୂଚନା ଓ‌ ପ୍ରସାରଣ ମନ୍ତ୍ରାଳୟ ଏବଂ ଟେଲିକମ୍ ରେଗୁଲେଟରି ଅଥରିଟି ଅଫ୍ ଇଣ୍ଡିଆ ଅଧୀନରେ କାର୍ଯ୍ୟରତ ‘ବାର୍କ’ର କଣ୍ଟ୍ରାକ୍ଟର୍‌ ତଥା ରେଟିଙ୍ଗ୍ ଏଜେନ୍‌ସି ‘ହଂସା ସର୍ଭିସେସ୍ ପ୍ରାଇଭେଟ୍‌ ଲିମିଟେଡ୍’ ଅଭିଯୋଗ ଦାଏର କରିବା ପରେ ପୁଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ ଆରମ୍ଭ କରିଥିଲା।

ଅଭିଯୋଗକାରୀ ଅନୁଷ୍ଠାନ ଦାବି କରିଛି ଯେ, ଟେଲିଭିଜନ୍‌ ଚାନେଲ୍‌ଗୁଡ଼ିକ ବିଷୟରେ ତୀକ୍ଷ୍ଣ ଅନ୍ତର୍ଦୃଷ୍ଟି ଯୋଗାଇ ଭାରତୀୟ ଟେଲିଭିଜନ୍ ବିଜ୍ଞାପନ ଶିଳ୍ପକୁ ସେ ୩୨, ୦୦୦ କୋଟି ଟଙ୍କା ଯୋଗାଏ। ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଚାନେଲ୍‌ଗୁଡ଼ିକୁ ମନିଟର୍‌ କରିବାକୁ ସେମାନେ ଭାରତର ବିଭିନ୍ନ ଅଞ୍ଚଳରେ ପ୍ରାୟ ୩୦, ୦୦୦ ବାରୋମିଟର୍‌ ସ୍ଥାପନ କରିଛି। ଏହି ପରିସଂଖ୍ୟାନକୁ ଆଧାର କରି ‘ବାର୍କ’ ବିଭିନ୍ନ ଟେଲିଭିଜନ୍‌ ଚାନେଲ୍‌କୁ ରେଟିଙ୍ଗ୍ ଦିଏ ଏବଂ ସେହି ରେଟିଙ୍ଗ୍ ଆଧାରରେ ବିଜ୍ଞାପନଦାତାମାନେ ନିର୍ଦ୍ଧାରିତ ହାରରେ ଅର୍ଥ ପୈଠ କରନ୍ତି।

Image Courtesy of Hindustan Times

‘ଟିଆର୍‌ପି’ ଜାଲିଆତି ଯୋଗୁଁ ନିର୍ଦ୍ଧାରିତ ଦର୍ଶକ ଓ ବିଜ୍ଞାପନଦାତା ପ୍ରତିକୂଳ ଫଳାଫଳ ପାଇଲେ ଏବଂ ଏଥିଯୋଗୁଁ ଶହ ଶହ କୋଟି ଟଙ୍କା କ୍ଷତି ହେଲା ବୋଲି ‘ହଂସା’ କହିଛି। ଅଭିଯୋଗ ପାଇବା ପରେ ମୁମ୍ବାଇ ପୁଲିସ ‘ହଂସା’ର ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରି ତାଙ୍କ ବାସଭବନରୁ ନଗଦ ୨୦ ଲକ୍ଷ ଟଙ୍କା ଜବତ କରିଛି। ତାଙ୍କର ଜଣେ ସହଯୋଗୀ ମଧ୍ୟ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି ଏବଂ ତାଙ୍କ ବାସଭବନରୁ ନଗଦ ୮ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି।

ପଚରା ଉଚୁରା କରିବା ପରେ ସେମାନେ କହିଛନ୍ତି ଯେ, ବାରୋମିଟର୍ ଲଗାଯାଇଥିବା ଘରର ପରିବାର ଲୋକଙ୍କୁ ଟଙ୍କା ବାଣ୍ଟିବା ସହ ଦିନ ସାରା ଇଂରାଜି ଚାନେଲ୍‌ ଖୋଲା ରଖିବାକୁ ତାଙ୍କୁ କହିବା ନିମନ୍ତେ ସେମାନେ ପାରିଶ୍ରମିକ ପାଉଛନ୍ତି। ଏହାପରେ ପୁଲିସ କେତେକ ପରିବାରରେ ଅନୁସନ୍ଧାନ କରି ଜାଣିଲା ଯେ, ଟେଲିଭିଜନ୍‌ ସେଟ୍‌ରେ ଇଂରାଜି ଚାନେଲ୍‌ ଖୋଲା ରଖିବାକୁ ସେମାନଙ୍କୁ ୪୦୦ ରୁ ୫୦୦ ଟଙ୍କା ମିଳିଛି।

ଅଭିଯୁକ୍ତଙ୍କ ନାମରେ କାନ୍ଦିବିଲ୍ ଥାନାରେ ଏହି ଅଭିଯୋଗ ଦାଏର ହୋଇଥିଲା। ଗିରଫ କରାଯିବା ପରେ ସେମାନଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଅଦାଲତ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର