ଆସିଲାନି ଆମ୍ବୁଲାନ୍‌ସ: ବାସୁଦେବପୁରରେ ୩କିମି ପ୍ରସୂତୀଙ୍କୁ ଦୋଳାରେ ନେଲେ, କଳାହାଣ୍ଡିରେ ଖଟିଆରେ ବୁହାହେଲେ ରୋଗୀ

ଭବାନୀପାଟଣା/ବାସୁଦେବପୁର: ଗାଁର ବିକାଶ ପାଇଁ ରାଜ୍ୟ ସରକାର ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ଯୋଜନା ହେଉଛି ବାଟବଣା। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁକୁ ଆମ୍ବୁଲାନ୍‌ସ ଆସି ନପାରିବାରୁ ଜଣେ ରୋଗୀଙ୍କୁ ଖଟିଆରେ ବୋହି ହସ୍‌ପିଟାଲ ପହଂଚାଯାଇଛି। ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମୁଣ୍ତା ବଡହବାଳିସାହି ଗ୍ରାମକୁ ଆମ୍ବୁଲାନ୍‌ସ ନ ଆସିପାରିବାରୁ ପରିବାର ଲୋକେ ପ୍ରସୂତୀଙ୍କୁ ୩ କିମି ଦୋଳାରେ ବୋହିଛନ୍ତି।

ସୂଚନା ଅନୁସାରେ ବୁଧବାର ବଡହବାଳିସାହି ଗ୍ରାମର ନିର୍ମଳ ମଣ୍ଡଳଙ୍କ ପତ୍ନୀ ପ୍ରତିମାଙ୍କ ପ୍ରସବ ଜନିତ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଡାକ୍ତରଖାନା ନେବା ପାଇଁ ଜନନୀ ଏକ୍ସପ୍ରେସକୁ ଫୋନ କରିଥିଲେ। କିନ୍ତୁ ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ଗାଁକୁ ଜନନୀ ଏକ୍ସପ୍ରେସ ଯାଇପାରିନଥିଲା। ପରିବାର ଲୋକ ଗ୍ରାମବାସୀଙ୍କ ସହାୟତରେ ଉକ୍ତ ମହିଳାଙ୍କୁ ଏକ ଦୋଳାରେ ବୋହି ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ବାଲିମୁଣ୍ତା ଡିଫେନ୍‌ସ ରୋଡ ରାସ୍ତା ପାଖକୁ ଆଣିବା ବେଳେ ପ୍ରସବ ଯନ୍ତ୍ରଣା ସହି ନପାରି ଗାଁର ମହିଳାମାନେ ଏକ ଶାଢୀ ଆବଦ୍ଧ କରି ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ତାପରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମା ଏବଂ ଶିଶୁଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ରାସ୍ତାରେ କାଦୁଅ ଥିବାରୁ ଆମ୍ବଲାନ୍‌ସ ଆସିନଥିଲା ବୋଲି ଅଭିଯୋଗ ହୋଇଛି।

କଳାହାଣ୍ଡି ଜିଲ୍ଲାର ଖଳିଆପଡା ରାସ୍ତାରେ ଖାଲ ଖମା ଓ କାଦୁଅ ଭର୍ତ୍ତି ହୋଇଛି। କଲମପୁର ବ୍ଲକ ପଣ୍ଡି ଗାଁ ହାଲିଆପଡ଼ାରେ ଧାନମଣ୍ଡି ସ୍ଥାପନ କରାଯାଇଛି। ମଣ୍ଡିରେ ଧାନ ବିକ୍ରି କରିବା ସମୟରେ ଏହି ମଣ୍ଡିକୁ ଧାନ ଆଣିବା ଅନେକ ଟ୍ରକ ଆସିଥାଏ। ଟ୍ରକ ଯିବା ଆସିବା ଯୋଗୁଁ ରାସ୍ତା ଅତି ଶୋଚନୀୟ ହୋଇପଡିଛ। ରାସ୍ତାରେ ଯେତିକି ପରିମାଣରେ ଓଜନ ଯିବା କଥା ତା ଠାରୁ ଅଧିକ ଓଜନର ଯାନବାହନ ଯାତାୟାତ କରୁଥିବା ଅଭିଯୋଗ ହୋଇଛି। ଆଜି ହାଲିଆପଡାର ରାଧେ କଟାଙ୍କୁ ଜ୍ୱର ହୋଇଥିଲା। ଡାକ୍ତରଖାନାକୁ ନେବା ପାଇଁ ୧୦୮ରେ ଆମ୍ବୁଲାନ୍‌ସକୁ ଫୋନ କରାଯାଇଥିଲା। ରାସ୍ତାରେ ବଡ଼ ବଡ଼ ଖାଲଖମା ହୋଇ କାଦୁଅ ଭର୍ତ୍ତି ହୋଇଥିବା ବେଳେ ଆଣ୍ଠୁଏ ପାଣି ଜମି ରହିଥିଲା । ରାସ୍ତାରେ ଆମ୍ବୁଲାନ୍‌ସ ଯିବା ସମ୍ଭବ ହୋଇପାରିନଥିଲା। ଫଳରେ ପରିବାର ଲୋକେ ରାଧେ କଟାଙ୍କୁ ଏକ ଖଟିଆରେ ବୋହି ଆମ୍ବୁଲାନ୍‌ସ ପାଖକୁୁ ଆଣିଥିଲେ। ଅନ୍ୟପକ୍ଷରେ ଏନେଇ ଆଜି ପଡ଼ାବାସୀ ବିଡ଼ିଓଙ୍କୁ ରାସ୍ତା ନିର୍ମାଣ ପାଇଁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି।

 

ସମ୍ବନ୍ଧିତ ଖବର